ଆଉ ବାହାସ୍ଫୋଟ ଚଳିବନି : କଥାରେ ଦେଶ ନିର୍ମାଣ ହୁଏ ନାହିଁ, ଗୁଜରାଟ ମଡେଲ୍‌ ଗୁଜରାଟରେ ଫେଲ୍‌ ମାରିଲା, ୪ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ କାହିଁକି?

ଯାଜପୁର/ଭଦ୍ରକ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ପଞ୍ଜାବରେ ସବୁଠି ଡବଲ ଇଞ୍ଜିନ ଥିଲା। ହେଲା କ’ଣ? ବିଜେପି ଏ ସବୁ ରାଜ୍ୟରେ ହାରିଲା କାହିଁକି? ଗୁଜରାଟ ମଡେଲ୍‌ର ବହୁତ ପ୍ରଚାର କଲା ବିଜେପି। ଫଳାଫଳ କଣ ହେଲା? ଅଳ୍ପକେ ବର୍ତିଗଲା। ଗୁଜୁରାଟରେ ବିଧାନସଭା ଆସନ ସଂଖ୍ୟା ୧୮୨। ୨୦୧୭ ନିର୍ବାଚନରେ ବିେଜପି ମାତ୍ର ୯୯ ଆସନ ପାଇଲା କାହିଁକି? ହାରୁ ହାରୁ ଜିତିଗଲା।

ଏଭଳି ପ୍ରଶ୍ନ ପଚାରି ଆଜି ବିେଜଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେଇଛନ୍ତି। ଆଉ ପାଦେ ଆଗକୁ ଯାଇ ନବୀନ ଏଭଳି ଭବିଷ୍ୟବାଣୀ ବି କରିଛନ୍ତି ଯେ ସାରା ଦେଶରେ ଏଥର ବିଜେପି ହାରୁଛି।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରାପଡା ଓ ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଚରମବାଣୀ ଶୁଣାଇଥିଲେ। ଅନ୍ୟପଟରେ ବାଲେଶ୍ବର, ଭଦ୍ରକ, ଯାଜପୁରରେ ନବୀନ ପ୍ରତିଜବାବରେ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇନଥିଲେ ସତ, କିନ୍ତୁ ତାଚ୍ଛଲ୍ୟ କରି କହିଥିଲେ ଯେ କଥାେର ଦେଶ ନିର୍ମାଣ ହୁଏ ନାହିଁ। ଚାଷୀ ମହିଳା, ଯୁବକ ସମସ୍ତଙ୍କୁ ହତାଶ କରିଛି ବିେଜପି।

ବାଲେଶ୍ୱର ଓ ଭଦ୍ରକ ଓ ଯାଜପୁରରେ ବିଜେଡିର ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ନବୀନ କହିଥିଲେ, ଏଥର ବିଜେପିର କୌଣସି ବାହାସ୍ଫୋଟ କାମ ଦେବନାହିଁ। ୨୦୧୪ରେ ବିଜେପି ବହୁମତରେ ସରକାର ଗଠନ କଲା। ସରକାରଙ୍କୁ ନେଇ ଲୋକଙ୍କ ମନ‌େର ଅନେକ ଆଶା ଥିଲା। କିନ୍ତୁ ସେମାନଙ୍କ ଆଶା କେବଳ ଆଶାରେ ହିଁ ରହିଗଲା। ଗତ ୫ ବର୍ଷରେ ବିଜେପି ଲୋକଙ୍କ ବିଶ୍ୱାସ ହରାଇ ବସିଛି। କେନ୍ଦ୍ରର ବିଜେପି ସରକାର ନୋଟ୍ ବନ୍ଦୀ କଲେ।

ଏହାଦ୍ୱାରା ଗରିବ ଆହୁରି ଗରିବ ହୋଇଗଲା। ଜିଏସ୍‌ଟି ଲାଗୁ କଲେ। ଯୁବକ ରୋଜଗାର ହରାଇଲା। ଚାଷୀ ପାଇଁ ମଧ୍ୟ କିଛି କଲେନାହିଁ। ଏହି ସବୁ କାର୍ଯ୍ୟ ପାଇଁ ବିଜେପି ଉପରେ ଆଉ ଲୋକଙ୍କର ଭରସା ନାହିଁ। ତେଣୁ ଏଥର ନିର୍ବାଚନରେ ବିଜେପି ହାରିବାଟା ପକ୍କା ବୋଲି ଦୋହରାଇଥିଲେ ମୁଖ୍ୟମନ୍ତ୍ରୀ।

କିଛି ବର୍ଷ ହେଲା ବିଭିନ୍ନ ନିର୍ବାଚନରେ ବିଜେପି ପରାଜିତ ହୋଇଆସୁଛି େବାଲି ସୂଚାଇ ନବୀନ କହିଥିଲେ, ସରକାରଙ୍କ ବିଭିନ୍ନ ମନମୁଖି ନୀତିି କାରଣରୁ ଚାଷୀ, ମହିଳା, ଯୁବକ, ଏସ୍‌ସି/ଏସ୍‌ଟି, ଗରିବ, ସାଧାରଣ ଲୋକେ ସମସ୍ତେ ହତାଶ। କେବଳ କଥା‌ରେ ଦେଶ ନିର୍ମାଣ ହୁଏନାହିଁ। ଓଡ଼ିଶାରେ ଯେବେ ବି ପ୍ରାକୃତିକ ଦୁର୍ବିପାକ ହୋଇଛି, ସହାୟତା ପାଇଁ କେନ୍ଦ୍ର ଠିଆ ହୋଇନାହିଁ। ଫାଇଲିନ୍‌, ହୁଡ୍‌ହୁଡ୍‌ ଏବଂ ତିତ୍‌ଲି ଭଳି ବଡ଼ ଦୁର୍ବିପାକରେ କେନ୍ଦ୍ରରୁ କେହି ଆସିଲେ ନାହିଁ କି ରାଜ୍ୟବାସୀଙ୍କ ଭଲମନ୍ଦ କଥା ପଚାରି ବୁଝିଲେ ନାହିଁ। ଏବେ ନିର୍ବାଚନ ଋତୁ ଚାଲିଥିବାରୁ କେନ୍ଦ୍ରୀୟ ନେତାମାନେ ଭୋଟ୍‌ ଭ୍ରମଣରେ ଓଡ଼ିଶା ଧାଉଁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

କାଳିଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ୱାରା ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହୋଇସାରିଲେଣି। କିନ୍ତୁ କେନ୍ଦ୍ରର ବିେଜପି ସରକାର ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ। ବିଜେଡି ସରକାର ଗଠନର ପ୍ରଥମ ଦିନରେ ହିଁ ଦୁଇଟି କିସ୍ତିର କାଳିଆ ଟଙ୍କା ବାବଦରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। େକନ୍ଦ୍ର ସରକାର ଏ େକ୍ଷତ୍ରରେ ମାତ୍ର ପାଞ୍ଚ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରୁଛନ୍ତି। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର େବାଲି ଦର୍ଶାଇ ନବୀନ କହିଥିଲେ େଯ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସେମାନଙ୍କ ସେବା କରିବେ। ଏଥିସହିତ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ନିେବଦନ କରିଥିଲେ।

ମୁଖ୍ୟମନ୍ତ୍ରୀ ଯାଜପୁର ଅନ୍ତର୍ଗତ କୋରେଇର ପାଣିକୋଇଲି ଓ ସୁକିନ୍ଦାର ଡୁବୁରି କପିଳେଶ୍ୱର ମନ୍ଦିର ପଡିଆରେ ସାଧାରଣ ସଭା କରିଥିବା ବେଳେ ବଡ଼ଚଣାର ବାଲିଚନ୍ଦ୍ରପୁର ଠାରୁ ରୋଡସୋ କରିଥିଲେ। ସୁକିନ୍ଦା ସଭାରେ ବିଜେଡି ଉପ ସଭାପତି ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ସଭାପତିତ୍ୱ କରିିଥିଲେ। ପାଣିକୋଇଲି ସଭାରେ ବିଧାୟକ ପ୍ରାର୍ଥୀ ଅଶୋକ ବଳ ଓ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠାଙ୍କୁ ଜିତାଇବାକୁ ନବୀନ ନିବେଦନ କରିଥିଲେ। ସଭାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଉପସ୍ଥିତ ଥିଲେ।

ଖଇରା ବ୍ଲକ୍‌ ପତିରାଜପୁର ମେଳନ ପଡ଼ିଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ମୁଖ୍ୟମନ୍ତ୍ରୀ ଭଦ୍ରକ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ଖଇରା-ସିମୁଳିଆ ବିଧାୟକ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ନିର୍ବାଚିତ କରିବା ପାଇଁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ପ୍ରସାଦ ପାଢ଼ୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୌରାଙ୍ଗ ପାଢ଼ୀ, ବ୍ଲକ୍‌ ଅଧକ୍ଷା ଅଭିଲିପ୍ସା ସାହୁ, ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ଖଇରା ବ୍ଲକ ବିଜେଡି ସଭାପତି ବ୍ରଜକିଶୋର ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମକରି ବିଧାୟକଙ୍କ ପତ୍ନୀ ଭାରତୀ ପାଣିଗ୍ରାହୀ ଭୋଟରଙ୍କୁ ବିଧାୟକଙ୍କ ସପକ୍ଷରେ ଭୋଟଦେବା ପାଇଁ ନିବେଦନ କରିଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର