ବର୍ଷା କମିଲା, ଦୁଃଖ ବଢ଼ିଲା : ୧୬ ଜିଲ୍ଲା ପ୍ରଭାବିତ, ୪୬ ଲକ୍ଷ ଲୋକ କ୍ଷତିଗ୍ରସ୍ତ

୩ ଜିଲ୍ଲା ବନ୍ୟା ସ୍ଥିତି ସଙ୍ଗିନ, ବୁଢ଼ାବଳଙ୍ଗ, ଜଳକା ବଢ଼ୁଛି

୧୫ ଦିନ ପାଇଁ ରିଲିଫ୍

କ୍ଷତିଗ୍ରସ୍ତ ପରିବାରକୁ ୧୫ ଦିନ ରିଲିଫ୍ ମିଳିବ। ବୟସ୍କମାନଙ୍କୁ ଦୈନିକ ୬୦ ଟଙ୍କା ଓ ପିଲାମାନଙ୍କୁ ଦୈନିକ ୪୫ ଟଙ୍କା ହିସାବରେ ସମସ୍ତ ପରିବାରକୁ ୩୦୦୦ ଟଙ୍କାରୁ ଅଧିକ ଟଙ୍କାର ରିଲିଫ୍ ପ୍ରଦାନ କରାଯିବ।

ଭୁବନେଶ୍ବର : ତିତଲି ଦୁର୍ବଳ ହୋଇ ଦିଗ ବଦଳାଇ ସାରିଲାଣି। ବର୍ଷାର ପ୍ରକୋପ ମଧ୍ୟ ଆଉ ନାହିଁ। ଆଜି କେବଳ ଉତ୍ତର ଓଡ଼ିଶାରେ କିଛିଟା ବର୍ଷିଛି। କିନ୍ତୁ ଦକ୍ଷିଣ ଓଡ଼ିଶାର ତିନିଟି ଜିଲ୍ଲା ଦୁର୍ଦ୍ଦିନକୁ ଠେଲି ହୋଇଯାଇଛି। ବାତ୍ୟା ଯେତିକି ଉଜାଡ଼ିଥିଲା, ଲଗାଣ ବର୍ଷା ଜନିତ ବନ୍ୟା ତାହାର କରାଳ ରୂପ ଆହୁରି ଦେଖାଇଲା। ଆଜି ବର୍ଷା ନ ଥିବାରୁ ବିଭିନ୍ନ ନଦୀରେ ଜଳସ୍ତର କମିଥି‌େଲ ବି ବହୁ ଗାଁ ଜଳମଗ୍ନ ହୋଇ ରହିଛି। ସ୍ଥିତି ଏମିତି ଯେ ଜଳବନ୍ଦୀ ଥିବା ଲୋକଙ୍କୁ ରିଲିଫ୍ ଯୋଗାଇବା ପାଇଁ ତିନିଟି ହେଲିକପ୍ଟର୍‌ର ସହୟତା ନେବାକୁ ପଡ଼ିଛି। ସ୍ଥିତି ସଙ୍ଗିନ୍ ଥିବାରୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ଗୁଣୁପୁର ସବ୍‌ଡିଭିଜନ୍‌ରେ ୧୫ ଦିନ ପର୍ଯ୍ୟନ୍ତ ରିଲିଫ୍ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ତିନିଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ସ୍ଥିତି ଗୁରୁତର ହୋଇଥିଲା ବେଳେ ଆହୁରି ୧୩ଟି ଜିଲ୍ଲା କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହର, ଯାଜପୁର, ନୟାଗଡ଼, ବାଲେଶ୍ବର, ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲା ଆଂଶିକ ଭାବେ ତିତଲିରେ ପ୍ରଭାବିତ ହୋଇଛନ୍ତି। କେଉଁଠି ତିତଲି ସିଧାସଳଖ ପ୍ରକୋପ ଦେଖାଇଥିଲା ତ କେଉଁଠି ପରବର୍ତ୍ତୀ ସମୟରେ ବର୍ଷା ଓ ବନ୍ୟା ଲୋକଙ୍କୁ ବିପର୍ଯ୍ୟୟ ଭିତରକୁ୍ ଠେଲିଦେଇଛି। ସରକାରୀ ହିସାବ ଅନୁଯାୟୀ ମୋଟ ୧୬ଟି ଜିଲ୍ଲାର ୧୧୧ ବ୍ଲକ୍ ଅନ୍ତର୍ଗତ ୭୧୦୩ ଗ୍ରାମ ପ୍ରଭାବିତ ହୋଇଛି। ୪୬.୪୮ ଲକ୍ଷ ‌ଲୋକ ସିଧାସଳଖ କ୍ଷତିଗ୍ରସ୍ତ ହୋଇଛନ୍ତି।

