ହାତ ଖୋଲିଦେଲେ ନବୀନ

ମୟୂରଭଞ୍ଜବାସୀଙ୍କୁ ଭେଟିଦେଲେ ୧୫୦ କୋଟିର ପ୍ରକଳ୍ପ

ପ୍ରତିଷ୍ଠା ହେବ ଛଉ ନୃତ୍ୟ ଗବେଷଣା କେନ୍ଦ୍ର
ସମାବେଶରେ ଯୋଗଦେଲେ ୪୦ ହଜାରରୁ ଊର୍ଧ୍ବ ମହିଳା
ନବୀନଙ୍କ ସହିତ ମଞ୍ଚରେ ବସିଲେ ୧୪ ଏସ୍‌ଏଚ୍‌ଜି ସଦସ୍ୟା

ବାରିପଦା : ମଞ୍ଚରେ ନ ଥିଲେ କେହି ମନ୍ତ୍ରୀ କି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କ ସହିତ ମଞ୍ଚରେ ବସିଥିଲେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୧୪ଜଣ ସାଧାରଣ ମହିଳା, ଯେଉଁମାନେ ବଖାଣିଥିଲେ ସେମାନଙ୍କ ସଫଳତାର କାହାଣୀ। ଆଉ ନିର୍ବାଚନ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେମାନଙ୍କ ପାଇଁ ତଥା ମୟୂରଭଞ୍ଜବାସୀଙ୍କ ପାଇଁ ହାତ ଖୋଲି ଦେଇଥିଲେ। ଜିଲ୍ଲାବାସୀଙ୍କୁ ଭେଟି ଦେଇଥିଲେ ପ୍ରାୟ ୧୫୦ କୋଟି ଟଙ୍କର ପ୍ରକଳ୍ପ। ସାମ୍ନାରେ ଉପସ୍ଥିତ ଥିଲେ ୪୦ ହଜାରରୁ ଊର୍ଧ୍ବ ମହିଳାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଆର୍ଥିକ ସହାୟତାର ଘୋଷଣା କରି ମନ ଖୁସି କରି ଦେଇଥିଲେ। ଅବସର‌ ଥିଲା ବାରିପଦାର ଐତିହାସିକ ଛଉ ପଡ଼ିଆରେ ମିସନ ଶକ୍ତିର ବିଶାଳ ମହିଳା ସମାବେଶ। ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଡ଼ିଆରୁ ଲକ୍ଷାଧିକ କର୍ମୀଙ୍କର ସମାବେଶକୁ ସମ୍ବୋଧନ କରିଥିଲେ। ଠିକ୍ ସେହି ସ୍ଥାନରୁ ନବୀନ ଏଭଳି ଏକ ବିଶାଳ ସମାବେଶର ଆୟୋଜନ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି।

ଆଜିର ସମାବେଶରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜବାସୀଙ୍କ ପାଇଁ ୧୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ସାଙ୍ଗକୁ ଜିଲ୍ଲାବାସୀଙ୍କ ଦୀର୍ଘଦିନର ପ୍ରମୁଖ ୪ଟି ଦାବି ପୂରଣ କରିଥିଲେ। ବାରିପଦା ଅର୍ବାନ‌ କୋପରେଟିଭ୍‌ ବ୍ୟାଙ୍କର ଶହଶହ ଜମାକାରୀ ପ୍ରାୟ ୭୧ କୋଟି ଟଙ୍କାର କଷ୍ଟଲବ୍ଧ ଜମାରାଶି ‌ହରାଇଥିବାରୁ ଏ ନେଇ ଦୀର୍ଘଦିନ ହେଲା ଅସନ୍ତୋଷ ଓ ଆନ୍ଦୋଳନ ଲାଗି ରହିଥିଲା। ମାତ୍ର ଆଜି ସଭାରେ ବାରିପଦା ଅର୍ବାନ ବ୍ୟାଙ୍କ୍‌ର ପୁନରୁଦ୍ଧାର ନେଇ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ପୁନର୍ବାର ବ୍ୟାଙ୍କିଙ୍ଗ ଲାଇସେନ୍ସ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି ମଧ୍ୟ ପ୍ରକାଶ କରିଥିଲେ। ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସହରର ଚାରିପଟେ ଏକ ରିଂ ରୋଡ଼ (ଆଡ଼ିବନ୍ଧ) ନିର୍ମାଣ କରିବାକୁ ଦୀର୍ଘଦିନରୁ ଦାବି ରହିଥିଲା। ମୁଖ୍ୟମନ୍ତ୍ରୀ ଆଜି ଏ ନେଇ ବଡ଼ ଘୋଷଣା କରିବା ସହ ଅନ୍ୟ ସହରରେ ମଧ୍ୟ ଏଭଳି ଯୋଜନା କରାଯିବ ବୋଲି ସୂଚନା ଦେଇଥିଲେ। ଏହା ବ୍ୟତୀତ ମୟୂରଭଞ୍ଜର ଛଉନୃତ୍ୟ ବିଶ୍ବରେ ଅନନ୍ୟ ହୋଇଥିବାରୁ ଏହାର ଅଧିକ ପ୍ରଚାରପ୍ରସାର ପାଇଁ ଏକ ଛଉନୃତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ମୟୂରଭଞ୍ଜ ଆୟୁର୍ବେଦ ମହାବିଦ୍ୟାଳୟକୁ ସହକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପର ଉଦ୍ଘାଟନ କରିଥିବାବେଳେ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର