ବରଗଡ଼/ଥୁଆପାଲି/ପଦ୍ମପୁର : ଭେଡ଼େନ ବ୍ଲକ ବାନିପାଲି ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବରଗଡ଼ ଜିଲ୍ଲାରେ ନିଜ ପ୍ରଥମ ନିର୍ବାଚନୀ ସଭାରେ ଯୋଗଦେଇ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଚାଷୀ ଏବଂ ଭାଷା ମାମଲାରେ କେନ୍ଦ୍ର ସରକାର ଧୋକା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଭିଯୋଗ କରି କହିଲେ, ୨୦୧୪ ନିର୍ବାଚନ ଇସ୍ତହାରରେ ଚାଷୀଙ୍କ ଆୟ ଦୁଇଗୁଣା ବୃଦ୍ଧି କରିବାକୁ ବିଜେପି ଏଜେଣ୍ଡାରେ ରଖିଥିଲା। କିନ୍ତୁ ଏଯାଏଁ ବିଜେପି ସରକାର ନିଜ ପ୍ରତିଶ୍ରୁତି ପାଳନ କରିନାହିଁ। ବିଧାନସଭା ଗୃହ କମିଟି ଧାନର ଏମ୍ଏସ୍ପି ବୃଦ୍ଧି ପାଇଁ ମୋଦୀ ସରକାରଙ୍କୁ ନିବେଦନ କରିଥିଲା। ବ୍ୟକ୍ତିଗତ ଭାବେ ମୁଁ ବି ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି କରିଥିଲି, ହେଲେ କିଛି ଲାଭ ମିଳିଲାନି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ।
ସେହିପରି ପଶ୍ଚିମ ଓଡ଼ିଶାର ଭାଷାକୁ ସମ୍ବିଧାନିକ ମାନ୍ୟତା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକ୍ରିୟାରେ ବାରମ୍ବାର ଦାବି ଉଠାଇଛନ୍ତି। ହେଲେ ଏହାକୁ ବି କେନ୍ଦ୍ର ବିଜେପି ସରକାର ନଜର ଅନ୍ଦାଜ କରିଛି। ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ କେନ୍ଦ୍ର ସରକାର ଅରାଜି। ହେଲେ ବିଜେଡି ପୁନର୍ବାର କ୍ଷମତାକୁ ଆସିଲେ ପ୍ରଥମ ଦିନ ହିଁ ଚାଷୀଙ୍କୁ କାଳିଆ ଯୋଜନାରେ ଦୁଇ କିସ୍ତିର ଟଙ୍କା ଜମା ଦେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାବାଦ ସେ ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅତାବିରା ବିଧାନସଭାମଣ୍ଡଳୀ ପ୍ରାର୍ଥୀ ସ୍ନେହାଂଗିନୀ ଛୁରିଆଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଜନତାଙ୍କୁ ନିବେଦନ କରିଥିଲେ। ସେହିପରି ପଦ୍ମପୁର ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବିଜୟରଂଜନ ସିଂ ବରିହାଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ ଦେଇଥିଲେ। ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ, ସୁବାସ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/SBPHO15-BRG.jpg)