ନବୀନଙ୍କ ମିସନ୍ ‘ଆସିକା’ ଦ୍ବିତୀୟ ଦିନ : ୪ କୋଟି ଓଡ଼ିଆଙ୍କ ଆଶୀର୍ବାଦରୁ ପୁଣି ସରକାର ଗଢ଼ିବି

ମେଗା ‌ରୋଡ୍ ସୋ’ ଓ ନିର୍ବାଚନୀ ସଭାରେ ଯୋଗ ଦେଲେ

ଭଞ୍ଜନଗର/ବେଲଗୁଣ୍ଠା/ସୋରଡା/ପୋଲସରା/ଆସିକା/ଧରାକୋଟ : ‘ଓଡ଼ିଶାର ୪ କୋଟି ଜନତା ହେଉଛନ୍ତି ମୋର ପରିବାର। ସେମାନଙ୍କ ଆଶୀର୍ବାଦ ମିଳିଲେ ବି‌ଜେଡି ପୁଣି ରାଜ୍ୟରେ କ୍ଷମତାସୀନ ହୋଇ ସରକାର ଗଢ଼ିବ। ଏଥିପାଇଁ ମନରେ ଦୃଢ଼ ଆତ୍ମବିଶ୍ବାସ ଭରି ହୋଇ ରହିଛି। ମହିଳାଙ୍କ ବିକାଶରେ ହିଁ ରାଜ୍ୟର ବିକାଶ ସମ୍ଭବ। ଏହାକୁ ପାଥେୟ କରି ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦିଆଯାଇ ଆର୍ଥିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏହି ଧାରା ବି ଆଗକୁ ବଜାୟ ରହିବ। ସେହିପରି କାଳିଆ ଯୋଜନାରେ ଅଧିକ ଚାଷୀ ଯେଭଳି ଉପକୃତ ହେବେ ଏ ଦିଗରେ ଉଦ୍ୟମ ଜାରି ରହିଛି। ଏଣୁ ଏହି ଯୋଜନାକୁ କେହି ବି ‌ରୋକିପାରିବେନି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ଦିନରେ ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ସୋରଡ଼ା, ଆସିକା, ପୋଲସରା ଓ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ‌ରେ ମାରାଥନ୍ ପ୍ରଚାର କରି ଏହି କଥା କହିଛନ୍ତି। ଆଉ ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ବିକଶିତ ଓଡ଼ିଶା ଗଠନରେ ସାମିଲ ହୁଅନ୍ତୁ ବୋଲି ସେ ସଭିଙ୍କୁ ଆହ୍ବାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଧରାକୋଟ, ଆସିକା ଓ ପୋଲସରାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସମସ୍ତ ସ୍ଥାନରେ ସେ ଆସିକା ଲୋକସଭା ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଷୋୟୀ, ସାନଖେମୁଣ୍ଡି ବିଧାନସଭା ପ୍ରାର୍ଥିନୀ ନନ୍ଦିନୀ ଦେବୀ, ପୋଲସରା ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ଆସିକା ବିଧାନସଭା ପ୍ରାର୍ଥିନୀ ମଞ୍ଜୁଳା ସ୍ବାଇଁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସେହିପରି ସୋରଡ଼ା ନିର୍ବାଚନମଣ୍ଡଳୀ ଅଧୀନ ସୋରଡ଼ା ଓ ବେଲଗୁଣ୍ଠାରେ ‌ହାଇଟେକ୍ ବସ୍‌ରେ ମେଗା ରୋଡ୍ ସୋ’ କରି ସେ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପାଇଁ ପ୍ରଚାର କରିଥିଲେ। ସମସ୍ତ ସଭା ଓ ପ୍ରଚାରରେ ଆସିକା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଷୋ‌ୟୀ ଉପସ୍ଥିତ ଥିଲେ।

