ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ପିଏମ୍‌-କିଷାନରେ ପ୍ରତି ଚାଷୀଙ୍କୁ ମିଳୁ ୧୦ ହଜାର ଟଙ୍କା

ଭୁବନେଶ୍ବର : ସୀମିତ ସମ୍ବଳ ସତ୍ତ୍ବେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ସହାୟତା ମିଳୁଛି। କିନ୍ତୁ କେନ୍ଦ୍ରୀୟ ପିଏମ୍‌-କିଷାନ ଯୋଜନାରେ ଭୂମିହୀନ ଶ୍ରମିକ, ଭାଗଚାଷୀ ଓ ସଙ୍କଟ ଘେରରେ ଥିବା ଚାଷୀ ପରିବାରଙ୍କୁ ସହାୟତା ମିଳୁନାହିଁ। ସେମାନଙ୍କୁ କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ପ୍ରତ୍ୟେକ ଚାଷୀ ପରିବାରକୁ ଅନ୍ତତଃପକ୍ଷେ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ମୋଟାମୋଟି ଏହି ପ୍ରସଙ୍ଗରେ ଚିଠି ଲେଖିଥିଲେ। ଆଜି ପୁଣି ସେ ମୁଖ୍ୟତଃ ସେହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। ବିଶେଷ କରି ଏହାର ଆଭିମୁଖ୍ୟ ପ୍ରଗତିଶୀଳ ଓ ଲୋକାଭିମୁଖୀ ଥିବା ବର୍ଣ୍ଣନା କରି ଏହି ଯୋଜନାରେ ରାଜ୍ୟର ପ୍ରାୟ ୯୨ ପ୍ରତିଶତ କୃଷକ, ଭାଗଚାଷୀ(ପ୍ରକୃତ ଚାଷୀ), ଭୂମିହୀନ କୃଷି ଶ୍ରମିକଙ୍କୁ ସାମିଲ କରାଯାଇଥିବା ସେ ଦର୍ଶାଇଛନ୍ତିି। ଏହି ଯୋଜନାରେ ବର୍ତମାନ ସୁଦ୍ଧା ୩୦.୪୦ ଲକ୍ଷ ଚାଷୀ ପରିବାର ୫ ହଜାର ଟଙ୍କାର ସହାୟତା ପାଇସାରିଛନ୍ତି। ଯୋଗ୍ୟ ହିତାଧିକାରୀ ଚାଷୀ ପରିବାରକୁ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତିି, କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ବର୍ଷକୁ ଉଭୟ ଖରିଫ ଓ ରବି ଋତୁରେ ୧୦ ହଜାର ଟଙ୍କାର ସହାୟତା ଦିଆଯାଉଥିବା ବେଳେ କୃଷି ଶ୍ରମିକ ପରିବାରକୁ ଜୀବିକା ପାଇଁ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଦିଆଯାଉଛି। ଏହା ସହିତ ୨ ଲକ୍ଷ ଟଙ୍କାର ଜୀବନ ବୀମା, ୫୦ ହଜାର ଟଙ୍କାର ସୁଧବିହୀନ ଋଣ ଓ ଚାଷୀ ପରିବାରଙ୍କ ପିଲାଙ୍କୁ ପେସାଦାର ଓ ବୈଷୟିକ ଉଚ୍ଚଶିକ୍ଷା ବାବଦରେ ଛାତ୍ରବୃତ୍ତି ଭଳି ସୁବିଧା ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର