ପାଶୱାନଙ୍କୁ ଚିଠି ଲେଖିଲେ ନବୀନ

ତୁରନ୍ତ ଖାଦ୍ୟ ସବ୍‌ସିଡି ପ୍ରଦାନ କରିବାକୁ ଦାବି

ଭୁବନେଶ୍ବର : ଓଡ଼ିଶାକୁ ତୁରନ୍ତ ଖାଦ୍ୟ ସବ୍‌ସିଡି ଅର୍ଥ ପ୍ରଦାନ କରିବାକୁ ଦାବି କରି କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କୁ ‌େଲଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ୨୦୦୩-୦୪ରୁ ଧାନ ସଂଗ୍ରହ କରିଆସୁଛି। ଏଥି ପାଇଁ ନିଗମ ବ୍ୟାଙ୍କରୁ ଋଣ ଆକାରରେ ଅର୍ଥ ଆଣିଥାଏ। ରାଜ୍ୟ ସରକାର ‘ପି-ପାସ୍’ ପରି ଫଳପ୍ରଦ ଓ ସ୍ବଚ୍ଛ ବ୍ୟବସ୍ଥା ପ୍ରଚଳନ କରିଥିବାରୁ ଧାନ ସଂଗ୍ରହ ବହୁ ଗୁଣରେ ବୃଦ୍ଧି ପାଇଛି। ଧାନର ମୂଲ୍ୟ ସିଧାସଳଖ ଚାଷୀଙ୍କ ଆକାଉଣ୍ଟ୍‌କୁ ଯାଉଛି। ଗତ ବର୍ଷ ଚାଷୀଙ୍କ ଆକାଉଣ୍ଟ୍‌କୁ ୭୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଚଳିତ ବର୍ଷ ୪୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ସରିଲାଣି। ଏହା ବାବଦକୁ ଚାଷୀଙ୍କୁ ୬୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏତେ ପରିମାଣରେ ଧାନ ସଂଗ୍ରହ ହେଉଥିଲା ବେଳେ ଯୋଗାଣ ନିଗମ କ୍ୟାସ୍ କ୍ରେଡିଟ୍‌ ଲିମିଟ୍‌ରେ ପହଞ୍ଚିଗଲାଣି। ଚାଷୀଙ୍କୁ ଟଙ୍କା ଦେବା ପାଇଁ ଯୋଗାଣ ନିଗମ ପାଖରେ ଯଥେଷ୍ଟ ଅର୍ଥ ଆବଶ୍ୟକ ଥିବାରୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଓଡ଼ିଶା ସରକାରଙ୍କୁ ଖାଦ୍ୟ ସବ୍‌ସିଡି ନିୟମିତ ଭାବେ ଦେବାର ଆବଶ୍ୟକତା ରହିଛି।

କିନ୍ତୁ ଏହା ଉଦ୍‌ବେଗର ବିଷୟ ଯେ ୩୬୫୪.୪୧ କୋଟି ଟଙ୍କାର ସବ୍‌ସିଡି ବିଲ୍‌ କେନ୍ଦ୍ରରେ ପଡ଼ି ରହିଛି। ଫଳରେ ଯୋଗାଣ ନିଗମ ପାଖରେ ପାଣ୍ଠିର ଅଭାବ ରହୁଛି। ତୁରନ୍ତ କେନ୍ଦ୍ର ସବ୍‌ସିଡି ନ ଦେଲେ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବାରେ ଗୁରୁତର ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛି। ତେଣୁ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ କେନ୍ଦ୍ର ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସବ୍‌ସିଡି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର