ଛତିଶଗଡ଼ରେ ବ୍ୟାରେଜ୍‌ ନିର୍ମାଣ ବନ୍ଦ ହେଉ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ଜାନୁଆରି ମାସ ୨୩ ତାରିଖରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି କରି ମାସକ ଭିତରେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତିି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ଚଳାଇଥିବା ବନ୍ଧ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଉଚିତ। ଏଥିପାଇଁ ଛତିଶଗଡ଼ ସରକାରଙ୍କ ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ସମ୍ବିଧାନର ୨୫୬ ଧାରା ଅନୁସାରେ କାମ ବନ୍ଦ ପାଇଁ କେନ୍ଦ୍ରୀୟ ଜଳ ସଂପଦ ମନ୍ତ୍ରାଳୟ ଛତିଶଗଡ଼ ସରକାରଙ୍କୁ ପ୍ରଶାସନିକ ନିର୍ଦେଶ ଜାରି କରିପାରିବ। ଯଦି ଏହି ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରାନଯାଏ, ଏହା ରାଜ୍ୟବାସୀଙ୍କ ପାଇଁ ଭାଗ୍ୟର ବିଡ଼ମ୍ବନା ହେବ ଏବଂ ନ୍ୟାଯ୍ୟ ଦାବିରୁ ବଞ୍ଚିତ ହେବ ଓଡ଼ିଶା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁଗ ଯୁଗ ଧରି ମହାନଦୀ ଜଳ ଉପରେ ଓଡ଼ିଶାବାସୀଙ୍କ ଅଧିକାର ଏବଂ ସ୍ୱାର୍ଥ ରହିଛି। ଏହାକୁ ସୁରକ୍ଷିତ ରଖିବା ଦିଗରେ ସୁପ୍ରିମ କୋର୍ଟଙ୍କ ଆଦେଶନାମା ସେମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି। ମହାନଦୀର ଜଳ ଜଳସେଚନ ଓ ପିଇବାପାଣି ପାଇଁ ରାଜ୍ୟ ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ଲୋକ ନିର୍ଭରଶୀଳ। ଏହି ମହାନଦୀ ଉପରେ ପର୍ଯ୍ୟାବରଣ ଓ ପରିବେଶ ଯେତିକି ନିର୍ଭର କରୁଛି, ତା’ର ଗୁରୁତ୍ୱକୁ ଉପେକ୍ଷା କରିବା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ୨୦୧୬ ନଭେମ୍ବର ୧୯ ତାରିଖରେ ୧୯୫୬ ଆଇନର ଧାରା ୪(୧) ଅନୁଯାୟୀ ମହାନଦୀ ଜଳ ବିବାଦ ମାମଲା ସୁପ୍ରିମ କୋର୍ଟରେ ଦାଏର କରାଯାଇଥିଲା। ସେହି ମାମଲାର ଶୁଣାଣି କରି ମାସକ ଭିତରେ ଟ୍ରିବ୍ୟୁନାଲ୍‌ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ଗତ ମାସ ୨୩ ତାରିଖରେ ସୁପ୍ରିମ କୋର୍ଟ ଦେଇଥିବା ଆଦେଶନାମାର ନକଲକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ପତ୍ର ସହିତ ସଂଲଗ୍ନ କରି ମୁଖ୍ୟମନ୍ତ୍ରୀ ଦେଇଛନ୍ତି।

ସମ୍ବନ୍ଧିତ ଖବର