ପିଲାଙ୍କ ପଢ଼ା ଖର୍ଚ୍ଚ ବହନ କରିବ ଦଳ
ଭୁବନେଶ୍ୱର : ସୋହେଲା ଗୁଳିକାଣ୍ଡ ଘଟଣାରେ ଗୁରୁତର ଆହତ ଡ୍ରାଇଭର ତଥା ବିଜେଡି କର୍ମୀ ଦିଲେଶ୍ୱର ସାହୁଙ୍କର ଗତକାଲି ରାତିରେ ମୃତ୍ୟୁ ପରେ ତାଙ୍କୁ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ତାଙ୍କ ମରଶରୀରକୁ କଟକ ବଡ଼ ମେଡିକାଲରୁ ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପୂର୍ବାହ୍ନରେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଶ୍ରୀ ପଟ୍ଟନାୟକ ଦିଲେଶ୍ୱରଙ୍କ ପତ୍ନୀ ଓ ପରିବାରବର୍ଗଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ। ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ, ଦିଲେଶ୍ୱରଙ୍କ ମୃତ୍ୟୁରେ ସେ ମର୍ମାହତ। ଏହା ଏକ ଘୃଣ୍ୟ ଅପରାଧ। ଶାନ୍ତିପ୍ରିୟ ଓଡ଼ିଶାରେ ଗୁଳିକାଣ୍ଡକୁ ଆଦୌ ବରଦାସ୍ତ କରାଯିବନି। ରାଜ୍ୟବାସୀ ଏହାର ଉଚିତ୍ ଜବାବ ଦେବେ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଦିଲେଶ୍ୱରଙ୍କ ପରିବାରର ଦାୟିତ୍ୱ ବିଶେଷତଃ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବିଜେଡି ବହନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ବିଜେଡ଼ିର ଅନ୍ୟ ନେତାମାନେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ବିଜେପିକୁ କଠୋର ସମାଲୋଚନା କରିଥିଲେ। ଘଟଣାକୁ ନିନ୍ଦା କରି ବିଜେଡି ନେତାମାନେ କହିଥିଲେ, ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ବିଜେପୁର ଉପ-ନିର୍ବାଚନରେ ହାରିଯିବା ଆଶଙ୍କାରେ ହତାଶ ହୋଇପଡି ଅସହିଷ୍ଣୁ ବିଜେପି ଏପରି ଅମାନୁଷିକ କାଣ୍ଡ ଭିଆଉଛି। ବିଜେପି କର୍ମୀ ଓ ଗୁଣ୍ଡାଙ୍କ ଆକ୍ରମଣରେ ଗୁରୁତର ଥିବା ବିଜେଡିର ଆଉ ୩ଜଣ ଏବେ ମଧ୍ୟ ବୁର୍ଲା ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି ବୋଲି ଦଳ ସୂଚନା ଦେଇଛି।
ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରଦୀପ ମହାରଥୀ, ନୃସିଂହ ସାହୁ, ଅନନ୍ତ ଦାସ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ, ସାଧାରଣ ସଂପାଦକ ପଦ୍ମନାଭ ବେହେରା, ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସମୀର ରଞ୍ଜନ ଦାଶ, ସରୋଜ ସାମଲ, ପୂର୍ଣ୍ଣଚନ୍ଦ୍ର ସେଠୀ, ବାସନ୍ତୀ ମଲ୍ଲିକ, ସୁବ୍ରତ ତରାଇ, ମାନସ ମାଡ଼କାମୀ, ମେୟର ଅନନ୍ତ ନାରାୟଣ ଜେନା, ସୁବାସ ସିଂହ, ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲା ବିଜେଡି ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/dileswar.jpg)