ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ : ଘରେ ରହି ମା’, ମାଉସୀଙ୍କୁ ହଇରାଣ କରନି

ଭୁବନେଶ୍ବର : କୋଭିଡ-୧୯ ପାଇଁ ଏବେ ଦେଶବ୍ୟାପୀ ଲକ୍ ଡାଉନ୍। ଏଥିପାଇଁ ଲୋକମାନଙ୍କୁ ଘରେ ରହିବାକୁ ପଡ଼ୁଛି। ତେବେ କରୋନାର ମୁକାବିଲା ପାଇଁ ସାମାଜିକ ଦୂରତ୍ବ ଗୁରୁତ୍ବପୂର୍ଣ୍ଣ ହୋଇଥିବ ବେଳେ ଘରେ ରହିଥିବା ସମୟରେ ମା’, ମାଉସୀମାନଙ୍କୁ ଏକାଧିକ ଥର ରୋଷେଇ କରିବାକୁ କହି ହଇରାଣ ନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନକୁ ପଢ଼ି ଶୁଣାଇଥିଲେ। ବାଗ୍‌ଚୀ କହିଥିଲେ ଯେ, ମା’, ମାଉସୀ, ଭଉଣୀ, ଭାଉଜଙ୍କ ଉପରେ କୋଭିଡ-୧୯ର ବୋଝଟିକୁ ଲଦି ଦିଅନ୍ତୁ ନାହିଁ। ଖରାଦିନେ ସେମାନଙ୍କୁ ଯଦି ରୋଷେଇଶାଳରେ ବନ୍ଦୀ କରିଦେବେ ତେବେ ସେମାନେ ଭାଙ୍ଗି ପଡ଼ିବେ। ସେମାନେ ଭାଙ୍ଗି ପଡ଼ିଲେ ଦେଶ ଭାଙ୍ଗି ପଡ଼ିବ। ତେଣୁ ଆଜିର ସମୟ ସଂଯମର ସମୟ। ନି‌ଜେ ଘର କାମରେ ସହଯୋଗ କରିବା ସହିତ ପିଲାମାନଙ୍କୁ ଘର କାମରେ ହାତ ବଢ଼ାଇବା ପାଇଁ ଉତ୍ସାହିତ କରିବା ଦରକାର। ପୂର୍ବରୁ ୩ ଓଳି ଖାଇବା ହେଉଥିବା ବେ‌ଳେ ଏହାକୁ କମ୍ କରିବା ପାଇଁ ଚେଷ୍ଟା କରାଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଶ୍ରୀ ବାଗ୍‌ଚୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର