ବିଜୁ ଜୟନ୍ତୀରୁ ଯୋଗ୍ୟତା କାର୍ଡ, ଆଜି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୩୧ ସୁଦ୍ଧା ୨୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ, ୫୦ ନିର୍ବାଚନମଣ୍ଡଳୀରେ ବାଣ୍ଟିବେ ୨୦ ମନ୍ତ୍ରୀ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସଠାରୁ ପକ୍କାଘର ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କୁ ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’ ବଣ୍ଟନ କରାଯିବ। ଆସନ୍ତାକାଲି ମାର୍ଚ୍ଚ ୫ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୦ ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୫୦ଟି ନିର୍ବାଚନମଣ୍ଡଳୀରେ ମନ୍ତ୍ରୀମାନେ ଉପସ୍ଥିତ ରହି ଏହି କାର୍ଡ ବାଣ୍ଟିବେ। କେଉଁ ମନ୍ତ୍ରୀ କେଉଁ ସ୍ଥାନରେ କାର୍ଡ ବାଣ୍ଟିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ତାଲିକା ପ୍ରସ୍ତୁତ କରାଯାଇଛି। ଏଥିସହ ଯେଉଁ ବ୍ଲକରେ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆ ନ ଯାଇଛି ସେଠାରେ ବିଧାୟକମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ। ଯେଉଁମାନେ ଏହି କାର୍ଡ ପାଇବାରୁ ବଞ୍ଚିତ ହେବେ ସେମାନେ ବ୍ଲକ କାର୍ଯ୍ୟାଳୟରେ ଦରଖାସ୍ତ ଦେବେ। ତାଙ୍କ ଦରଖାସ୍ତକୁ ତଦନ୍ତ କରାଯାଇ କାର୍ଡ ପାଇବାକୁ ଯୋଗ୍ୟ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ବିଭାଗ ପକ୍ଷରୁ ପ୍ରକାଶିତ ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ପ୍ରତି ବ୍ଲକର ବିଡିଓ ‘www.rhodisha.gov.in’ ୱେବସାଇଟ୍‌ରୁ ପକ୍କା ଘର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଡାଉନ୍‌ଲୋଡ୍‌ କରି ହୋଲୋଗ୍ରାମ ଲଗାଇ ହିତାଧିକାରୀମାନଙ୍କୁ ଦେବାର ବ୍ୟବସ୍ଥା କରିବେ। ଏହି କାର୍ଡ ବିଭାଗ ପକ୍ଷରୁ ଡିଆରଡିଏ ମାଧ୍ୟମରେ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲାପାଳମାନେ ପ୍ରତି ବ୍ଲକ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ବ ଦେବେ। ଯେଉଁମାନେ କି କାର୍ଡରେ ସଠିକ୍‌ ନାମ ପ୍ରବେଶ କରାଇବେ। ୫୦୦ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ପାଇଁ ଗ୍ରାମ ପଞ୍ଚାୟତ/କ୍ଲଷ୍ଟର/ବ୍ଲକସ୍ତରରେ କ୍ୟାମ୍ପ ଆୟୋଜନ କରାଯିବ। କାର୍ଡ ବଣ୍ଟନ ଲାଗି ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୫୦ଟି ବିଧାନସଭା କ୍ଷେତ୍ରରେ ବ୍ଲକ ସ୍ତରରେ ଆୟୋଜିତ କ୍ୟାମ୍ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଡ ପ୍ରଦାନ କରିବେ। ଅନ୍ୟ ବ୍ଲକଗୁଡିକରେ ବିଧାୟକମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନ କରିବା ଲାଗି କୁହାଯାଇଛି। ପ୍ରତ୍ୟେକ କ୍ୟାମ୍ପ ଆୟୋଜନ ଲାଗି ରାଜ୍ୟ ସରକାର ୨୦ହଜାର ଟଙ୍କା କରି ବ୍ୟବସ୍ଥା କରିଛନ୍ତି। ହିତାଧିକାରୀମାନେ ଯେପରି ସୁରୁଖୁରୁରେ କାର୍ଡ ପାଇପାରିବେ ସେଥିପାଇଁ ପଞ୍ଚାୟତସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗ୍ରାମବାସୀଙ୍କୁ ମାଇକ୍‌ ସହାୟତାରେ ଆଗୁଆ ସୂଚନା ଦିଆଯିବ। କେଉଁ ସ୍ଥାନରେ ଓ କେତେ ବେଳେ କ୍ୟାମ୍ପ ଅନୁଷ୍ଠିତ ହେବ ତାହାର ସମ୍ପୂର୍ଣ୍ଣ ତଥ୍ୟ ହିତାଧିକାରୀଙ୍କୁ ଅବଗତ କରାଯିବ। ପ୍ରତି ଡିଆରଡିଏ ଓ ବ୍ଲକ ଅଫିସ୍‌ର ଏକ ପ୍ରମୁଖ ସ୍ଥାନରେ ଡିଜିଟାଲ ୱାଲ୍‌ ପେଣ୍ଟିଂ ଲାଗିବ। ମାର୍ଚ୍ଚ ୩୧ ସୁଦ୍ଧା କାର୍ଡ ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମନ୍ତ୍ରୀ ପ୍ରତାପ ଜେନା ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି, ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ବାଲେଶ୍ବର, କଟକ ଜିଲ୍ଲାର ଚୌଦ୍ବାର କଟକ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ଏହି ଯୋଗ୍ୟତା କାର୍ଡ ବଣ୍ଟନ କରିବେ। ସେହିପରି ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭବାନୀପାଟଣା ଓ ଖଡ଼ିଆଳ ଦାୟିତ୍ବ ଦିଆଯାଇଥିବା ବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବଲପୁର, ଲୋଇସିଙ୍ଗା ଓ ତଳସରା, ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ମୋହନା ଓ ପାରଳାଖେମୁଣ୍ଡି, ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପୁରୀ ଓ ବ୍ରହ୍ମଗିରି, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାୟଗଡ଼ା, ଜୟପୁର ଓ ଲକ୍ଷ୍ମୀପୁର, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ମାଲକାନଗିରି ଓ କୋରାପୁଟ, ମନ୍ତ୍ରୀ ସୁଶାନ୍ତ କୁମାର ସିଂଙ୍କୁ ବଲାଙ୍ଗୀର ଓ କଣ୍ଟାବାଞ୍ଝି, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଧାମନଗର, କେନ୍ଦୁଝର ଓ ଚମ୍ପୁଆ, ମନ୍ତ୍ରୀ ଟୁକୁନି ସ‌ାହୁଙ୍କୁ ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା କ୍ୟାମ୍ପରେ କାର୍ଡ ବାଣ୍ଟିବେ। ଏମାନଙ୍କ ବ୍ୟତୀତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ରେଙ୍ଗାଲି, ଦେବଗଡ଼ ଓ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦିଆଯାଇଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଫୁଲବାଣୀ ଓ ସୁନଖେମୁଣ୍ଡି, ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଦଶପଲ୍ଲା ଓ ଚିଲିକା, ମନ୍ତ୍ରୀ ସୁଦାମ ମାର୍ଣ୍ଣିଂଙ୍କୁ ଯଶୀପୁର, ସାରସକଣା ଓ ବାରିପଦା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ହିନ୍ଦୋଳ, ଆନନ୍ଦପୁର ଓ ଛେଣ୍ଡିପଦା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଜଟଣୀ ଓ ନିଆଳି, ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବରୀ, ଉମରକୋଟ ଓ ନବରଙ୍ଗପୁର, ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କୁ ବାଙ୍କି ଓ ପାଟକୁରା ଏବଂ ମନ୍ତ୍ରୀ ତୁଷାରକାନ୍ତି ବେହେରା ବଣାଇ ଓ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଯୋଗ୍ୟତା କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଘର ପାଇବାକୁ ଥିବା ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଏହାପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଯୋଗ୍ୟତା କାର୍ଡ ପ୍ରଦାନ ଲାଗି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର