ପୋଲାଭରମ୍‌ କାମ ବନ୍ଦ ହେଉ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର : ପୋଲାଭରମ୍‌ ପ୍ରକଳ୍ପ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକଳ୍ପ କାମ ଦ୍ରୁତ ଗତିରେ ଜାରି ରହିଥିବାରୁ ନବୀନ କ୍ଷୋଭ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି କାମ ବନ୍ଦ କରାଇବାକୁ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲା ବିଚାରାଧୀନ ଅଛି। ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଏକାଧିକ ଚିଠି ଲେଖାଯାଇଛି। ତାହା ସତ୍ତ୍ୱେ କାମ ଆଗେଇ ଚାଲିଛି। ଯଦି ପୋଲାଭରମ୍‌ ପ୍ରକଳ୍ପ ବର୍ତ୍ତମାନର ଡିଜାଇନ୍‌ ଅନୁଯାୟୀ ଅନୁମତି ଦିଆଯାଏ, ତେବେ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହେବ। ଏହା ମଧ୍ୟରୁ ଅଧିକାଂଶ ଆଦିବାସୀ ବହୁଳ ଅଞ୍ଚଳ। ସବୁ ନିୟମକାନୁନ୍‌କୁ ଉଲ୍ଲଂଘନ କରି ଆନ୍ଧ୍ରପ୍ରଦେଶ ସରକାର ସିଡବ୍ଲ୍ୟୁସି କ୍ଲିୟରାନ୍ସ ମିଳିବା ଆଗରୁ କାମ ଆରମ୍ଭ କରିଥିଲେ। ଯେ କୌଣସି ପ୍ରକଳ୍ପର ପରିବେଶ ମଞ୍ଜୁରି ପୂର୍ବରୁ ଜନଶୁଣାଣି ବାଧ୍ୟତାମୂଳକ ଥିଲେ ବି ପୋଲାଭରମ୍‌ ପାଇଁ ଓଡ଼ିଶାରେ ଜନଶୁଣାଣି କରାଯାଇ ନାହିଁ। ଆହୁରି ମଧ୍ୟ କୌଣସି ଯୋଗ୍ୟତା ନ ଥାଇ ମଧ୍ୟ ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦିଆଯାଇଛି। ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଲୋକମାନେ ସାଂଘାତିକ ଭାବେ ପ୍ରଭାବିତ ହେଉଥିବାରୁ ତାହାର ଗୁରୁତ୍ୱ ଉପଲବ୍ଧି କରି ସୁପ୍ରିମକୋର୍ଟରେ ମାମଲା ଫଇସଲା ହେବା ପର୍ଯ୍ୟନ୍ତ କାମ ବନ୍ଦ କରାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କାମ ବନ୍ଦ ପାଇଁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର