ପରୀ ରଥକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ସାରା ରାଜ୍ୟରେ ଗଡ଼ିଲା ୧୫ ରଥ

ଭୁବନେଶ୍ୱର : ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢ଼ି ଚାଲିଥିବା ଯୌନ ନିର୍ଯାତନାକୁ ରୋକିବା ଓ ଲୋକଙ୍କୁ ସଚେତନ କରାଇବା ପାଇଁ ଓଡ଼ିଶା ପୁଲିସ ଓ ୟୁନିସେଫ୍‌ ପକ୍ଷରୁ ଆରମ୍ଭ କରାଯାଇଥିବା ମହା ଅଭିଯାନ ‘ପରୀ ରଥ’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ଏଜି ଛକ ସ୍ଥିତ ଟ୍ରାଫିକ୍‌ ଥାନା ପରିସରରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ଘଟୁଥିବା ଏଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ସମସ୍ତେ ସଚେତନ ହେଲେ ନିରୀହ ଶିଶୁମାନେ ସୁରକ୍ଷିତ ରହିପାରିବେ। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧକାର କରିବା ପୂର୍ବରୁ ରୋକାଯାଇ ପାରିବ। ଓଡ଼ିଶା ପୁଲିସ ଓ ୟୁନିସେଫ୍‌ର ଏଭଳି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରସଂଶା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ପ୍ରଚାର ପୁସ୍ତିକା’କୁ ଉନ୍ମୋଚନ କରାଯାଇଥିଲା।

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ ଯେ, ଯୌନ ନିର୍ଯାତନାର ଶିକାର ହେଉଥିବା ନାବାଳିକାଙ୍କ ମଧ୍ୟରୁ ୯୨ ପ୍ରତିଶତ ନାବାଳିକା ସେମାନଙ୍କ ପଡ଼ୋଶୀ, ଆତ୍ମୀୟସ୍ୱଜନ ବା ସେହିଶ୍ରେଣୀର ଲୋକମାନଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ତେଣୁ ଏଥିପାଇଁ ସଚେତନତାର ଆବଶ୍ୟକ ରହିଛି। ଓଡ଼ିଶା ପୁଲିସ ଓ ୟୁନିସେଫ୍‌ର ଏହି ମହାଅଭିଯାନ ନିଶ୍ଚିତ ଫଳପ୍ରହେବ ବୋଲି ସେ କହିଥିଲେ। ୨୮ ତାରିଖରୁ ଜୁନ୍‌ ୧୨ ତାରିଖ ୧୫ ଦିନ ଧରି ସାରା ରାଜ୍ୟରେ ‘ ପରୀ ରଥ’ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯିବ।

ଏଥିପାଇଁ ୩୦ଟି ଜିଲ୍ଲାରେ ୧୫ଟି ‘ପରୀ ରଥ’ ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ୍‌, ଉପଖଣ୍ଡ, ଜିଲ୍ଲା ସଦରମହକୁମା ଆଦି ସମସ୍ତ ସ୍ଥାନ ପରିକ୍ରମା କରିବ। ପ୍ରତି ରଥରେ ଜଣେ ନୋଡାଲ ଅଫିସର୍‌ଙ୍କ ସହ ୪ଜଣ ପୁଲିସ ଅଧିକାରୀ ରହି ଲୋକମାନଙ୍କୁ ସଚେତନ କରାଇବେ। ଏହାଛଡ଼ା ରଥଗୁଡ଼ିକରେ ଏଲ୍‌ଇଡି ମାଧ୍ୟମରେ ସଚେତନତା ଭିଡିଓ ପ୍ରଦର୍ଶନ କରାଯିବ। ବିଭିନ୍ନ ସଚେତନତା ବାର୍ତ୍ତା ଲେଖାଥିବା ଲିଫ୍‌ଲେଟ୍‌, ପୋଷ୍ଟର ଓ ପାମ୍ପଲେଟ୍‌ ଲୋକମାନଙ୍କୁ ବଣ୍ଟା ଯିବ। ଜିଲ୍ଲାସ୍ତରରେ ଆରକ୍ଷୀ ଅଧୀକ୍ଷକମାନେ ଏହାର ନେତୃତ୍ୱ ନେବେ। ସେହିପରି ରେଂଜସ୍ତରରେ ରେଂଜ ଆଇଜି କିମ୍ବା ଡିଆଜିମାନେ ନେତୃତ୍ୱ ନେବେ।

ଆଜିର ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମେୟର ଅନନ୍ତ ନାରାୟଣ ଜେନା, ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ୟୁମି ବେ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତପ୍ରକାଶ କରିଥିଲେ। ତେବେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ, କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, ଆଇଜି(ସଦରମହକୁମା) ତଥା ‘ପରୀ ରଥ’ ଅଭିଯାନର ରାଜ୍ୟ ନୋଡାଲ ଅଫିସର ଅସିତ ପାଣିଗ୍ରାହୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସେହିପରି ଉତ୍ସବରେ ପୁଲିସ କମିସନର୍‌ ଓ୍ଵାଇବି ଖୁରାନିଆ, ଡିସିପି ଅନୁପ ସାହୁଙ୍କ ସମେତ ବହୁ ପୁଲିସ ଅଧିକାରୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର