ନବୀନଙ୍କ ଟାର୍ଗେଟରେ ମୋଦୀ, ରାହୁଲ : ପୁଣି ପ୍ରଧାନମନ୍ତ୍ରୀ ହେବାକୁ ମୋଦୀ ଯୋଗ୍ୟ ନୁହନ୍ତି, ରାହୁଲଙ୍କୁ ଆହୁରି ପରିପକ୍ବ ହେବାକୁ ପଡ଼ିବ

ଭୁବନେଶ୍ବର : ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ନରେନ୍ଦ୍ର ମୋଦୀ ଯୋଗ୍ୟ ନୁହନ୍ତି।

ମୋଦୀଙ୍କ ଉପରେ ଏମିତି ସିଧାସଳଖ ଆକ୍ରମଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ‘ମୋଦୀ ମ୍ୟାଜିକ୍‌’ ଉପରେ ରାଜ୍ୟ ବିଜେପି ଭରସା କରିଥିଲା ବେଳେ ମୋଦୀଙ୍କୁ ଟାର୍ଗେଟ୍‌ କରି ନବୀନ ବିଜେପିର ମନୋବଳ ଖସାଇବାକୁ ଉଦ୍ୟମ କରିଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଏକ ଜାତୀୟ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ବେଳେ ନବୀନ କହିଛନ୍ତି, ‘ମୋଦୀ ଦେଇଥିବା ପ୍ରତିଶ୍ରୁତି ରଖି ନାହାନ୍ତି। ‌ନିଯୁକ୍ତି, ଜଳସେଚନ, ରେଳ, ରାସ୍ତା ଆଦି କ୍ଷେତ୍ରରେ ନିଜ ପ୍ରତିଶ୍ରୁତି ପୂରଣ କରିବାରେ ସେ ବିଫଳ। ତେଣୁ ସେ ଦ୍ବିତୀୟ ପାଳି ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବୋଲି ମୁଁ ଭାବୁ ନାହିଁ।’ ମୋଦୀଙ୍କ ସମାଲୋଚନା କରିବା ସହ ବାଜେପୟୀଙ୍କୁ ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିବାକୁ ଭୁଲି ନାହାନ୍ତି ନବୀନ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ବିକଳ୍ପ ଭାବେ ବି ନବୀନ ଉପସ୍ଥାପନ କରି ନାହାନ୍ତି। ସେ କହିଛନ୍ତି, ତାଙ୍କୁ ଆହୁରି ପରିପକ୍ବ ହେବାକୁ ପଡ଼ିବ। ତାଙ୍କୁ ନିର୍ଦ୍ଦିଷ୍ଟ ଗୋଟିଏ ରାଜ୍ୟରେ ଫୋକସ୍ କରିବାକୁ ପଡ଼ିବ ଓ କିଛି ବର୍ଷ ପାଇଁ ସେହି ଅଞ୍ଚଳରେ କାମ କରିବାକୁ ପଡ଼ିବ।

ନିର୍ବାଚନ ପରେ କେନ୍ଦ୍ରରେ କେଉଁ ଦଳକୁ ସମର୍ଥନ କରିବେ ବୋଲି ପ୍ରଶ୍ନରେ ନବୀନ କହିଛନ୍ତି, ‘ଓଡ଼ିଶାର ଦାବିକୁ ଯିଏ ସମର୍ଥନ କରିବ, ଆମେ ତା’କୁ ସମର୍ଥନ କରିବୁ।’ ଏହା ସହ ନିର୍ବାଚନରେ ବିଜେଡି ବହୁତ ଭଲ କରିବ ବୋଲି ନବୀନ ପୁଣି ଥରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର