ଭୁବନେଶ୍ବର : ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ତିତଲି’ ସ୍ଥଳଭାଗ ଛୁଇଁଲା ପରେ ତାହାର ପ୍ରଭାବ, କ୍ଷୟକ୍ଷତି ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ସମୀକ୍ଷା କରିଥିଲେ। ପର୍ଯ୍ୟାପ୍ତ ରିଲିଫ୍ ଯୋଗାଣ ସହ ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ େସବାଗୁଡ଼ିକର ତୁରନ୍ତ ପୁନଃସ୍ଥାପନ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଜିଲ୍ଲାପାଳମାନେ ଫସଲ ଓ ଘରଭଙ୍ଗା ଆଦି କ୍ଷତିଗୁଡ଼ିକୁ ଯଥାଶୀଘ୍ର ଆକଳନ କରି ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ସୂଚନା ଦିଆଯାଇଥିଲା, ତିତଲି ଆଜି ସକାଳ ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ପଲାସା ନିକଟରେ ଲ୍ୟାଣ୍ଡ୍ଫଲ୍ କରିଛି। ଗତକାଲି ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରୁ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କୁ ୧୧୨ଟି ରିଲିଫ୍ କ୍ୟାମ୍ପ୍ରେ ସୁରକ୍ଷିତ ରଖାଯାଇ ରିଲିଫ୍ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ମଧ୍ୟାହ୍ନ ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଯୋଗୁ କେହି ମୃତ୍ୟୁ ମୁଖରେ ପଡ଼ିଥିବାର ସୂଚନା ନାହିଁ। ତିତଲି ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯିବାର ସମ୍ଭାବନା ଥିବାରୁ ପରିସ୍ଥିତି ଉପରେ ନଜର ରଖାଯିବା ସହ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିେର୍ଦ୍ଦଶ ଦେଇଥିଲେ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ତିତଲି ପ୍ରଭାବ ଯେତିକି ଆଶଙ୍କା କରାଯାଉଥିଲା ସେପରି ହୋଇନି। ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଗଜପତି ଜିଲ୍ଲା ଅେପକ୍ଷାକୃତ ଅଧିକ ପ୍ରଭାବିତ ହୋଇଛି। ପଶ୍ଚିମ ଓଡ଼ିଶା ବାଦ୍ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ଆଶଙ୍କା ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ, ପାନୀୟ ଜଳଯୋଗାଣ ଓ ସଡ଼କ ଯୋଗାଯୋଗ ଆଦି ଜରୁରୀ ସେବା କାର୍ଯ୍ୟକୁ ତୁରନ୍ତ ପୁନଃସ୍ଥାପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତିତଲିର ମୁକାବିଲା ପାଇଁ ୧୩ଟି ଏନ୍ଡିଆର୍ଏଫ୍ ସହିତ ଓଡ୍ରାଫ୍ ବାହିନୀଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି। ଗଜପତି ପାଇଁ ଆଉ ୨ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି। ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି। ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଥିଲେ, ଗତକାଲି ରାତି ସୁଦ୍ଧା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ୩ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୧୫୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ୮ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ ତାହା ଉପରେ ନଜର ରଖାଯାଇଛି। ତିତଲି ପ୍ରଭାବରେ ଗଛ ଉପୁଡ଼ିବା ଯୋଗୁଁ ଯେଉଁଠି ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି, ସେଠାରେ ତୁରନ୍ତ ବିଦ୍ୟୁତ ସଂଯୋଗ ଦେବା ପାଇଁ କାମ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/cyclone-review-1.jpg)