ଭୁବନେଶ୍ୱର/ବାଲେଶ୍ବର : ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଟୁଇଟ୍ କରି ନିଜେ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାନ୍ତ ସିଂହଙ୍କ ସହିତ କଥା ହୋଇ ତାଙ୍କର ଆଶୁ ଅରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ମୋର କ୍ୟାବିନେଟ୍ ସହଯୋଗୀ ସୁଶାନ୍ତ ସିଂ କରୋନା ପଜିଟିଭ୍ ଚିହ୍ନଟ ହେବା ନେଇ ମୁଁ ଚିନ୍ତିତ। ତାଙ୍କ ସହିତ କଥା ହେଲି ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।
Concerned to know that my cabinet colleague Susanta Singh has tested positive for #COVID19. Spoke with him to know about his wellbeing and wished him speedy recovery.
— Naveen Patnaik (@Naveen_Odisha) August 17, 2020
ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ସୁସ୍ଥ ଥିବା ସହ ହୋମ କ୍ୱାରେଣ୍ଟିନରେ ରହିଥିବା ଟ୍ୱିଟ କରି ଜଣେଇଛନ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ସଂଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
I have tested positive for Corona and I am stable now. Those who have came in contact with me recently are requested to stay isolated and get tested.
— Susanta Singh (@SusantaSingh11) August 17, 2020
ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଅଗଷ୍ଟ ୧୫ ତାରିଖରେ ବାଲେଶ୍ୱରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସେ ନିଜ ଉଦବୋଧନ ଦେବା ସହ ପରେଡ଼ ଗ୍ରାଉଣ୍ଡରେ ସମାରୋହକୁ ନିମନ୍ତ୍ରିତ ୨୫ ଜଣ କୋଭିଡ ଯୋଦ୍ଧାଙ୍କୁ ଭେଟି ତାଙ୍କ ସହ କଥା ହୋଇଥିଲେ। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଅତି ନିକଟରୁ ମନ୍ତ୍ରୀଙ୍କ ସାକ୍ଷାତକାର ନେଇଥିଲେ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଏସପି ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ପିଡି-ଡିଆରଡିଏ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରବେଶନର ଅନନ୍ୟା ଦାସ, ଏପିଡି ନିଲୁ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଭାରପ୍ରାପ୍ତ ଅଧିକାରୀ ଦୀପକ କୁମାର ସାହୁ ପ୍ରମୁଖ ସେଠାରେ ଉପସ୍ଥିତ ରହିବା ସହ ମନ୍ତ୍ରୀଙ୍କ ନିକଟତର ହୋଇଥିଲେ।
ଏହି କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ସିଂ ରେମୁଣା ଗସ୍ତରେ ଯାଇଥିବା ବେଳେ ସେଦିନ ସହରର କିଛି ଶ୍ରମିକନେତା ମାନେ ମଧ୍ୟ ତାଙ୍କୁ ଭେଟି ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ସେ କିପରି ଏବଂ କାହା ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି ତାହା ଜଣା ପଡ଼ିନାହିଁ। ତେବେ ଓଡ଼ିଶାର ପ୍ରଥମ ମନ୍ତ୍ରୀ ଭାବେ ଶ୍ରୀ ସିଂ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି।