କେନ୍ଦ୍ରକୁ ତୀର ମାରିଲେ ନବୀନ : ରୋଗ କ’ଣ ବିପିଏଲ୍‌ କାର୍ଡ ଦେଖି ଆସେ?

ପଦଯାତ୍ରାରେ ‘ଆୟୁଷ୍ମାନ’ ଯୋଜନାକୁ ଟା‌ର୍ଗେଟ, ଓଡ଼ିଶାବାସୀଙ୍କ ସହ ରାଜ୍ୟ ସରକାର ଅଛନ୍ତି

ଭୁବନେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନା ମଧ୍ୟରୁ କିଏ କେତେ ଲାଭଦାୟକ ଏହାକୁ ନେଇ ବିତର୍କ ମୁଣ୍ଡ ଟେକିଛି। ଏମିତି ଏକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ବାଣ ମାରିଛନ୍ତି। କାହାର ନାମ ନ ଧରି କେନ୍ଦ୍ର ସରକାରଙ୍କୁ ଟାେର୍ଗଟ କରିଛନ୍ତି ନବୀନ। କହିଛନ୍ତି, ରୋଗ କ’ଣ ବିପିଏଲ୍‌ କାର୍ଡ ଦେଖି ଆସେ? ଦୁର୍ଘଟଣା କ’ଣ ବିପିଏଲ୍‌ କାର୍ଡ ଦେଖି ଆସେ? ଯାହାର ବିପିଏଲ୍‌ କାର୍ଡ ନାହିଁ ସେ କ’ଣ କରିବ?

କେବଳ ସେତିକି ନୁେହଁ, ଆୟୁଷ୍ମାନ’ରେ କେବଳ ବିପିଏଲ୍‌ କାର୍ଡଧାରୀ ସୁବିଧା ପାଇବେ। କିନ୍ତୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ। ରାଜ୍ୟ ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ। ଓଡ଼ିଶାର ଲୋକ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏହି ସୁବିଧା ହାସଲ କରିବେ। ଓଡ଼ିଶାବାସୀଙ୍କ ପାଇଁ ରାଜ୍ୟ ସରକାର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆଜି ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଆଜି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।

ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ତଳୀରେ ଅନୁଷ୍ଠିତ ପଦଯାତ୍ରାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିେଲ। କହିଥିେଲ, ଆମେ ସବୁବେଳେ ଲୋକଙ୍କ ସହ ରହିଛୁ। କାମ କରୁଛୁ। ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ମୁଁ ସବୁବେଳେ ଖାଦ୍ୟ ସୁରକ୍ଷା, ଘର, ସ୍ବାସ୍ଥ୍ୟ ଓ ସାମାଜିକ ନିରାପତ୍ତା ଉପରେ ଗୁରୁତ୍ବ ଦେଉଛି। ଭାରତ ସରକାରଙ୍କ ନିୟମରେ ବହୁ ଗରିବ ଲୋକ ଖାଦ୍ୟ ସୁରକ୍ଷା, ଘର, ସ୍ବାସ୍ଥ୍ୟ ଓ ସାମାଜିକ ନିରାପତ୍ତାରୁ ବଞ୍ଚିତ ହେଲେ। ଯାହାକି ମୋତେ ବହୁତ ବାଧିଲା। ତେଣୁ ଆପଣମାନଙ୍କ ଟଙ୍କାରେ ଆମେ ଆରମ୍ଭ କଲୁ ବିଜୁ ପକ୍କା ଘର, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ମଧୁବାବୁ ପେନ୍‌ସନ୍‌ ପରି ଆହୁରି ଅନେକ ସାମାଜିକ ନିରାପତ୍ତା ଯୋଜନା।

ମୁଖ୍ୟମନ୍ତ୍ରୀ ଆହୁରି କହିଥିେଲ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ପଦକ୍ଷେପ। ବିପିଏଲ୍‌ଙ୍କଠାରୁ ଆରମ୍ଭ କରି ଏପିଏଲ୍‌ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସୁବିଧା ପାଇବେ। ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ପଦକ୍ଷେପ ନେଇଛୁ। ସେମାନଙ୍କ ପାଇଁ ହାଉସି˚ ପ୍ରୋଜେକ୍ଟ କରାଯାଇଛି। ସମସ୍ତଙ୍କ ବିକାଶ ବିଜେଡିର ଲକ୍ଷ୍ୟ ବୋଲି ନବୀନ କହିଥିେଲ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସ˚ସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା, ବିଧାୟକ ବିଜୟ କୁମାର ମହାନ୍ତି, ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ତଳୀର ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବାଶିଷ ନାୟକ, ଭୁବନେଶ୍ବର ସା˚ସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର ସଭା ପରିଚାଳନା କରିବା ସହ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ତଳୀର ବିକାଶ ଦିଗରେ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଯୁବ ନେତା ବଳରାମ ମହାନ୍ତି, ଯୋଗେଶ୍ବର ପରିଡ଼ା, ଆକାଶ ଦୋରା, ପୁପୁନ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ବିଏମ୍‌ସି ୯ ନମ୍ବର ଵାର୍ଡ କର୍ପୋରେଟର ସୂର୍ଯ୍ୟକାନ୍ତି ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

‘ଆୟୁଷ୍ମାନ’ ଯୋଜନାରେ ଓଡ଼ିଶା ସାମିଲ ହୋଇ ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ସମାଲୋଚନା କରୁଛନ୍ତି। ଏହାକୁ େନଇ ଗତ ଦୁଇ ମାସ ଧରି େକନ୍ଦ୍ର-ରାଜ୍ୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏହି େଯାଜନାରେ ଆଉ କିଛି ନୂଆ ପଦକ୍ଷେପ େନଇଥିେଲ। ତା ସତ୍ତ୍ବେ ଏହି କାର୍ଯ୍ୟକ୍ରମକୁ େନଇ ବିେଜଡି-ବିେଜପି ମଧ୍ୟରେ ବିତର୍କ େଜାର ଧରିଥିଲା।

ସମ୍ବନ୍ଧିତ ଖବର