ଆଜି ମଧ୍ୟାହ୍ନରେ ସୋରଡା ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ସୋରଡ଼ା ଓ ବେଲଗୁଣ୍ଠା ବ୍ଲକରେ ପ୍ରଚାର ଆରମ୍ଭ କରିଥିଲେ। ସୋରଡାଠାରେ ବସ୍ ଉପରେ ବିଭିନ୍ନ ସ୍ଥାନରେ ରହି ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ସମ୍ବୋଧନ ଜନସାଧାରଣଙ୍କୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଜନସାଧାରଣଙ୍କୁ ହାତ ହଲାଇ ବିଭିନ୍ନ ସ୍ଥାନରେ ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା। ସୋରଡ଼ା ଏନ୍‌ଏସି ଏବଂ ବ୍ଲକର ଗଣିଛକ, ବଡ଼ଦାଣ୍ଡ, ଗୋପାଳପୁର ଶାସନ ପଞ୍ଚାୟତ, ଅଳାକଟା ପଞ୍ଚାୟତ, ଲାଠିପଡା, କୁଲାଙ୍ଗି, ବଡବୋରସିଙ୍ଗି, ‌କଣ୍ଟେଇପଲ୍ଲୀ ଛକ ଓ ବେଲଗୁଣ୍ଠା ବ୍ଲକର ଗୋବରା ଗ୍ରାମ ପରିକ୍ରମା କରି କ୍ଷତ୍ରିୟବରପୁରସ୍ଥିତ ପଡ଼ିଆରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ମନ୍ତ୍ରୀ ତଥା ଭଞ୍ଜନଗର ବିଧାନସଭା ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ସୋରଡା ବିଧାନସଭା ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଏଲିନା ସାମନ୍ତରାୟ, ସମ୍ବିତ ରାୟଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ସେହିପରି ଅପରାହ୍ନରେ ପୋଲସରା ଲୁଣିଘାଟି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭା ଓ କର୍ମୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପୋଲସରା ବିଧାନସଭା ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ନିଜ ୫ ମିନିଟର ଉଦବୋଧନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶ ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ ଯୋଜନାର ଗୋଲାପି ଚିତ୍ର ଉପସ୍ଥାପନ କରିଥିଲେ। ଆସିକା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଷୋୟୀ ପାରମ୍ପରିକ ଶୈଳୀରେ ଭୋଟ ଭିକ୍ଷା କରିବା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ, ଟି.ଗୋପୀଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଧରାକୋଟରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କାଳିଆ ଯୋଜନା ଉପରେ ଆଲୋକପାତ କରିବା ସହ ସାନଖେମୁଣ୍ଡି ବିଧାନସଭା ପ୍ରାର୍ଥିନୀ ନନ୍ଦିନୀ‌ ଦେବୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଜିଲ୍ଲା ବିଜେଡି ସଭାପତି ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବ କରିଥିଲେ। ଜିଲ୍ଲା ବିଜେଡି ସଭାପତି ଡ.ପ୍ରଦୀପ କୁମାର ପାଣିଗ୍ରାହୀ ସଭାପତିତ୍ବ ଏବଂ ଉପସଭାପତି ଉମାଚରଣ ନାୟକ ସଂଯୋଜନା କରିଥିଲେ।

ସେହିପରି ଆସିକା ନିକଟ କାଳଷଣ୍ଢପୁରରେ ହେଲିକପଟରରୁ ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ମହୋତ୍ସବ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭା‌ରେ ଯୋଗ ଦେଇ ବିଧାନସଭା ପ୍ରାର୍ଥିନୀ ମଞ୍ଜୁଳା ସ୍ବାଇଁ ଓ ଲୋକସଭା ପ୍ରାର୍ଥିନୀ ପ୍ରମିଳାଙ୍କ ପାଇଁ ‌ଭୋଟ ଭିକ୍ଷା କରିଥିଲେ। ବହୁ ସଂଖ୍ୟାରେ ଜନପ୍ରତିନିଧି ଓ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର