ବିଜୁବାବୁଙ୍କର ସେଦିନର ସାନ ପିଲା ‘ନୂଆପଡା’ ଆଜି ବଡ଼ ହୋଇଛି, ସଶକ୍ତ ହୋଇଛି ଓ ସବୁଜ ହୋଇଛି : ମୁଖ୍ୟମନ୍ତ୍ରୀ

ନୂଆପଡା: ଖଡ଼ିଆଳ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ନୂଆପଡାକୁ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ସ୍ୱାଧୀନତା ସଂଗ୍ରାମରେ ମା’ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ନୂଆପଡାରେ ଶିଶୁ ମୃତ୍ୟୁହାର ବହୁତ କମିଛି । ମା’ ମାନଙ୍କ ଜୀବନ ବଞ୍ଚାଇବାରେ ନୂଆପଡା ବେଶ ବଡ଼ ଭୂମିକା ଗ୍ରହଣ କରିଛି । ଏକହଜାରରୁ ଅଧିକ ଫ୍ଲୋରାଇଡ ପ୍ଲାଣ୍ଟ ସ୍ଥାପନ କରାଯାଇଛି।

ନୂଆପଡାରେ ୧ ଲକ୍ଷ ପରିବାର ପାଇପ ପାଣି ପିଉଛନ୍ତି । ମାଇଲ ମାଇଲ ଯାଇ ପାଣି ଆଣିବା ମୋତେ ବେଶ ଦୁଃଖ ଦେଇଥିଲା । ତେଣୁ ମୋର ଲକ୍ଷ୍ୟ ୨୦୨୨ ସୁଦ୍ଧା ସବୁ ପରିବାରକୁ ପାଇପ ପାଣି ମିଳିବ, ନୂଆପଡା ଆଜି ସବୁଜିମାରେ ପରିଣତ ହୋଇଛି । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ସାଇନ୍ସ ପାର୍କ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେବଳ ଏତିକି ନୁହେଁ, ଭେଲାର ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ସ୍ମାରକୀ ନିର୍ମାଣ କରାଯିବ । ୧୯୯୩ରେ ବିଜୁବାବୁ ନୂଆପଡାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କରିଥିଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡ଼ିଶା ମା’ର ସବୁଠାରୁ ସାନ ପିଲା । ସବୁ ବାପା ମା’ ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି,ମୁଁ ମଧ୍ୟ ସେପରି ନୂଆପଡ଼ାକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି।”

ବିଜୁ ଏକ୍ସପ୍ରେସ ୱେରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି । ଏବେ ମୁଁ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଆସିବି । ଏ ପ୍ରକଳ୍ପ ସାରା ରାଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।ଆପଣମାନଙ୍କ ତ୍ୟାଗ ପାଇଁ ନୂଆପଡାର କୋମନା, ଖଡିଆଳ ଓ ବଲାଙ୍ଗିରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ।

ଆପଣ ଜାଣନ୍ତି ନୂଆପଡାରେ ୨୨୦ କୋଟି ଟଙ୍କାର ବୃହତ ଉଠାଜଳସେଚନ ପ୍ରକଳ୍ପ ଏ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ୱାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମିକୁ ପାଣି ମିଳିପାରିବ । ଏଥିପାଇଁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଁ ଘୋଷଣା କରୁଛି।
ବିଜୁବାବୁଙ୍କର ସେଦିନର ସାନ ପିଲା ‘‘ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡାରେ ବିକାଶର ଏ ଧାରା ଆହୁରି ଆଗକୁ ବଢ଼ିବ।

ସମ୍ବନ୍ଧିତ ଖବର