ଦିନକ ଆଗରୁ ଫେରିଆସିଲେ ନବୀନ : ‘କୁନ୍ଦୁଲି ଘଟଣାର ମୁକ୍ତ ଓ ଅବାଧ ତଦନ୍ତ ଚାହୁଁଛୁ’

ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ଆଗରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରି ଆସିଲା ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି, କୁନ୍ଦୁଲି ଘଟଣାର ଆମେ ମୁକ୍ତ ଓ ଅବାଧ ତଦନ୍ତ ଚାହୁଁଛୁ। ସେଥି ପାଇଁ କୋର୍ଟଙ୍କ ତଦାରଖରେ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(ଏସ୍‌ଆଇଟି) ଦ୍ୱାରା ତଦନ୍ତ ପାଇଁ ଆମେ ଓଡ଼ିଶା ହାଇକୋର୍ଟଙ୍କୁ ନିବେଦନ କରିଛୁ। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ତୁରନ୍ତ ନ୍ୟାୟ ଆବଶ୍ୟକ।

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ପ୍ରସଙ୍ଗରେ ନବୀନ କହିଥିଲେ, ବିଜୁ ବାବୁଙ୍କ ଉପରେ ପ୍ରକାଶିତ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କୁ ଦେବାକୁ ଯାଇଥିଲି। ସେଥିରେ କୌଣସି ରାଜନୀତିର ପ୍ରଶ୍ନ ଉଠୁନି। ବିଜେଡି ଏନ୍‌ଡିଏକୁ ଫେରିବ କି ବୋଲି ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦୌ ସମ୍ଭାବନା ନାହିଁ। ଆମେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ରକ୍ଷା କରୁଛୁ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ନୂଆଦିଲ୍ଲୀରେ ତାଙ୍କୁ ସାକ୍ଷାତ କରିଥିଲେ। ସେ ବିଜେଡିରେ ମିଶିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ ହେବାରୁ ନବୀନ ହସି ହସି କହିଥିଲେ, ନା ନା। ହକି କାର୍ଯ୍ୟକ୍ରମ ପୂର୍ବରୁ ସେ ୫ ମିନିଟ୍‌ ପାଇଁ ଭେଟ ହୋଇଥିଲେ। ସେ ଏହି କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ଜାଣିବାକୁ ଚାହିଁଥିଲେ।

ସମ୍ବନ୍ଧିତ ଖବର