ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଲାଇବ୍ରେରି ପ୍ରତିଷ୍ଠା ପାଇଁ ଜମି ମାଗିଲେ, କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Ministry of

ଭୁବନେଶ୍ବର : ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରି ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଲାଇବ୍ରେରି ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦିଆଯାଉ। ଫଳରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ବିଷୟରେ ଅଧିକ ଲୋକ ଜାଣିପାରିବେ। ଆଜି ଏ ନେଇ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଖୋଲିବାକୁ ତାଙ୍କ ସରକାର ବିଭିନ୍ନ ସ୍ତରରେ ଆଲୋଚନା କରିଛନ୍ତି। ଏବେ ଖୋଦ୍ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଶ୍ରୀ ପୁରୀ ପ୍ରତ୍ୟେକ୍ଷ ହସ୍ତକ୍ଷେପ କଲେ ଦିଲ୍ଲୀରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ବହୁ ଦିନର ଆଶା ପୂରଣ ହୋଇପାରିବ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, କ୍ରୀୟାଶୀଳ ସଂସ୍କୃତି, ବହୁବିଧ ଜନଜାତି ସମ୍ପ୍ରଦାୟ ଓ ଗ୍ରାମୀଣ କୃଷି ଜୀବନ ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି। ଓଡ଼ିଆ ସଂସ୍କୃତିର ମୌଳିକତା ପ୍ରକୃତି ସହିତ ଜଡ଼ିତ। ଏ ମାଟିର କୃଷକ ତାର ମାଟି ମା’କୁ ଭଗବାନଙ୍କ ଭଳି ଭକ୍ତି କରିଥାଏ। ପଶ୍ଚିମ ହେଉ କି ଉପକୂଳ ଅଞ୍ଚଳ, ଦକ୍ଷିଣାଞ୍ଚଳ ହେଉ କି ଉତ୍ତରାଞ୍ଚଳ ଓଡ଼ିଶାର ପ୍ରତ୍ୟେକଟି ସ୍ଥାନର ସ୍ବତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି। ଦେଶର ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ବିବିଧତା ଭିତରେ ଓଡ଼ିଶାର ଅବଦାନ ଅତୁଳନୀୟ। ଓଡ଼ିଶୀ ନୃତ୍ୟ ବିଶ୍ବ ଦରବାରରେ ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଆ ଭାଷା ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇଛି। ଓଡ଼ିଆ ରୋଷେଇ, ବସ୍ତ୍ର, ହସ୍ତତନ୍ତ, ସମୃଦ୍ଧ ଆଦିବାସୀ କଳା ଓ ସଂସ୍କୃତି ବହୁ ଲୋକଙ୍କୁ ଆକୃଷ୍ଟ କରିଛି।

ଏସବୁ ଥାଇ ବି ରାଜ୍ୟବାସୀଙ୍କ ପାଇଁ ଦିଲ୍ଲୀରେ ସ୍ଥାୟୀ ଭାବେ ଗୋଟିଏ ଘର କିମ୍ବା ଜମି ନାହିଁ। ଯେଉଁଠି କି ଏସବୁ କଳାଦକ୍ଷତା ଓ କାରିଗରୀ କୌଶଳର ପ୍ରଦର୍ଶନ କରିହେବ। ଏହାଛଡ଼ା ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ବି କିଛି କମ୍ ନୁହଁ। ଓଡ଼ିଆ ସଂସ୍କୃତି ଓ କଳାର ପ୍ରଚାର ପ୍ରସାର ପାଇଁ ପ୍ରବାସୀ ଓଡ଼ିଆ ବେଶୀ ଆଗ୍ରହ ରଖିଛନ୍ତି। ସ୍ଥାୟୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ହେଲେ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଅଧିକ ଆକୃଷ୍ଟ ହେବା ସହ ଏସବୁ କଳା କାରିଗରୀ ଉପରେ ନିର୍ଭର କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରୋଜଗାରର ବାଟ ଫିଟିବ। ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କର ଦିଲ୍ଲୀରେ ଭବନ ଥାଇ ବି ଯେପରି ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜମି ଯୋଗାଇ ଦିଆଯାଇଛି। ସେହିପରି ଓଡ଼ିଶା ପାଇଁ କେନ୍ଦ୍ର ସରକାର ଦିଲ୍ଲୀରେ ଜମି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର