ନବୀନ ପାଇବେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରର ପୁନେ ସହରସ୍ଥିତ ଏମ୍‌ଆଇଟି-ଡବ୍ଲୁପିୟୁ ସରକାରୀ ଶିକ୍ଷାନୁଷ୍ଠାନରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ସମ୍ମାନିତ କରାଯିବ। କ୍ରାନ୍ତିକାରୀ ବିଚାରଧାରା, ସ୍ୱଚ୍ଛ ଶାସନ, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ, ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାର ପ୍ରତିଶ୍ରୁତିବଦ୍ଧତା ଏବଂ ବିଶ୍ୱସନୀୟତା ପାଇଁ ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ୍‌ ଓ ଏମ୍‌ଆଇଟି-ଡବ୍ଲୁପିୟୁ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ, ଏମ୍‌ଆଇଟି-ଡବ୍ଲୁପିୟୁ ଭାରତର ପ୍ରଥମ ଶିକ୍ଷାନୁଷ୍ଠାନ, ଯେଉଁଠାରେ ଯୁବଗୋଷ୍ଠୀଙ୍କୁ ରାଜନୀତିରେ କ୍ୟାରିଅର୍‌ ଗଢ଼ିବା ପାଇଁ ନେତୃତ୍ୱ ବିକାଶ ସଂପର୍କିତ ତାଲିମ୍‌ ପ୍ରଦାନ କରାଯାଇଥାଏ।

ବରିଷ୍ଠ ଗୀତିକାର ବୃନ୍ଦାବନ ଜେନା ପାଇବେ ‘କାଳିଦାସ ସମ୍ମାନ-୨୦୧୮’

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ବବକରପୁୁରସ୍ଥିତ କାଳିଦାସ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୨୨ ତାରିଖରେ ‘କାଳିଦାସ ମହୋତ୍ସବ-୨୦୧୮’ ଅନୁଷ୍ଠିତ ହେବ। କାଳିଦାସ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ଗୀତିକାର ବୃନ୍ଦାବନ ଜେନାଙ୍କୁ ‘କାଳିଦାସ ସମ୍ମାନ-୨୦୧୮’ ପ୍ରଦାନ କରାଯିବ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ଓ ସମ୍ପାଦକ ଅଧ୍ୟାପକ ବୀରବର ଜେନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର