ଲୋକଙ୍କୁ ଆଶ୍ବାସନା ଦେଲେ ନବୀନ : ୩ରେ ପ୍ରଭାବିତ ଅଞ୍ଚଳର ସରକାରୀ, ଘରୋଇ ଅଫିସ୍ ବନ୍ଦ, ବାତ୍ୟା ପରିଚାଳନା ସହ ସଂପୃକ୍ତ କାର୍ଯ୍ୟାଳୟ ଖୋଲା ରହିବ, ସଚିବାଳୟ, ଏସ୍‌ଆର୍‌ସି ଅଫିସ୍‌ରେ ପ୍ରସ୍ତୁତି ତଦାରଖ

ଭୁବନେଶ୍ବର : ‘ଫନି’ ଦ୍ବାରା ସୃଷ୍ଟି ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ତଥା ପ୍ରତିକାରମୂଳକ ପଦକ୍ଷେପ ପାଇଁ ରାଜ୍ୟ ସରକାର ଜୋର୍‌ଦାର୍‌ ପ୍ରସ୍ତୁତି ଚଳାଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ବ୍ୟବଧାନରେ ପ୍ରସ୍ତୁତିର ତଦାରଖ କରୁଛନ୍ତି। ଆଜି ସକାଳେ ସଚିବାଳୟରେ ଅଧିକାରୀମାନଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଥିଲା ବେଳେ ସନ୍ଧ୍ୟାରେ ସିଧାସଳଖ ରାଜୀବ ଭବନସ୍ଥିତ ସ୍ବତନ୍ତ୍ର ରିଲିଫ୍ କମିସନର୍(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରସ୍ତୁତିର ତଦାରଖ କରିଥିଲେ। ମେ’ ୩ ତାରିଖରେ ବାତ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। କେବଳ ବାତ୍ୟା ପରିଚାଳନା ସହିତ ସଂପୃକ୍ତ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି।

ସିଏମ୍‌ଓ ପକ୍ଷରୁ କୁହାଯାଇଛି, ବାତ୍ୟା ଫନିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣ ଆତଙ୍କିତ ନ ହୋଇ ବାତ୍ୟା ସମୟରେ ଘର ଭିତରେ ରୁହନ୍ତୁ ଓ ବାହାରକୁ ଯାଆନ୍ତୁ ନାହିଁ। ପୁରୀ ସହରରେ ବାତ୍ୟା ଫନି ସ୍ଥଳ ଭାଗକୁ ଛୁଇଁବାର ସମ୍ଭାବନା ଥିବାରୁ ପୁରୀର ଜନସାଧାରଣ ସର୍ବାଧିକ ସତର୍କତା ଅବଲମ୍ବନ କରିବା ଜରୁରୀ। ବାତ୍ୟା ସ୍ଥଳ ଭାଗକୁ ଛୁଇଁବାର ପୂର୍ବବର୍ତ୍ତୀ ସମୟ ସବୁଠାରୁ ଅଧିକ ବିପଜ୍ଜନକ। ତେଣୁ ସେହି ସମୟରେ ଜନସାଧାରଣ କୌଣସି ପରିସ୍ଥିତିରେ ବାହାରକୁ ନ ବାହାରିବାକୁ ନିବେଦନ କରାଯାଇଛି।

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଆତଙ୍କିତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଲୋକଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ବାତ୍ୟା ସମୟରେ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମମାନଙ୍କ ସ୍ବତନ୍ତ୍ର ଦେଖାଶୁଣା କରନ୍ତୁ। ଆତଙ୍କିତ ହୁଅନ୍ତୁ ନାହିଁ, ଶାନ୍ତ ରୁହନ୍ତୁ। ସରକାରଙ୍କୁ ସହଯୋଗ କରନ୍ତୁ।’

ଆଜି ପୂର୍ବାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ଫନିର ମୁକାବିଲା ଓ ପୁନରୁଦ୍ଧାର ପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ଭାବ୍ୟ ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଶକ୍ତି ଓ ପଞ୍ଚାୟତିରାଜ ବିଭାଗକୁ ପରାମର୍ଶ ଦେଇଥିଲେ। ଏହା ସହ ରାଜ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର୍‌ମାନଙ୍କ ସହ ସେମାନଙ୍କ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଆ‌େଲାଚନା କରିଥିଲେ। ସମସ୍ତ ପ୍ରକାର ପରିସ୍ଥିତିରେ ଟେଲି ଯୋଗାଯୋଗ ଅବ୍ୟାହତ ରଖିବାକୁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର