ବଦଳୁଛନ୍ତି ନବୀନ!

ଭୁବନେଶ୍ୱର : ସଂପର୍କ ଏତେ ନିବିଡ଼ ଥିଲା ଯେ ରାଜ୍ୟ ସ୍ୱାର୍ଥକୁ ଏଡ଼ାଇ ଯାଇ କଥା କଥାକେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ସାଂସଦଙ୍କ ଆପତ୍ତି ବି କାମ କରୁନଥିଲା। ହେଲେ ବିଜେପିର ଓଡ଼ିଶା ଦଖଲ ଅଭିଯାନର ତୀବ୍ରତା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଅନୁଭବ କରି ଶେଷରେ ନବୀନ ପାଲଟା ଗୋଟିଚାଳନା ଆରମ୍ଭ କରିଛନ୍ତି। ଅତ୍ୟନ୍ତ ନରମ ମନୋଭାବ ପୋଷଣ କରୁଥିବା ନବୀନ ଧୀରେ ଧୀରେ ବିଜେପି ପ୍ରତି କଡ଼ା ଭାଷା ପ୍ରୟୋଗ କରିବା ଆରମ୍ଭ କଲେଣି। ତାଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ବାରି ହୋଇପଡୁଛି। ତଥାପି କାହିଁକି କେଜାଣି ଏଯାଏଁ ବିଜେପି ବା ସେ ଦଳର ନେତାଙ୍କ ନାଁ ନବୀନ ସିଧାସଳଖ ଧରିନାହାନ୍ତି, ବୁଲେଇ ବଙ୍କେଇ ଗର୍ଜୁଛନ୍ତି।

ନବୀନଙ୍କ ଏହି ପରିବର୍ତିତ ରଣନୀତି ବିଜେଡି ପଦଯାତ୍ରା ସମୟରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। କର୍ମୀ ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି, ନେତାମାନେ ବି। ପଦଯାତ୍ରା ଶୁଭାରମ୍ଭ କରିବା ଅବସରରେ ଗତ ୨ ତାରିଖ ଦିନ ବିଜେପି ଉଦ୍ଦେଶ୍ୟରେ ନବୀନ କହିଥିଲେ, ବର୍ତ୍ତମାନ କିଛି ଦଳ ଓଡ଼ିଶା ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି। ସେମାନେ ଶୂନ୍ୟରେ ମହଲ ତୋଳୁଛନ୍ତି। ଓଡ଼ିଶାବାସୀ ସବୁବେଳେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି। ସେମାନଙ୍କ ସହ କେବେ ନଥିଲେ, ରହି ନାହାନ୍ତି କି ଆଗକୁ ମଧ୍ୟ ରହିବେ ନାହିଁ।

ଆଜି ପୁଣିଥରେ କହିଛନ୍ତି, ଓଡିଶା ବିକାଶ ମଡେଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି। ମାତ୍ର ଜାତୀୟ ରାଜନୈତିକ ଦଳ ଓଡ଼ିଶାକୁ ବାରମ୍ବାର ନିରାଶ କରିଛନ୍ତି। ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରି ଦଳୀୟ ସ୍ୱାର୍ଥରେ କାମ କରୁଛନ୍ତି। ବିକାଶର ନକଲି ଚିତ୍ରକୁ ପ୍ରଦର୍ଶିତ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି, ଭୁଆଁ ବୁଲାଉଛନ୍ତି। ଓଡ଼ିଶାବାସୀ ସେମାନଙ୍କ ମିଛକୁ କେବେ ବି ଗ୍ରହଣ କରି ନାହାନ୍ତି, ଆଗକୁ ମଧ୍ୟ ଗ୍ରହଣ କରିବେ ନାହିଁ।

ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଲିଆ ସାହିରେ ଆୟୋଜିତ ପଦଯାତ୍ରାରେ ନବୀନ ଦେଇଥିବା ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ନବୀନଙ୍କ ଏଭଳି ଆଭିମୁଖ୍ୟର ପ୍ରତିଜବାବ ବିଜେପି ଓ କେନ୍ଦ୍ର ସରକାର କିଭଳି ଢଙ୍ଗରେ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ଆଜିର ଏହି ପଦଯାତ୍ରାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଦଳର ଶହ ଶହ କର୍ମୀ ସାମିଲ ହୋଇଥିଲେ। ଏମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ସପ୍ତମ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ପଦଯାତ୍ରା ବେଶ୍‌ ଭଲ ଭାବରେ ଚାଲିଛି। ବିଜୁବାବୁଙ୍କ ଆଦର୍ଶରେ ଗଠିତ ବିଜେଡି ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ପ୍ରତିଶ୍ରୁତିବଦ୍ଧ।

ବିଜେଡି ଓଡ଼ିଶାର ବିକାଶରେ ଯେଉଁ ନୂଆ ଯୁଗ ଆଣିଛି, ତାକୁ ଆହୁରି ଜୋରଦାର କରିବା ପାଇଁ କର୍ମୀଙ୍କୁ ପ୍ରବର୍ତାଇବା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ, ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ଜମି ଅଧିଗ୍ରହଣ ଅଧିକାର ଦେବା ପାଇଁ ସରକାର କାମ ଆରମ୍ଭ କରିଛି। ଏକ ଆଞ୍ଚଳିକ ଦଳ ଭାବରେ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରୟାସ ଜାରି ରହିଛି। ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଉଦ୍ୟମ ନିଶ୍ଚୟ ସଫଳ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। କର୍ମୀମାନଙ୍କୁ ନବୀନ କହିଥିଲେ, ସେମାନେ ଲୋକଙ୍କ ସାଥୀରେ ରୁହନ୍ତୁ। ସେମାନଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତୁ। ଓଡ଼ିଶାର ଜନସାଧାରଣଙ୍କ ସହଯୋଗ ଓ ସମର୍ଥନରେ ବିକାଶ ଯାତ୍ରା ଜାରି ରହିବ।
ରାଜନୈତିକ ମହଲ ନବୀନଙ୍କ ଏହି ପରିବର୍ତିତ ରଣନୀତିକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ଆରମ୍ଭ କଲେଣି।

ଗୋଟିଏ ଗୋଷ୍ଠୀର ମତ ହେଉଛି, ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ବଡ଼ଭାଇପଣିଆ ଖାତିର୍‌ରେ ଯେମିତି ଢଙ୍ଗରେ ବିଜେପି ପ୍ରତି ଆଭିମୁଖ୍ୟ ପୋଷଣ କରିଥିଲା, ଏବେ ବିଜେପି ତାର ପ୍ରତିଶୋଧ ନେବା ଲାଗି ବାଟ ଖୋଜୁଛି। ବିଜେଡି ଏଥିରେ ଫସିଛି। ବିଜେଡିକୁ ଆୟୂଧ କରି ସଂସଦରେ ବିଜେପି ସରକାର ଗୋଟିଏ ପରେ ଗୋଟିଏ ଫାଇଦା ଉଠାଇଛନ୍ତି। ବିମୁଦ୍ରାକରଣ ଓ ଜିଏସ୍‌ଟି ଠାରୁ ଆରମ୍ଭ କରି ବିଭିନ୍ନ ବିଲ୍‌ରେ ଆଖିବୁଜା ସମର୍ଥନ, ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଯାଏ ଅନେକ ସହଯୋଗ କରିଛି ବିଜେଡି। ସିବିଆଇ ଅସ୍ତ୍ର ପ୍ରୟୋଗ କରି ମୋଦି ସରକାର ଆରମ୍ଭରୁ ବିଜେଡିକୁ ଯେଭଳି ଆଘାତ ଦେଲେ, ସେଥିପାଇଁ ଏଭଳି ସମର୍ଥନ ବିଜେଡି ଦେଇପାରିଥାଏ। ମାତ୍ର ଏବେ ବିଜେପି ସରକାର ଆଉ ବିଜେଡିର ସହଯୋଗ ଦରକାର କରୁନାହାନ୍ତି। ଏଣୁ ବିଜେପି ତାର ଅସଲ ଉଦ୍ଦେଶ୍ୟ ପୂରଣ କରିବାକୁ ପାଗ ଭିଡିଛି।

ଅନ୍ୟ ଗୋଟିଏ ଗୋଷ୍ଠୀଙ୍କର କହିବା କଥା ହେଉଛି, ପଞ୍ଚାୟତ ନିର୍ବାଚନର ସଫଳତା କେନ୍ଦ୍ରୀୟ ବିଜେପି ନେତୃତ୍ୱ ଭିତରେ ଆଶା ଓ ଆତ୍ମବିଶ୍ୱାସ ସଞ୍ଚାର କରିଛି। ସେମାନେ ବିଚାର କରୁଛନ୍ତି ଯେ ଓଡ଼ିଶାରେ ବିଜେଡିକୁ ଦୁର୍ବଳ କରି ସରକାର ଗଠନ ପାଇଁ ରାସ୍ତା ଖୋଲିପାରିବେ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ଆଗକୁ କରିଛି। ସେ ଦୃଷ୍ଟିରୁ ପୂର୍ବରୁ ବିଜେଡି ପ୍ରତି ନରମ ମନୋଭାବ ପୋଷଣ କରୁଥିବା କେନ୍ଦ୍ର ସରକାର ଏବେ ଟିକିଏ ଗରମ ହେବା ସ୍ୱାଭାବିକ। ବିଜେଡି ବି ଏକଥା ବୁଝିଗଲାଣି। ଯେହେତୁ ରାଜ୍ୟରେ କଂଗ୍ରେସ ସ୍ଥିତି ସୁଧୁରିବା ସମ୍ଭାବନା କ୍ଷୀଣ ଦେଖାଯାଉଛି, ଏଣୁ ବିଜେଡି ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିବା ଛଡା ଅନ୍ୟ ବାଟ ନାହିଁ। ନବୀନଙ୍କ ମନ୍ତବ୍ୟ ତାର ଏକ ଝଲକ ବୋଲି ଏହି ମହଲର ମତ।

ଉଲ୍ଲେଖଯୋଗ୍ୟ, ଆଜି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇବା ସହିତ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର