ଭୁବନେଶ୍ବର : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଅନୁଯାୟୀ ୨୦୧୯ର ଆରମ୍ଭ ବେଳକୁ ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ। ଯଦି ଏହି ପ୍ରକଳ୍ପ ଶେ‌ଷ ହେବା ପୂର୍ବରୁ ଦୀର୍ଘଦିନର ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ନ ହୁଏ, ଓଡ଼ିଶା ଓ ଏହାର ଲୋକଙ୍କ ପାଇଁ ପ୍ରକଳ୍ପ ଜନିତ ସ୍ଥାୟୀ କ୍ଷତ ରହିଯିବ। ଏଣୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତିି।

Advertisment

ଆଜି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠି ଲେଖି ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପର୍କରେ ସବିଶେଷ ସୂଚନା ଦେବା ସହିତ ଏ ନେଇ ବାରମ୍ବାର ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତିି। ୨୦୦୫ରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପୋଲାଭରମ୍‌ ପ୍ରକଳ୍କକୁ ପରିବେଶ ମଞ୍ଜୁରି ଦେଇଛନ୍ତି। ଏହା ସତ୍ତ୍ବେ ୨୦୧୧ରେ ପ୍ରକଳ୍ପର ଆବଶ୍ୟକ ମୂଲ୍ୟାୟନ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତିି। କିନ୍ତୁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ଏହି କାର୍ଯ୍ୟ ବନ୍ଦ ଆଦେଶକୁ ପରିବେଶ ମନ୍ତ୍ରଣାଳୟ ବାରମ୍ବାର ସ୍ଥଗିତ ରଖି ପରୋକ୍ଷରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାରେ ସହାୟକ ହୋଇଛନ୍ତି। ଗତ ଜୁଲାଇ ୭ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପୁନର୍ବାର କାର୍ଯ୍ୟ ବନ୍ଦ ଆଦେଶକୁ ସ୍ଥଗିତ କରିବାକୁ ଆଦେଶ ଦେଇଛନ୍ତି। ୨୦୧୯ ଜୁଲାଇ ମାସ ୨ ତାରିଖ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ। ଫଳରେ ସେହି ସମୟ ମଧ୍ୟରେ ଆନ୍ଧ୍ର ପ୍ରଦେଶ ସରକାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବାକୁ ଯାଉଛନ୍ତି।

ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବହୁ ଆଦିବାସୀ ଗ୍ରାମ ଓ ଜଙ୍ଗଲ ଜଳମଗ୍ନ ହେବ। ବହୁସଂଖ୍ୟକ ଆଦିବାସୀ ଲୋକେ ବିସ୍ଥାପିତ ହେ‌େବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତିି। ତେବେ ଏହି ପ୍ରକଳ୍ପ ଯୋଗୁଁ କେତେ କ୍ଷୟକ୍ଷତି ହେବ ‌ସେ ନେଇ ଆକଳନ ନ କରି ଜନଶୁଣାଣି କଲେ, ଏହା ଆଦୌ ଫଳପ୍ରଦ ‌ହେବନାହିଁ। ଏଣୁ ଏସବୁ ବିବାଦର ସମାଧାନ ପାଇଁ ସୁଯୋଗ ନ ଦେଇ ଯଦି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାକୁ ଅନୁମତି ଦିଆଯାଏ ଏହା ଓଡ଼ିଶା ଏବଂ ରାଜ୍ୟବାସୀଙ୍କ ପ୍ରତି ଘୋର ଅନ୍ୟାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।