ମହାନଦୀ ଟ୍ରିବ୍ୟୁନାଲ୍‌ ନେଇ ଅନିଶ୍ଚିତତା

ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଲେ ନବୀନ

ଭୁବନେଶ୍ୱର/ ନୂଆଦିଲ୍ଲୀ : ସୁପ୍ରିମ କୋର୍ଟଙ୍କ ଆଦେଶ ମୁତାବକ କେନ୍ଦ୍ର ସରକାର ମହାନଦୀ ଜଳବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ବିଜ୍ଞପ୍ତ ପ୍ରକାଶ କରିବା କଥା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟକାରୀ କରାଗଲେ, ଆସନ୍ତା ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ କେନ୍ଦ୍ର ସରକାର। ନିର୍ଧାରିତ ତାରିଖ ପାଇଁ ଆଉ ଗୋଟିଏ ଦିନ ବାକି। ଏହା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ବରଂ ଏହି ଟ୍ରିବ୍ୟୁନାଲ୍‌ ଗଠନ ସଂକ୍ରାନ୍ତ ବିଜ୍ଞପ୍ତିି ପ୍ରକାଶକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସେପଟେ କେନ୍ଦ୍ର ସରକାର ବିକଳ୍ପ ଉପାୟ ଚିନ୍ତା କରୁଥିବାର ଆଭାସ ବି ମିଳିଲାଣି। ଏହି ପରିପ୍ରେକ୍ଷୀରେ ନିର୍ଧାରିତ ସମୟ ସୀମା ଭିତରେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମାତ୍ର ୮ ଦିନ ବ୍ୟବଧାନରେ ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଚିଠିରେ ସେ ମହାନଦୀ ଜଳବିବାଦ ନେଇ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ୍‌ ଗଠନ କରିବାକୁ ତାଙ୍କୁ ସ୍ମରଣ କରାଇ ଦେଇଛନ୍ତିି। କେବଳ ସେତିକି ନୁହେଁ, ଏହି ସମସ୍ୟାର ସମାଧାନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆନ୍ତଃରାଜ୍ୟ ଜଳ ବିବାଦ ଆଇନ, ୧୯୫୬ର ଧାରା ୩ ଅନୁସାରେ ଆନ୍ତଃରାଜ୍ୟ ମହାନଦୀ ଏବଂ ଏହାର ଅବବାହିକା ନେଇ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ଜଳବିବାଦର ସମାଧାନ ନିମନ୍ତେ ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ବୈଧାନିକ ପଦ୍ଧତିରେ ଅଭିଯୋଗ ଦାଖଲ କରିଛନ୍ତି। ୨୦୦୨ରେ ଜଳବିବାଦ ଆଇନର ସଂଶୋଧିତ ଧାରା ୪(୧) ଅନୁସାରେ ଯଦି ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ବର୍ଷକ ଭିତରେ ହୋଇନଥାଏ, କେନ୍ଦ୍ର ସରକାରଙ୍କୁ ଜଳବିବାଦର ନିଷ୍ପତ୍ତି ପାଇଁ ଟ୍ରିବ୍ୟୁନାଲ୍‌ ଗଠନ କରିବାକୁ ହେବ। ଏ ନେଇ ଗତ ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଲେଖଥିବା ଚିଠିରେ ତାଙ୍କୁ ସବିଶେଷ ଅବଗତ କରାଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତିି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୯ ସୁଦ୍ଧା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ନେଇ ଗତ ଅକ୍ଟୋବର ୯ ତାରିଖରେ ସୁପ୍ରିମକୋର୍ଟରେ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର। ଓଡିଶାର ଆବେଦନକୁ ଗ୍ରହଣ କରିବା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଟ୍ରିବ୍ୟୁନାଲ ଗଠନ ପୂର୍ବରୁ ମାମଲାର ଆପୋସ ସମାଧାନ ପାଇଁ ବୁଝାମଣା କମିଟି ଗଠନ କରାଯାଇଥିଲା। କିନ୍ତୁ ଏହି ବୁଝାମଣା କମିଟିକୁ ଓଡିଶା ବର୍ଜନ କରିଥିଲା। ବର୍ତମାନ ଟ୍ରିବ୍ୟୁନାଲ ଗଠନକୁ ଛାଡ଼ିଦେଲେ ଅନ୍ୟ କୌଣସି ବିକଳ୍ପ ପନ୍ଥା ଓଡ଼ିଶା ପାଇଁ ନାହିଁ। ଅବଶ୍ୟ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର କ୍ୟାବିନେଟରେ ଖସଡା ପ୍ରସ୍ତୁତ ହୋଇଛି। ତେବେ ଏ ନେଇ କି ନିଷ୍ପତ୍ତି ନିଆଯାଇଛି ବର୍ତମାନ ତା’ର କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁ ନାହିଁ। କେନ୍ଦ୍ର ଜଳସଂପଦ ମନ୍ତ୍ରଣାଳୟର କୌଣସି ବରିଷ୍ଠ ଅଧିକାରୀ ଏ ନେଇ କୌଣସି ସୂଚନା ଦେବାକୁ ପ୍ରସ୍ତୁତ ନୁହଁନ୍ତି।

ଅନ୍ୟ ଏକ ଚର୍ଚ୍ଚା ହେଉଛି, କେନ୍ଦ୍ର ସରକାର ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ସଂକ୍ରାନ୍ତ ଅଧିସୂଚନା ଜାରି ପୂର୍ବରୁ ସଂସଦରେ ଆଗତ ନଦୀ ଜଳବିବାଦର ସମାଧାନ କରିବା ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ କରିବାକୁ ବିଲ୍‌ ପାରିତ କରିବା ପାଇଁ ଚେଷ୍ଟା କରିବେ। ଗତ ମାର୍ଚ୍ଚ ମାସରେ ଏହି ବିଲ୍‌ ଲୋକସଭାରେ ଆଗତ ହୋଇଥିଲା। ଏହାପରେ ବିଲ୍‌କୁ ଅଧିକ ଆଲୋଚନା ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଥିଲା। ଏହି କମିଟି ଗତ ମୌସୁମୀ ଅଧିବେଶନରେ ରିପୋର୍ଟ ଦେଇସାରିଛି। ସର୍ବାଧିକ ସାଢେ ଚାରି ବର୍ଷ ମଧ୍ୟରେ ନଦୀ ଜଳବିବାଦର ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲରେ ବ୍ୟବସ୍ଥା ଥିବାରୁ ତାକୁ ଦୁଇବର୍ଷ କରିବା ପାଇଁ କମିଟି ସୁପାରିସ କରିଛି। ଫଳରେ ମହାନଦୀ ଜଳବିବାଦ ଆହୁରି ଗୋଳିଆ ହେଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ନିର୍ଧାରିତ ସମୟ ସୀମା ମଧ୍ୟରେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତିି।

ସମ୍ବନ୍ଧିତ ଖବର