ଭୁବନେଶ୍ବର : କରୋନା ଲକ୍ଡାଉନ୍ ପାଇଁ ଶ୍ରମିକମାନଙ୍କ ଜୀବନ ଜୀବିକା ସାଂଘାତିକ ଭାବେ ପ୍ରଭାବିତ ହେଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ଏକାଧିକ ପ୍ୟାକେଜ୍ ଘୋଷଣା କରିଥିଲେ ବି ତାହା ଯଥେଷ୍ଟ ହେଉ ନାହିଁ। ମହାତ୍ମା ଗାନ୍ଧୀ ନରେଗାରେ ସକ୍ରିୟ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ କାମ ଦିଆଯାଇ ପାରୁ ନ ଥିବାରୁ ୨୧ ଦିନର ବେକାରୀ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, କରୋନାର ମୁକାବିଲା ପାଇଁ ଆମେ ସମସ୍ତ ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ନେଉଛୁ। ଏହି ସମୟରେ ସମାଜର ତଳ ସ୍ତରର ଲୋକମାନେ ଭୋଗୁଥିବା ଅସୁବିଧାକୁ ଆମକୁ ଦେଖିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଓ ୨୧ ଦିନିଆ ଲକ୍ଡାଉନ୍ ଆହ୍ବାନକୁ ଓଡ଼ିଶାର ଜନସାଧାରଣ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି। ଲୋକଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ଏହି ୨୧ ଦିନିଆ ଲକ୍ଡାଉନ୍ରେ ଗରିବ ଲୋକ ବିଶେଷ କରି ମହାତ୍ମା ଗାନ୍ଧୀ ନରେଗା ଶ୍ରମିକମାନେ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ୩୬,୧୦,୭୯୭ ଜଣ ସକ୍ରିୟ ଶ୍ରମିକ ଅଛନ୍ତି, ଯେଉଁମାନେ କି ଲକ୍ଡାଉନ୍ ପାଇଁ ନରେଗାରେ କାମ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ଜୀବନଜୀବିକାକୁ ସୁରକ୍ଷା ଦେବା ପାଇଁ ଏହି ସମୟରେ ବେକାରୀ ଭତ୍ତା ଦେବାକୁ ୩୮୦.୩୯ କୋଟି ଟଙ୍କା ମଞ୍ଜୁର କରାଯାଉ। ଏହି ପରିମାଣ ନରେଗା ନିୟମରେ ଥିବା ମଜୁରୀର ଏକ ଚତୁର୍ଥାଂଶ। ଯେହେତୁ ଆମେ ଏହି ସମୟରେ ସେମାନଙ୍କୁ କାମ ଦେଇପାରୁ ନାହୁଁ, ତେଣୁ ଏହି ବେକାରୀ ଭତ୍ତା ଦେଲେ ସେମାନଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିବ। ଏହି ପ୍ରସ୍ତାବକୁ ବିଚାର କରି ନରେଗା ପାଣ୍ଠିରୁ ବେକାରୀ ଭତ୍ତା ପ୍ରଦାନ କରିବା ପାଇଁ ରାଜ୍ୟକୁ ଅନୁମତି ଦେବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ନରେଗା ଶ୍ରମିକଙ୍କୁ ୨୧ ଦିନର ବେକାରୀ ଭତ୍ତା ଦିଆଯାଉ, ମୋଦୀଙ୍କୁ ଚିଠି ଲେଖିଲେ ନବୀନ
ଖର୍ଚ୍ଚ ହେବ ୩୮୦.୩୯ କୋଟି
/sambad/media/post_attachments/wp-content/uploads/2020/03/Naveen-Patnaik-and-Narendra-Modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)