ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ୫୫୮ କୋଟିର ବକେୟା ଛାତ୍ରବୃତ୍ତି ପ୍ରଦାନ କର

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଟି.ସି.ଗେହଲଟ୍‌ଙ୍କୁ ଚିଠି ଲେଖିଛନ୍ତି। ଅନୁସୂଚିତ ଜାତି ଏବଂ ଜନଜାତି ସମ୍ପ୍ରଦାୟର ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତୀ ଛାତ୍ରବୃତ୍ତି ବାବଦରେ ମୋଟ ୫୫୭.୬୮ କୋଟି ଟଙ୍କାର ବକେୟା ପ୍ରଦାନ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି।

ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଓରାମଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ରାଜ୍ୟର ପ୍ରାୟ ୨ ଲକ୍ଷ ଅନୁସୂଚିତ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ମାଟ୍ରିକ ପରବର୍ତୀ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଏହି ଯୋଜନାରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଏବଂ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଦେଇଥାନ୍ତି। କିନ୍ତୁ ୨୦୧୭-୧୮ ପର୍ଯ୍ୟନ୍ତ କେନ୍ଦ୍ର ସରକାର ତାଙ୍କ ଅଂଶ ବାବଦରେ ୧୧୮.୦୬ କୋଟି ଟଙ୍କା ଦେଇନାହାନ୍ତିି। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କର ଯେପରି ଉଚ୍ଚଶିକ୍ଷା ଅର୍ଜନ କ୍ଷେତ୍ରରେ ଆର୍ଥିକ ସମସ୍ୟା ଦେଖା ନ ଦିଏ, ସେଥିପାଇଁ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଏହା ତୁଲାଉଥିବା ସେ ଦର୍ଶାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ରାଜ୍ୟର ଅନୁସୂଚିତ ଜାତି ସଂପ୍ରଦାୟର ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତୀ ଛାତ୍ରବୃତ୍ତି ଦିଆଯାଉଛି। କେନ୍ଦ୍ରୀୟ ଯୋଜନା ହୋଇଥିବାରୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଏ ନେଇ ୧୦୦ ପ୍ରତିଶତ ସହାୟତା ଦେବା କଥା। କିନ୍ତୁ ୨୦୧୬-୧୭ ଏବଂ ୨୦୧୭-୧୮ ବର୍ଷରେ ସଂପୃକ୍ତ ମନ୍ତ୍ରାଳୟ ଆବଶ୍ୟକ ସହାୟତା ପ୍ରଦାନ କରିନାହିଁ। ଏ ବାବଦରେ ୪୩୯.୬୨ କୋଟି ଟଙ୍କା ମିଳିବାକୁ ବାକି ରହିଛି। ଏ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଦେଉଛନ୍ତି। ତେବେ ଏହା ରାଜ୍ୟ ଉପରେ ବଡ଼ ଧରଣର ଆର୍ଥିକ ବୋଝ ସୃଷ୍ଟି କରୁଥିବାରୁ କେନ୍ଦ୍ର ସରକାର ତୁରନ୍ତ ଏହି ପରିମାଣର ବକେୟା ଅର୍ଥ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର