ଗାନ୍ଧୀ ଜୟନ୍ତୀରେ ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଉଦ୍‌ଘାଟନ, ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଲୋକସେବା ଭବନ ପରିସରରେ ପ୍ରାୟ ୩୫କୋଟି ଟଙ୍କା‌ ବ୍ୟୟରେ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ କନ୍‌ଭେନସନ୍‌ ସେଣ୍ଟର ଆସନ୍ତା ଗାନ୍ଧୀ ଜୟନ୍ତୀରେ ଉଦ୍‌ଘାଟନ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା‌ୟକ ଏହି କନ୍‌ଭେନସନ୍‌ ସେଣ୍ଟର ବୁଲି ଦେଖିବା ପରେ ଏହାର ସମସ୍ତ କାର୍ଯ୍ୟ ଅକ୍ଟୋବର ୨ ପୂର୍ବରୁ ଶେଷ କରିବାକୁ କହିଛନ୍ତି।

ଲୋକସେବା ଭବନରେ ସମ୍ମିଳନୀ କକ୍ଷର ଅଭାବ ରହୁଥିବାରୁ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜଧାନୀରେ ସରକାରୀ ଅଡିଟୋରିୟମର ଅଭାବ ପଡ଼ୁଥିବାରୁ ଏହାକୁ ନଜରରେ ରଖି ଏହି କନ୍‌ଭେନ‌ସନ୍‌ ସେଣ୍ଟର ନିର୍ମାଣ ହୋଇଛି।

ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ କନ୍‌ଭେନସନ୍ ସେଣ୍ଟରରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। କନ୍‌ଭେନସନ୍ ସେଣ୍ଟରଟି ଇକୋ ଫ୍ରେଣ୍ଡଲି ହେବା ସହ ସୌରଶକ୍ତିରେ ଚାଲିବା ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁ ଦୃଷ୍ଟିରୁ ଯେପରି କନ୍‌ଭେନସନ୍ ସେଣ୍ଟର ଆକର୍ଷଣୀୟ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପଞ୍ଚାୟତିରାଜ ବିଭାଗ ପଛ ପାର୍ଶ୍ୱରେ ୫୧୮୦ ବର୍ଗମିଟର ଅଞ୍ଚଳରେ ଏହି ଅତ୍ୟାଧୁନିକ କନ୍‌ଭେନସନ୍ ସେଣ୍ଟର ନିର୍ମାଣ ହେଉଛି। ଏହା ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ତଳ ମହଲାରେ ପ୍ରବେଶ ଲବି ସହ ୩୯୦ ସିଟ୍ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିଛି। ଏହାବାଦ୍ ଗୋଟିଏ ୮୦ ସିଟ୍ ବିଶିଷ୍ଟ ଭିଆଇପି ଲାଉଞ୍ଜ୍ ମଧ୍ୟ ରହିଛି। ଏଠାରେ ଗୋଟିଏ ଭିଆଇପି ରୁମ୍, ୧୦୦ ସିଟ୍ ବିଶିଷ୍ଟ ବଙ୍କେଟ୍ ହଲ୍, ଦୁଇଟି ଗ୍ରିନ୍ ରୁମ୍, ଗୋଟିଏ ଲେଖାଏ ରେକର୍ଡ ରୁମ୍, କଣ୍ଟ୍ରୋଲ ରୁମ୍, ମେଡିକାଲ ରୁମ୍ ଏବଂ କାର୍ଯ୍ୟାଳୟ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଏଠାରେ ବିଭିନ୍ନ ବୈଠକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ଭଳି ବ୍ୟବସ୍ଥା କରାଯାଉଛି।

ସେହିପରି ଉପର ମହଲାରେ ୧୦୩ସିଟ୍ ବିଶିଷ୍ଟ ମିନି କନଫରେନ୍ସ ହଲ୍ ରହିବ। ଏହାବାଦ୍ ୭୬ ସିଟ୍ ବିଶିଷ୍ଟ ଏକ କନଫରେନ୍ସ ହଲ୍, ଅତ୍ୟାଧୁନକ ଲାଇବ୍ରେରି, ଦୁଇଟି ରୁମ୍, ଫୁଡ୍ ପ୍ଲାଜା, କାର୍ଯ୍ୟାଳୟ ରହିବ। ଏହି ମହଲାଟିକୁ ଓଭାଲ୍ ଆକାରରେ ନିର୍ମାଣ କରାଯାଇଛି। ଯାହାଦ୍ୱାରା କନଫରେନ୍ସ ହଲ୍‌ଗୁଡ଼ିକ ଆକର୍ଷଣୀୟ ହୋଇପାରିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ କନ୍‌ଭେନ‌ସନ୍‌ ସେଣ୍ଟର ପରିଦର୍ଶନ କରିବା ସମୟରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ପୂର୍ତ୍ତ ସଚିବ କ୍ରିଷନ କୁମାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର