ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ : ସମ୍ବର୍ଦ୍ଧନା ପରେ ଶିଳାନ୍ୟାସ

ଦୁଇଟି ବିମାନ, ୪୭ ପ୍ଲାଟୁନ ପୁଲିସ

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜିର ସୁନ୍ଦରଗଡ଼ ଜିଲ୍ଲା ଗସ୍ତକ୍ରମ ମାତ୍ର ଦୁଇ ଘଣ୍ଟା ୫୦ ମିନିଟ୍‌ର। ଏଥିପାଇଁ ଉଡ଼ିଥିଲା ଦୁଇଟି ବିମାନ। ସୁରକ୍ଷା ପାଇଁ ରାଉରକେଲା ସହରରେ ମୁତୟନ ହୋଇଥିଲେ ୩୨ ପ୍ଲାଟୁନ୍‌ ଓ ରାଜାଗଙ୍ଗପୁର ବିହାବନ୍ଧରେ ଥିଲେ ୧୫ ପ୍ଲାଟୁନ୍‌ ପୁଲିସ୍‌। ପୁଲିସ୍‌ ଛାଉଣୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିହାବନ୍ଧରେ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟଙ୍କଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିଥିବା ବେଳେ ରାଉରକେଲା ଭଞ୍ଜ ଭବନଠାରେ ସୁନ୍ଦରଗଡ଼ ମୁସ୍‌ଲିମ୍‌ କମ୍ୟୁନିଟି ଓ ସିଭିକ୍‌ ସେଣ୍ଟରରେ ପ୍ରଥମେ ଶିଖ୍‌ ଓ ପରେ ଜୈନ ସମ୍ପ୍ରଦାୟଙ୍କଠାରୁ ‘ଶ୍ରେଷ୍ଠ ପ୍ରଶାସକ’ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ।

ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଚାଟାର୍ଡ଼ ବିମାନରେ ଆସି ରାଉରକେଲା ଏୟାର ଷ୍ଟ୍ରିପ୍‌ରେ ୧୦ଟା ୫୦ ମିନିଟ୍‌ରେ ଅବତରଣ କରିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ହେଲିକପ୍ଟରରେ ଯାଇଥିଲେ ରାଜଗାଙ୍ଗପୁର ବ୍ଲକ ବିହାବନ୍ଧ ହକି ପଡ଼ିଆକୁ। ସେଠାରେ ସମ୍ବର୍ଦ୍ଧନା ଗ୍ରହଣ ପରେ ଗୋଟିଏ ସ୍ଥାନରୁ ସ୍ଥାନୀୟ ହକି ଷ୍ଟାଡ଼ିୟମ୍‌, କୁତ୍ରା ଓ କୋଇଡ଼ା ଆଇଟିଆଇ ପାଇଁ ଶିଳାନ୍ୟାସ କରିଥିଲେ। ସେଠାରୁ ରାଉରକେଲା ଫେରି ଉଦିତ୍‌ ନଗର ପୁରୁଣା ପାଠାଗାରରେ ଗୋଟିଏ ସ୍ଥାନରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ୨୦୦ ମିଟର ଦୂରରେ ଥିବା ରାଉରକେଲା ସରକାରୀ ହସ୍ପିଟାଲ୍‌ (ଆର୍‌ଜିଏଚ୍‌) ପରିସରସ୍ଥ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ, ସଂସ୍କୃତି କେନ୍ଦ୍ର ଏବଂ ଇ-ଲାଇବ୍ରେରୀ। ସେହି ସ୍ଥାନରୁ ମଧ୍ୟ ସେ ରାଉରକେଲା ସହର ଜଳ ଯୋଗାଣ ଉନ୍ନତୀକରଣ ପ୍ରକଳ୍ପର ଶିଳାନ୍ୟାସ କରି ବିମାନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।

କଂଗ୍ରେସ, ବିଜେପିର ଶତାଧିକ କର୍ମୀ ଗିରଫ

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତକୁ ଜିଲ୍ଲା କଂଗ୍ରେସ ଓ ବିଜେପି ପକ୍ଷରୁ କଡା ବିରୋଧ କରାଯାଇଛି। ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିରେନ ସେନାପତିଙ୍କ ନେତୃତ୍ୱରେ ଶତାଧିକ ନେତା କର୍ମୀ ସେକ୍ଟର-୧୯ ଆମ୍ବାଗନ ଛକରେ ମୌନ ଧାରଣା ଦେଇଥିଲେ। ବିଜେପି ପକ୍ଷରୁ ନିହାର ରାୟଙ୍କ ନେତୃତ୍ୱରେ ଉଦିତନଗର ସିଂହାସିନୀ ମନ୍ଦିର ନିକଟରେ ବିଜେଡି ସରକାର ବିରୋଧୀ ନାରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୁଲିସ ଉଭୟ ଦଳର ନେତା ଓ କର୍ମୀଙ୍କୁ ଗିରଫ କରି ପୃଥକ ପୃଥକ ସ୍ଥାନରେ ଅଟକ ରଖିଥିଲେ। ସେକ୍ଟର-୩ ଥାନାରେ ଜିଲ୍ଲା ବିଜେପି ସଭାପତି ଜଗବନ୍ଧୁ ବେହେରାଙ୍କ ସମେତ ୧୦ରୁ ଅଧିକ କର୍ମୀ ଅଟକ ଥିଲେ। କଂଗ୍ରେସ ପ୍ରାୟ ୬୦ରୁ ଅଧିକ ନେତା କର୍ମୀଙ୍କୁ ପ୍ଲାଣ୍ଟସାଇଟ୍‌ ଥାନାରେ ଏବଂ ବିଜେପି ପ୍ରାୟ ୭୦ରୁ ଅଧିକ ନେତା କର୍ମୀଙ୍କୁ ପାଓ୍ଵାର ହାଉସରୋଡ ଇଦ୍‌ଗା ମୈଦାନ ସମ୍ମୁଖ ପୁଲିସ କମ୍ୟୁନିଟି ହଲ୍‌ରେ ଅଟକ ରଖାଯାଇ ଅପରାହ୍ନ ୨ଟାରେ ଛାଡି ଦିଆଯାଇଥିଲା।

ସମ୍ବନ୍ଧିତ ଖବର