କେନ୍ଦ୍ର ସରକାରଙ୍କ ବଜେଟ୍ ଘୋଷଣା ପରେ ନବୀନ ପ୍ରଶଂସା କଲେ, ଉଦ୍‌ବେଗ ବି ଜଣାଇଲେ

ଭୁବନେଶ୍ବର : ଓଡ଼ିଶା ପାଇଁ ସ୍ବତନ୍ତ୍ର ପ୍ରକଳ୍ପ କିଛି ନାହିଁ। ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଏଥର ବି ରାଜ୍ୟର କୌଣସି ପ୍ରକଳ୍ପକୁ ସ୍ଥାନ ମିଳିନାହିଁ। ଓଡ଼ିଶାକୁ ଅର୍ଥ ଆବଣ୍ଟନରେ ଆଶ୍ବସ୍ତି ଆଣିବା ଭଳି କିଛି ସଙ୍କେତ ଦେଇନାହାନ୍ତି େକନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବରଂ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଆଜି ସଂସଦରେ ଆଗତ ହୋଇଥିବା ବଜେଟ୍ ରାଜ୍ୟ ସରକାରଙ୍କ ମୁଣ୍ଡ ବୁଲାଇ ଦେଲାଣି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିସ୍ଥିତିକୁ ଦେଖି ମପାଚୁପା ମନ୍ତବ୍ୟ ରଖିଛନ୍ତି। କିଛି କଥାକୁ ପ୍ରଶଂସା କରିଛନ୍ତି, ଆଉ କିଛି କ୍ଷେତ୍ରରେ ଉଦବେଗ ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାରଙ୍କ ବଜେଟ୍ ଘୋଷଣା ପରେ ରାଜ୍ୟ ସରକାର ହିସାବ ଆରମ୍ଭ କରିଛନ୍ତି, କେଉଁ ସୂତ୍ରରୁ କେତେ ଅର୍ଥ ମିଳିବ। ଏହାକୁ ଆଧାର କରି ବଜେଟ୍ ପ୍ରସ୍ତୁତି ଆରମ୍ଭ ହେବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମନରେଗାରେ ମଧ୍ୟ ପୂର୍ବାପେକ୍ଷା ୧୦ ହଜାର କୋଟି ଟଙ୍କା କମ୍ ମିଳିବ। ହେଲେ ଏହା ଏକ ଚାହିଦା ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ପରବର୍ତୀ ସମୟରେ କେନ୍ଦ୍ର ଏ ବାବଦରେ ଅର୍ଥ ରଖିପାରେ। କିନ୍ତୁ ଏବେ ଯେଉଁ କ୍ଷେତ୍ରଟି ବେଶି ଆନ୍ଦୋଳିତ କରୁଛି, ତାହା ହେଲା କେନ୍ଦ୍ର ସରକାର ସେସ୍ ଆଦି ବାବଦରେ ଅଧିକ ଟିକସ ଅର୍ଥ ଟାଣି ନେଉଛନ୍ତି, ଯେଉଁଥିରେ ରାଜ୍ୟର ଭାଗ ନାହିଁ। ଏଣୁ ରାଜ୍ୟ ଅର୍ଥନୀତିରେ କେନ୍ଦ୍ରୀୟ ଯୋଗଦାନ କମୁଛି।

ଚଳିତବର୍ଷ ସଂଶୋଧିତ ଅଟକଳରେ ପାଖାପାଖି ୩ହଜାର କୋଟି କମିଲାଣି। ତା ଠାରୁ ଆହୁରି ସାଂଘାତିକ କଥା ହେଲା, ଅର୍ଥ କମିସନଙ୍କ ସୁପାରିସ ଅନୁସାରେ, ଓଡ଼ିଶା ୪୮ ହଜାର କୋଟି ଟଙ୍କା ପାଇବା କଥା। ୩୦ ହଜାର କୋଟି ଟଙ୍କା ମିଳିଛି। ଏଣୁ ଏକ ବଡ଼ ଅର୍ଥ ହରାଇଛି ରାଜ୍ୟ, ଯେଉଁଥିପାଇଁ ଅର୍ଥନୀତି ଚାପରେ। ଆଗକୁ ଏହା ଆହୁରି ବିପଜ୍ଜନକ ମୋଡ଼ ନେବା ସମ୍ବାବନାକୁ ଏଡାଇ ଦେଇ ହେବନାହିଁ।

