ବିଭିନ୍ନ ପ୍ରକଳ୍ପ ଦ୍ୱାରା ଜନଜାତି କ୍ଷତିଗ୍ରସ୍ତ : କମିସନଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ପାଞ୍ଚହଜାର ଅନୁସୂଚିତ ଜନଜାତି ବିସ୍ଥାପିତ ହେବେ। ଫଳରେ ସେମାନଙ୍କର ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ସେମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଅନୁସୂଚିତ ଜନଜାତି କମିସନ ଅଧ୍ୟକ୍ଷ ନନ୍ଦକୁମାର ସାଏ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଆଜି କମିସନ ଅଧ୍ୟକ୍ଷ ଶ୍ରୀ ସାଏ ଏବଂ କମିସନଙ୍କ ଅନ୍ୟ ସଦସ୍ୟମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୋଲାଭରମ୍‌ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଏହି ପ୍ରସଙ୍ଗ ନେଇ ସେ ଗଣମାଧ୍ୟମକୁ କହିଲେ ଯେ ପ୍ରଭାବିତ ଅନୁସୂଚିତ ଜନଜାତିମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ବା ପୁନର୍ବାସ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବିସ୍ଥାପିତ କରାଯିବନାହିଁ। ଏ ଦିଗରେ ପଦକ୍ଷେପ ନେବା ପାଇଁ ସେ ଉଦ୍ୟମ କରିବେ।

ଜାତୀୟ ଅନୁସୂଚିତ ଜନଜାତି କମିସନ ଅଧ୍ୟକ୍ଷ ଓ ତାଙ୍କ ପ୍ରତିନିଧି ଦଳ ଚାରିଦିନିଆ ଓଡ଼ିଶା ଗସ୍ତ ସାରି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସାକ୍ଷାତ ଆଲୋଚନା କରିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ପୋଲାଭରମ୍‌ ପ୍ରକଳ୍ପ, ରାଉରକେଲା ଇସ୍ପାତ କାରଖାନା, ମହାନଦୀ କୋଇଲା ଖଣି, ବେଦାନ୍ତ ଆଲୁମିନା, ଜଙ୍ଗଲ ଅଧିକାର ଆଇନ ଆଦି ପ୍ରସଙ୍ଗ ସଂପର୍କରେ ଅଧ୍ୟକ୍ଷ ଶ୍ରୀ ସାଏ ମତ ରଖିଥିଲେ। ପୋଲାଭରମ ପ୍ରକଳ୍ପ ଯୋଗୁଁ ସଂପୃକ୍ତ ଅନୁସୂଚିତ ଜନଜାତିମାନେ ବିସ୍ଥାପିତ ହେବା ନେଇ କମିସନ ଶ୍ରୀ ସାଏ କହିଲେ ଯେ ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତିି। ପ୍ରଭାବିତ ଅନୁସୂଚିତ ଜନଜାତିମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଯେପରି ସେମାନଙ୍କୁ ବିସ୍ଥାପିତ କରାଯିବନାହିଁ ସେ ନେଇ ସେ ଉଦ୍ୟମ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ଆଲୋଚନା ଅବସରରେ ସେ(ମୁଖ୍ୟମନ୍ତ୍ରୀ) ମଧ୍ୟ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରସଙ୍ଗରେ ସେ ସଂପୃକ୍ତ ମନ୍ତ୍ରାଳୟ ସହିତ ଆଲୋଚନା କରିବେ। ଏହି ପ୍ରସଙ୍ଗରେ କେନ୍ଦ୍ର ଅନୁସୂଚିତ ଜନଜାତି ମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କ ବିବାଦୀୟ ମନ୍ତବ୍ୟ ସଂପର୍କରେ ସେ କହିଲେ ଯେ ସେ(ଜୁଏଲ୍‌) ବିରୋଧୀ ମନ୍ତବ୍ୟ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଆବଶ୍ୟକ ପଡ଼ିଲେ, ସେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୋଲାଭରମ୍‌ ପ୍ରକଳ୍ପ ସହିତ ପ୍ରଭାବିତ ସ୍ଥଳକୁ ପଠାଇବେ ବୋଲି ଶ୍ରୀ ସାଏ କହିଥିଲେ।

