ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ରାଜ୍ୟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଶ୍ରୀ ପଟ୍ଟନାୟକଙ୍କ ଏହା ହେଉଛି ପ୍ରଥମ ଗସ୍ତ କାର୍ଯ୍ୟକ୍ରମ। ଆସନ୍ତା ୧୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପରେ ସେହିଦିନ ସନ୍ଧ୍ୟାରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। ଦିଲ୍ଲୀ ରହଣି ସମୟରେ ଶ୍ରୀ ପଟ୍ଟନାୟକ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ଦିଲ୍ଲୀ ଯିବା ପୂର୍ବରୁ ଗଣମାଧ୍ୟମକୁ ଗସ୍ତ କାର୍ଯ୍ୟକ୍ରମ ନେଇ କୌଣସି ସୂଚନା ମୁଖ୍ୟମନ୍ତ୍ରୀ ଦେଇନଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି। ‘ଫନି’ ବାତ୍ୟା ପରେ ରାଜ୍ୟକୁ ମିଳିବାକୁ ଥିବା କେନ୍ଦ୍ରୀୟ ସହାୟତା ଶୀଘ୍ର ପ୍ରଦାନ କରିବା, ବାତ୍ୟା ନିରୋଧୀ ବାସଗୃହ ନିର୍ମାଣ ପାଇଁ ସହାୟତା, ଜଳ ସେଚନ ଓ ପାନୀୟ ଜଳ ପ୍ରକଳ୍ପ ନେଇ ରାଜ୍ୟକୁ ଅଧିକ ଅନୁଦାନ ଦେବାକୁ ଦାବି କରିପାରନ୍ତି। ଏହାସହିତ ପ୍ରାକୃତିକ ଦୁର୍ବିପାକ ବେଳେ ଯେପରି ଟେଲିକମ୍ ସେବା ଅଧିକ ମାତ୍ରାରେ ପ୍ରଭାବିତ ନହେବ ସେଥିପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡ଼ିଛି। ଆୟୁଷ୍ମାନ୍ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବା ନେଇ ମଧ୍ୟ ଆଲୋଚନା ହୋଇପାରେ। ସେହିପରି କୋଇଲା ରୟାଲଟି ସଂଶୋଧନ, କେନ୍ଦ୍ର ବଜେଟରେ ରାଜ୍ୟପାଇଁ ଅଧିକ ଅନୁଦାନ ନେଇ ମଧ୍ୟ ଦାବି କରିପାରନ୍ତି। ଏହାସହିତ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ବି ଆଲୋଚନା ବେଳେ ସ୍ଥାନ ପାଇପାରେ।

ଦିଲ୍ଲୀରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ରାଜନୈତିକ ଦୃଷ୍ଟି କୋଣରୁ ମଧ୍ୟ ଅନେକ ଗୁରୁତ୍ବ ବହନ କରୁଛି। ଲୋକସଭା ଉପବାଚସ୍ପତି ପଦ ନେଇ ଶିବସେନାର ବିରୋଧ ସତ୍ତ୍ୱେ ବିଜେଡିକୁ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ମୋଦୀଙ୍କ ସହ ନବୀନଙ୍କ ସାକ୍ଷାତକାର ସମୟରେ ଉପ-ବାଚସ୍ପତି ପଦ ନେଇ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି। ଏହି ପଦ ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ମିଳିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ମାପିଚୁପି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୯ ନିର୍ବାଚନ ସମୟରେ କେନ୍ଦ୍ରକୁ ଗଠନମୂଳକ ସହଯୋଗ ଦେବା ନେଇ ବିଜେଡି ସୁପ୍ରିମୋ ଆଗରୁ କହିସାରିଛନ୍ତି। ‘ଫନି’ ବାତ୍ୟା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମୋଦୀ କ୍ଷୟକ୍ଷତି ଆକଳନ ନେଇ ଓଡ଼ିଶା ଗସ୍ତ ସମୟରୁ ହିଁ ଉଭୟଙ୍କ ଭିତରେ ଥିବା ଦୂରତା କମି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଆସିଥିବା ସମସ୍ତେ ଜାଣନ୍ତି। ଆଗକୁ ରାଜ୍ୟସଭାରେ ମୋଦୀ ସରକାର ନବୀନଙ୍କ ସହାୟତା ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ମୋଦୀ ଓ ନବୀନଙ୍କ ସାକ୍ଷାତକାର ନେଇ ପୂର୍ବତନ ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଉଭୟ ପରସ୍ପର ବିରୋଧୀ ଦଳରେ ଥିଲେ ବି ସେ ଦୁଇଜଣଙ୍କ ଭିତରେ ପୂର୍ବରୁ ବନ୍ଧୁତା ରହିଆସିଛି। ଏବେ ଦିଲ୍ଲୀ ଗସ୍ତ ସମୟରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ଆଗରୁ ମଧ୍ୟ ଜନୈକ କେନ୍ଦ୍ରମନ୍ତ୍ରୀ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଚାର କରାଯିବ ବୋଲି କହିଥିଲେ। ଶ୍ରୀ ମିଶ୍ରଙ୍କ କଥାକୁ ଖଣ୍ଡନ କରି ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା କହିଛନ୍ତି, ମୁଖ୍ୟମନ୍ତ୍ରୀ କେବଳ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା କରିବାକୁ ଦିଲ୍ଲୀ ଗସ୍ତ କରିଛନ୍ତି। ଏହାକୁ ନେଇ କୌଣସି ରାଜନୈତିକ ରୁପ ଦେବା ଉଚିତ ନୁହଁ।

ସମ୍ବନ୍ଧିତ ଖବର