ନବୀନ ଅଷ୍ଟମଥର ପାଇଁ ବିଜେଡି ସଭାପତିି, ଦଳୀୟ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ

୨୬ ତାରିଖରେ ଔପଚାରିକ ଘୋଷଣା, ୮୦ଜଣଙ୍କୁ କାର୍ଯ୍ୟକାରିଣୀ ପାଇଁ ବଛାଗଲା

ଭୁବନେଶ୍ବର : ବିଜେଡି ନିର୍ବାଚନ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ରାଜ୍ୟ ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିେଜଡି ମୁଖିଆ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ ଅମାତ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ୧୦ ଜଣ ଏହି ନାମାଙ୍କନ ପତ୍ରରେ ପ୍ରସ୍ତାବକ ଥିଲେ। ଯେହେତୁ ଏହି ପଦ ପାଇଁ ନବୀନ ଏକମାତ୍ର ଦାବିଦାର, ଏଣୁ ଆସନ୍ତା ୨୬ ତାରିଖ ଦିନ ଔପଚାରିକତା କ୍ରମେ ଲଗାତର ଅଷ୍ଟମ ଥର ପାଇଁ ବିଜେଡି ନିର୍ବାଚନ ଅଧିକାରୀ ତାଙ୍କ ନାମ ଘୋଷଣା କରିବେ।

କେବଳ ସେତିକି ନୁହେଁ, ଇତିମଧ୍ୟରେ ବିଜେଡି ରାଜ୍ୟ ପରିଷଦ ଗଠନ ହୋଇସାରିଛି। ଏଣୁ ୩୫୫ ସଦସ୍ୟ ବିଶିଷ୍ଟ ଏହି ପରିଷଦରୁ ଆଜି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମଧ୍ୟ ୮୦ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଯାଞ୍ଚ, ୨୫ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଅତଏବ ଆସନ୍ତା ୨୬ ତାରିଖ ଦିନ ନବୀନଙ୍କ ସମେତ ବାକି ୮୦ଜଣ ସଦସ୍ୟଙ୍କ ନାମ େଘାଷଣା ମଧ୍ୟ କେବଳ ଏକ ଔପଚାରିକତାର ଅଂଶବିଶେଷ ବୋଲି କୁହାଯାଇପାରେ।

ଆଜି ସକାଳ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଆସି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦଳର ଛାମୁଆ ନେତାଙ୍କ ଗହଣରେ ନବୀନ ନାମାଙ୍କନପତ୍ର ଦାଖଲ କରିଥିଲେ ଓ ପ୍ରତାପ କେଶରୀ ଦେବ ତାଙ୍କଠାରୁ ଏହା ଗ୍ରହଣ କରିଥିଲେ। ଦଳର ସାଂଗଠନିକ ନିର୍ବାଚନର ଏହି ଅନ୍ତିମ ପର୍ଯ୍ୟାୟ ଲାଗି ଆଜି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ଼ େଦଖାଯାଇଥିଲା। ଦଳର ବହୁ ସାଂସଦ, ବିଧାୟକ, ଛାମୁଆ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଘୋଷଣା କରାଯାଇଥିଲା।

୧୯୯୭ରେ ବିଜେଡି ଗଠନ ହେବା ପରଠାରୁ ନବୀନ ଦଳର ରାଜ୍ୟ ସଭାପତି ଭାବେ ରହି ଆସିଛନ୍ତି। ଏ ମଧ୍ୟରେ ଦଳ ସାମ୍ନା କରିଥିବା ସମସ୍ତ ପ୍ରମୁଖ ନିର୍ବାଚନରେ ତାଙ୍କୁ ସଫଳତା ମିଳିଛି। କେବଳ ସେତିକି ନୁହେଁ, ଦଳରେ ତାଙ୍କ ନେତୃତ୍ବ ବିରୋଧରେ କୌଣସି ଶକ୍ତି ଏଯାଏ ମୁଣ୍ଡ ଟେକିନାହାନ୍ତି। ବରଂ ତାଙ୍କ ଗ୍ରହଣୀୟତା ଦଳ ବାହାରେ ବଢ଼ିଛି ଓ ଦଳ ଭିତରେ ବି। ଦଳରୁ ଯେଉଁ ନେତାମାନେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଦା ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ କୌଣସି ବିକଳ୍ପ ନ ପାଇ ଫେରିଛନ୍ତି ଏବଂ ଆଉ କେତେଜଣ ରାଜ୍ୟ ରାଜନୀତିରେ ପ୍ରାସଙ୍ଗିକତା ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେଡି ରାଜ୍ୟ ପରିଷଦରେ ମୋଟ ୩୫୫ ଜଣ ସଭ୍ୟଙ୍କ ମଧ୍ୟରୁ ୧୫୦ ଜଣ ମନୋନୀତ ସଭ୍ୟ ଅଛନ୍ତି। ଏହା ବ୍ୟତୀତ ଦଳର ସମସ୍ତ ବିଧାୟକ, ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଏବଂ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କୁ ଏହି ପରିଷଦର ସଭ୍ୟଭାବେ ନିଆଯାଇଛି।

ସମ୍ବନ୍ଧିତ ଖବର