ରାଉରକେଲା ଇସ୍ପାତ କାରଖାନା ପାଇଁ ଅଧିଗୃହୀତ ଜମି ମଧ୍ୟରୁ ପ୍ରାୟ ପାଞ୍ଚହଜାର ଏକର ଜମି ବିନିଯୋଗ ହୋଇନାହିଁ ବୋଲି କମିସନ ଅଧ୍ୟକ୍ଷ ଦର୍ଶାଇଥିଲେ। ଏହି ବଳକା ଜମି ମୂଳ ମାଲିକ ତଥା ଅଧିବାସୀମାନଙ୍କୁ ଫେରାଇଦେବାକୁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥବା କହିଥିଲେ। ସୂଚନାଯୋଗ୍ୟ, ଇସ୍ପାତ କାରଖାନା ନିର୍ମାଣ ପାଇଁ ୧୯୫୦ ଦଶକରେ ପ୍ରାୟ ୧୯୭୦୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ସେଲ୍‌ କର୍ତୃପକ୍ଷ କାରଖାନା ଏବଂ ଶିଳ୍ପାଞ୍ଚଳ ନିମନ୍ତେ ପ୍ରାୟ ୧୫ ହଜାର ଏକର ଜମି ବ୍ୟବହାର କରି ଉଦ୍‌ବୃତ୍ତ ଜମି ରାଜ୍ୟ ସରକାରଙ୍କୁ ଫେରାଇ ଦେଇଛନ୍ତି। ମହାନଦୀ କୋଇଲା ଖଣି(ଏମ୍‌ସିଏଲ୍‌)ରେ ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲୀରେ ବିସ୍ଥାପିତଙ୍କ ପୁନର୍ବାସ ସମସ୍ୟା ରହିଥିବା କହିଥିଲେ କମିସନ ଅଧ୍ୟକ୍ଷ। ଏ ନେଇ ଆବଶ୍ୟକ ସ୍ଥଳେ ତଥ୍ୟ ଅନୁସନ୍ଧାନକାରୀ ଦଳ ସ୍ଥିତି ପରଖିବେ ବୋଲି ସେ କହିଥିଲେ। ବେଦାନ୍ତ କାରଖାନାର ଆସ୍‌-ପଣ୍ଡ ବାରମ୍ବାର ଭୁଶୁଡ଼ି ଆଖପାଖ ଜନବସତିକୁ ପ୍ରଭାବିତ କରୁଛି। ଏହା ଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମବାସୀମାନଙ୍କ ସ୍ଥାୟୀ ପୁନର୍ବାସ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନରେ ବ୍ୟକ୍ତିଗତ ଭାବେ ଜମି ପଟ୍ଟା ପ୍ରଦାନ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଗୋଷ୍ଠୀଗତ ଭାବେ ଜମି ପଟ୍ଟା ପ୍ରଦାନ ବ୍ୟବସ୍ଥା ତ୍ୱରାନ୍ଵିତ ହେବାର ଆବଶ୍ୟକତା ରହିଛି। ଲଘୁ ବନଜାତ ଦ୍ରବ୍ୟ କିଣାବିକା କ୍ଷେତ୍ରରେ କେନ୍ଦ୍ର ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ରାଜ୍ୟ ସରକାର ଲାଗୁ କରୁନାହାନ୍ତି। ଏହା ଲାଗୁ କଲେ, କ୍ଷତି ହେବ ବୋଲି ସରକାର ଯୁକ୍ତି କରୁଛନ୍ତି। ଏସବୁ ସାମଗ୍ରୀର ମୂଲ୍ୟ ବଢ଼ାଇଲେ, ଅନୁସୂଚିତ ଜନଜାତିମାନେ ଉପକୃତ ହେବେ ବୋଲି ଶ୍ରୀ ସାଏ କହିଥିଲେ। ରାଜ୍ୟରେ ଅନୁସୂଚିତ ଜନଜାତି ପିଲାଙ୍କ ପାଇଁ ପ୍ରାଥମିକ ଶିକ୍ଷାଦାନ ମଧ୍ୟ ସନ୍ତୋଷଜନକ ବୋଲି ସେ ପ୍ରକାଶ କରିଥିଲେ। ରାଜ୍ୟ ସରକାର ଜମି ବ୍ୟାଙ୍କ ପାଇଁ ଅନୁସୂଚିତ ଜନଜାତିଙ୍କ ଜମି ଗୋଚର ତଥା ବିଭିନ୍ନ ଆଳରେ ଅକ୍ତିଆର କରୁଛନ୍ତି। ଏଥିପାଇଁ ଗ୍ରାମସଭାର ଅନୁମୋଦନ ନେବାର ଆବଶ୍ୟକତା ରହିଛି। ଅନୁସୂଚିତ ଜନଜାତିଙ୍କ ପାଇଁ କେନ୍ଦ୍ର ଦେଉଥିବା ଅନୁଦାନ ରାଜ୍ୟ ଖର୍ଚ କରିପାରୁନଥିବା ସେ ଦର୍ଶାଇଥିଲେ। କେନ୍ଦ୍ର ସରକାର ବର୍ଷର ଫେବ୍ରୁଆରି କି ମାର୍ଚ ମାସରେ ଅନୁଦାନ ପ୍ରଦାନ କରୁଥିବାରୁ ରାଜ୍ୟ ସେହି ଅର୍ଥ କିପରି ଖର୍ଚ କରିପାରିବ ବୋଲି ଓଲଟା ପ୍ରଶ୍ନ ପଚରାଯାଇଥିଲା। ଏ ନେଇ କମିସନ ଅଧ୍ୟକ୍ଷ କହିଥିଲେ ଯେ ଗତ ତିନିବର୍ଷ ଧରି ରାଜ୍ୟ ସରକାର ଅନୁଦାନ ଖର୍ଚର ବିନିଯୋଗ ରାଶି(ୟୁସି) ଦେଇପାରିନାହାନ୍ତି।

ସମ୍ବନ୍ଧିତ ଖବର