ଆସନ୍ତା ଆର୍ଥିକବର୍ଷ ପାଇଁ ଆଗତ ବଜେଟରେ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାରେ ଓଡ଼ିଶାକୁ ବିଶେଷ କିଛି ଅଧିକ ଅର୍ଥ ମିଳିବାର ନାହିଁ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ତେବେ ହିସାବ ସମ୍ପୂର୍ଣ୍ଣ ପରେ ସୋମବାର ବେଳକୁ ଏ ସଂକ୍ରାନ୍ତରେ ଏକ ସ୍ପଷ୍ଟ ଚିତ୍ର ମିଳିବ।

ସେପଟେ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ସନ୍ତୁଳିତ ପ୍ରତିକ୍ରିୟା ରଖିଛନ୍ତି। ନା ପ୍ରଶଂସା କରିଛନ୍ତି ନା ସମାଲୋଚନା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶୀତଳଭଣ୍ଡାର ସମୂହ ନିମନ୍ତେ ନିରନ୍ତର କୃଷି ରେଳ ଓ କୃଷି ଉଡାନ୍ ଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ସେହିଭଳି ପିଏମ-କୁସୁମ ଯୋଜନାରେ ୨୦ଲକ୍ଷ ଚାଷୀଙ୍କୁ ସୌରପମ୍ପ ଦେବା, ଲାଭାଂଶ ବଣ୍ଟନ ଟିକସ ପ୍ରତ୍ୟାହାର ଓ ରିହାତିମୂଳକ କମ୍ପୋନେଣ୍ଟ ଟିକସକୁ ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କର୍ପୋରେଟ୍ ଟିକସ ହ୍ରାସ ଢାଞ୍ଚାରେ ସମବାୟ କ୍ଷେତ୍ରରେ ରିହାତି ଟିକସ ହାରକୁ ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା ଅନୁରୋଧ କରିଥିଲା। ଏହାବ୍ୟତୀତ ଜମାରାଶି ଉପରେ ବୀମାରାଶି ୧ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ତଥା ନୂଆ ଶିକ୍ଷା ନୀତି ଓ ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ଭଳି ଘୋଷଣାକୁ ମଧ୍ୟ ନବୀନ ସ୍ୱାଗତ କରିଥିଲେ।

ଅନ୍ୟପକ୍ଷରେ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ସମସ୍ତ ଆବଣ୍ଟନ ହାର ପୂର୍ବଭଳି ସ୍ଥିର ରହିଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। କହିଥିଲେ ଯେ କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକର ଭାଗିଦାରୀ ପ୍ରାୟ ୫୯୦୦୦କୋଟି ଟଙ୍କା ହ୍ରାସ ପାଇଛି। ଏଥିଯୋଗୁ ଓଡ଼ିଶା ପ୍ରାୟ ୩ହଜାର କୋଟି ଟଙ୍କା ହରାଇବ। ଓଡ଼ିଶାର କୌଣସି ଐତିହ୍ୟ ସ୍ଥଳକୁ ବିକଶିତ କରଯାଇ ନାହିଁ। ଓଡ଼ିଶାରେ ମଧ୍ୟ ଏକ ଜାତୀୟ ଆଦିବାସୀ ମ୍ୟୁଜିୟମର ଆବଶ୍ୟକତା ଅଛି। ପାନୀୟ ଜଳ ହେଉଛି ଜାତୀୟ ପ୍ରାଥମିକତା। ଜାତୀୟସ୍ତରରେ ପ୍ରାୟ ମାତ୍ର ୧୧୫୦୦କୋଟି ଟଙ୍କା ଆବଣ୍ଟନ ହୋଇଛି ଯଦିଓ ଏବେ ୩.୬ଲକ୍ଷ କୋଟି ଟଙ୍କାର ଅନୁମୋଦିତ ଯୋଜନା ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେନସେକ୍ସ ହେଉଛି ଏକ ମାନଦଣ୍ଡ ଯାହା ନିବେଶକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି କରିଥାଏ। ମାତ୍ର ଆଜି ସେନସେକ୍ସରେ ପ୍ରାୟ ୧୦୦୦ ପଏଣ୍ଟ ହ୍ରାସ ପାଇଛି। ପୁଞ୍ଜିନିବେଶ ନିମନ୍ତେ ସବୁଠୁ ବଡ଼କଥା ହେଉଛି ନିବେଶକଙ୍କ ବିଶ୍ୱାସ। ଅଭିବୃଦ୍ଧି ହାର ହେଉଛି ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ, ଯାହାକି ଆମର ଯୁବବର୍ଗଙ୍କ ଜୀବନଜୀବିକା ଓ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ବ୍ୟାପକ ପ୍ରଭାବ ପକାଇବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟା କହିଥିଲେ।

ସମ୍ବନ୍ଧିତ ଖବର