ଭୁବନେଶ୍ବର : ଆଜି ଗରିବି ଆଉ ଓଡ଼ିଶାର ପରିଚୟ ହୋଇ ରହିନାହିଁ । ଭାରତ ସରକାରଙ୍କ ରିପୋର୍ଟ କହୁଛି ଗରିବି ହ୍ରାସ କରିବା ଦିଗରେ ଓଡ଼ିଶା ସାରା ଦେଶରେ ସବୁଠାରୁ ଆଗରେ ରହିଛି । ଶୁକ୍ରବାର କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟ ସହାୟତା ବଣ୍ଟନର ଶୁଭାରମ୍ଭ କରି ରାଜ୍ୟର ସବୁ ଚାଷୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ଚିଠିର ଆରମ୍ଭରେ ଜୟ ଜଗନ୍ନାଥ ଲେଖି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ୧୯୯୯ ମହାବାତ୍ୟା ସାରା ରାଜ୍ୟକୁ ଛାରଖାର କରିଦେଇଥିଲା। ସବୁଆଡ଼େ ଥିଲା ହତାଶାଭାବ। ଚାଷବାସ ନଷ୍ଟ ହୋଇଯାଇଥିଲା। ଏପରି ସ୍ଥିତିରେ ମୁଁ ୨୦୦୦ ମସିହାରେ ରାଜ୍ୟ ଶାସନ ଦାୟିତ୍ବ ନେଇଥିଲି। ଆଗରେ ଥିଲା ଅନେକ ଆହ୍ବାନ। ଆପଣମାନଙ୍କ ସହଯୋଗରେ ମୁଁ ସାହସର ସହ କାମ କରିଚାଲିଲି।

ସେତେବେଳେ ରାଜ୍ୟରେ ଅନ୍ନ ପାଇଁ ଅନେକ ସ୍ଥାନରେ ଥିଲା ହାହାକାର। ବହୁ କଠିନ ସମୟରେ ଶାସନ ଭାର ନେଇଥିଲେ ମଧ୍ୟ ଲୋକଙ୍କ ସମର୍ଥନ ପାଇଛି। ସେତେବେଳେ ଆମ ରାଜ୍ୟରୁ ଉତ୍ପାଦିତ ହେଉଥିବା ଶସ୍ୟ ରାଜ୍ୟବାସୀଙ୍କ ଆବଶ୍ୟକତା ପୂରଣ କରିପାରୁ ନ ଥିଲା। ବାରମ୍ବାର କେନ୍ଦ୍ର ମନ୍ତ୍ରୀଙ୍କୁ ଚାଉଳ ଦେବାକୁ ଅନୁରୋଧ କରୁଥିଲି। ବିପର୍ଯ୍ୟୟରେ ରିଲିଫ୍‌‌ ହେଉ ବା ଅନାହାରକୁ ଆହାର, ସବୁବେଳେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା।

ମୋ ସରକାରର ଲକ୍ଷ୍ୟ ଥିଲା ଶସ୍ୟ ଉତ୍ପାଦନରେ ରାଜ୍ୟକୁ ଆତ୍ମ ନିର୍ଭରଶୀଳ କରିବା। ଚାଷୀ ଭାଇମାନଙ୍କ କଠିନ ପରିଶ୍ରମ ସହ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ଜଳସେଚନର ବିକାଶ, ଚାଷରେ ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରିବା ଏବଂ ପର୍ଯ୍ୟାପ୍ତ ପରିମାଣରେ ଚାଷୀଙ୍କୁ ଋଣ ଦିଆଯିବା ଦ୍ବାରା ସଫଳତା ମିଳିଛି। ୨୦୦୭ରୁ ଆମ ରାଜ୍ୟ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିଛି। ଆଉ ଆମ ରାଜ୍ୟର ଖାଦ୍ୟ ଆବଶ୍ୟକତା ପାଇଁ ଅନ୍ୟଆଗରେ ହାତ ପାତିବାକୁ ପଡ଼ୁନାହିଁ। ଏବେ ଆମେ ଅନ୍ୟରାଜ୍ୟକୁ ଖାଦ୍ୟ ଯୋଗାଉଛୁ।

ଆମ ଚାଷୀଭାଇମାନଙ୍କୁ ଜଳସେଚନ ଯୋଗାଇଦେବା ପାଇଁ ଗତ ୪ ବର୍ଷରେ ୩୦ହଜାର କୋଟି ଟଙ୍କା ବିନିଯୋଗ କରିଛନ୍ତି ସରକାର। ଏବେ ସୁଦ୍ଧା ଅଧିକ ୮ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଇଛି। ମୋ ସରକାର ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇଦେବାକୁ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଖୁବ୍‌ଶୀଘ୍ର ପୂରଣ ହେବ।
ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଦାରିଦ୍ର୍ୟ ଆଉ ଓଡ଼ିଶାର ପରିଚୟ ହୋଇ ରହିନାହିଁ। ଦାରିଦ୍ର୍ୟ ହ୍ରାସ କରିବାରେ ଓଡ଼ିଶା ଦେଶର ସବୁରାଜ୍ୟକୁ ପଛରେ ପକାଇଦେଇଛି। ଏକଥା କେନ୍ଦ୍ର ସରକାରଙ୍କ ରିପୋର୍ଟ କହୁଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ।

କାଳିଆ ଯୋଜନାରେ ଚାଷୀମାନେ ସାମିଲ ହେବା ତାଙ୍କୁ ଖୁସି େଦଇଛି େବାଲି ମତ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ କୃଷିର ବିକାଶ ସହ ଚାଷୀ ଭାଇମାନଙ୍କ କଲ୍ୟାଣ ପାଇଁ ଓଡ଼ିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ସାରା ଦେଶରେ ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ଏକ ଆଦର୍ଶ ଯୋଜନା । ଏହା ଚାଷୀ ଓ ଚାଷର ସମସ୍ୟା ଦୂର କରିବା ସହିତ ଗରିବି ଦୂର କରିବା ଦିଗରେ ଏକ ଶକ୍ତିଶାଳୀ ଅସ୍ତ୍ର ଭାବରେ କାମ କରିବ । କାଳିଆ ଯୋଜନାରେ ରାଜ୍ୟର ସବୁ ଚାଷୀ ଉପକାର ପାଇବେ । ଛୋଟ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ସମସ୍ତେ ଏଥିରେ ସୁବିଧା ପାଇବେ । ଜମିର ପରିମାଣ କମ୍ ଥାଉ ବା ବେଶୀ, ସହାୟତା ସହିତ ଏହାର କୌଣସି ସମ୍ପର୍କ ନାହିଁ। ସମସ୍ତଙ୍କ ସୁଖଦୁଃଖରେ ସବୁବେଳେ ମୁଖ୍ୟମନ୍ତ୍ରୀ ରହିଛନ୍ତି ବୋଲି ଏହି ଚିଠିରେ ଦର୍ଶାଇଛନ୍ତି।