ବାତ୍ୟା ଓ ବନ୍ୟା ବହୁ ଘର ଉଜାଡ଼ି ଦେଇ ଲୋକଙ୍କୁ ବାସହରା କରାଇ ଦେଇଛି। ପୁଣି ରାସ୍ତାଘାଟ ଭାଙ୍ଗିରୁଜି ଯାଇଥିବାରୁ ଗମନାଗମନରେ ସାଂଘାତିକ ସମସ୍ୟା ସୃଷ୍ଟି ହୋଇଛି। ତିନିଟି ଜିଲ୍ଲାର ଅନେକ ଅଞ୍ଚଳରେ ବିଜୁଳି ସେବା ବାଧାପ୍ରାପ୍ତ ‌ହୋଇଛି। ତେବେ ୧୬ଟି ଯାକ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଫଳରେ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଆଜି ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୪୯୦୯ ଘର ଭାଙ୍ଗିଛି। ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪୫୫ ଘର ଭାଙ୍ଗିଛି। ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରେ ୧,୬୩,୮୬୬ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ପାଣି ଛାଡ଼ିଲା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ସେହିପରି ୭ ଲକ୍ଷରୁ ଅଧିକ ଗୃହପାଳିତ ପଶୁ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ପହଞ୍ଚାଇବା ପ୍ରଶାସନ ପାଇଁ ବତ୍ତର୍ମାନ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଯଦିଓ ପାଣି ଘେରରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଅଣାଯାଇଛି ବୋଲି ସରକାର ଦାବି କରିଛନ୍ତି, ‌ତେବେ ରିଲିଫ୍ ଠିକ୍ ସମୟରେ ପହଞ୍ଚୁ ନ ଥିବା ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି। ବହୁ ସ୍ଥାନ‌େର ଗଛ ପଡ଼ି ରାସ୍ତା ବନ୍ଦ ଥିବାରୁ ରିଲିଫ୍ ଗାଡ଼ି ବି ପହଞ୍ଚିପାରୁନି।

ଅପରପକ୍ଷରେ ସରକାର ଓ ପ୍ରଶାସନିକ କଳ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଦୀର୍ଘ ତିନି ଘଣ୍ଟା ମୁଖ୍ୟମନ୍ତ୍ରୀ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ମନ୍ତ୍ରୀସ୍ତରୀୟ କମିଟିର ତିନି ଜଣ ସଦସ୍ୟ ମହେଶ୍ବର ମହାନ୍ତି, ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହ ଆଜି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଯାଇ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଆଉ ଦୁଇ ଜଣ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ରମେଶ ଚନ୍ଦ୍ର ମାଝୀ କନ୍ଧମାଳ ଯାଇ କାର୍ଯ୍ୟର ତଦାରଖ କରୁଛନ୍ତି।

ଭୁବନେଶ୍ବର ଫେରିଲା ପରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସଚିବାଳୟରେ ସ୍ଥିତିର ସମୀକ୍ଷା କରିଥିଲେ। ଏହା ପରେ ୧୫ ଦିନ ରିଲିଫ୍ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ ପାଇଁ ସମୟସୀମା ଦେଇଥିଲେ। ବୟସ୍କମାନଙ୍କୁ ଦୈନିକ ୬୦ ଟଙ୍କା ହିସାବରେ ଓ ପିଲାମାନଙ୍କୁ ଦୈନିକ ୪୫ ଟଙ୍କା ହିସାବରେ ସମସ୍ତ ପରିବାରକୁ ୩୦୦୦ ଟଙ୍କାରୁ ଅଧିକ ଟଙ୍କାର ରିଲିଫ୍ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ନି‌େର୍ଦ୍ଦଶ ଅନୁଯାୟୀ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପିତ ହେବ। କ୍ଷତିଗ୍ରସ୍ତ ଅଞ୍ଚଳରେ ୯୦ ପ୍ରତିଶତ ସ୍ଥାନକୁ ୪୮ ଘଣ୍ଟା ଭିତରେ ଓ ବାକି ସ୍ଥାନକୁ ୩ରୁ ୫ ଦିନ ଭିତରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହେବ। ୪୮ ଘଣ୍ଟା ଭିତରେ ସବୁ ବ୍ଲକ୍‌କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଆସନ୍ତାକାଲି ସୁଦ୍ଧା ସବୁ ନଳକୂପର ମରାମତି ‌ଶେଷ ହେବ। ସହରାଞ୍ଚଳରେ ୨୪ ଘଣ୍ଟା ଭିତରେ ଜଳ ଯୋଗାଣ ପୁନଃସ୍ଥାପିତ ହେବ। ଆବଶ୍ୟକ ସ୍ଥଳରେ ଜେନ୍‌ସେଟ୍‌ ଲଗାଇ ଜଳଯୋଗାଣ କରାଯିବ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେଲା ପରେ ଘର ଭଙ୍ଗା ଓ ଫସଲ ହାନି ନେଇ ରିପୋର୍ଟ ପ୍ରସ୍ତୁତ ହେବ।

ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଚିବାଳୟରେ ବିଭିନ୍ନ ବିଭାଗର ସଚିବମାନଙ୍କୁ ନେଇ ବୈଠକ କରିଥିଲେ। ଗଞ୍ଜାମ ଓ ଗଜପତି ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ସ୍ବତନ୍ତ୍ର ରିଲିଫ୍ କମିସନର୍ ବିଷ୍ଣୁପଦ ସେଠୀ କ୍ଷୟକ୍ଷତି, ରିଲିଫ୍ ଓ ପୁନଃ ଥଇଥାନ ସମ୍ପର୍କରେ ରିପୋର୍ଟ ରଖିଥିଲେ।

ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଂଶଧାରା ନଦୀରେ ଗୁଣୁପୁର ଓ କାଶୀନଗର ନିକଟରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ଋଷିକୂଲ୍ୟା ଓ ବୈତରଣୀ ବିପଦ ସଙ୍କେତ ଅତିକ୍ରମ କରି ନ ଥିଲେ ବି ବିପଦମୁକ୍ତ ହୋଇ ନାହିଁ। ଉତ୍ତର ଓଡ଼ିଶାର ଏନ୍‌ଏଚ୍‌-୫ରେ ବୁଢ଼ାବଳଙ୍ଗର ଜଳସ୍ତର ୮.୨୪ ସ୍ଥିର ଦର୍ଶାଯାଇଥିଲେ ହେଁ ଏହା ବିପଦ ସଂକେତ ସ୍ତର ୮.୧୩ ଠାରୁ ଅଧିକ। ଜଳକା ନଦୀର ଜଳ ବିପଦ ସଂକେତ ସ୍ତର(୫.୫୦)ଠାରୁ ଯଥେଷ୍ଟ ଅଧିକ ଊର୍ଦ୍ଧ୍ବରେ(୬.୭୪) ପ୍ରବାହିତ ହେଉଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୭.୫ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ବାଲେଶ୍ବର ଜିଲ୍ଲା‌ରେ ସର୍ବାଧିକ ୮୬.୯ ମି.ମି. ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୭୮.୮ ମି.ମି., ଭଦ୍ରକରେ ୬୭.୮ ମି.ମି. ଓ ଯାଜପୁରରେ ୬୧.୯ ମି.ମି. ବର୍ଷା ହୋଇଛି।

ସମ୍ବନ୍ଧିତ ଖବର