ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯାଉ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ଭିତ୍ତିଭୂମି ତର୍ଜମା କରିବାକୁ ଅନୁରୋଧ
ରାଜ୍ୟ ସରକାର ପ୍ରୋତ୍ସାହନ ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ବର : ଭୁବନେଶ୍ବରରୁ ଅଧିକ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ପ୍ରଚୁର ସମ୍ଭାବନା ରହିଛି। ପର୍ଯ୍ୟଟନ, ପୁଞ୍ଜିନିବେଶ, ଦକ୍ଷ ମାନବ ସମ୍ବଳ ସୃଷ୍ଟି ଆଦି ବ‌ହୁ କ୍ଷେତ୍ରରେ ଓଡ଼ିଶା ଏବେ ଆନ୍ତର୍ଜା‌ତିକ ସମୁଦାୟର ଦୃଷ୍ଟି ଆକର୍ଷଣ କରିପାରିଛି। ଏହାକୁ ନଜରରେ ରଖି ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମା‌ନ ଚଳାଚଳ ପାଇଁ କେନ୍ଦ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି। ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ସହ ଅନ୍ୟାନ୍ୟ ପ୍ରୋତ୍ସାହନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଗତ କିଛି ବର୍ଷ ହେଲା ଓଡ଼ିଶାରେ ବିମାନ ଚଳାଚଳରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦର ଦେଶର ବିମାନ ସେବା ମାନଚିତ୍ରରେ ଯୋଡ଼ି ହୋଇଛନ୍ତି। ଏଠାରୁ ଦେଶ ଭିତ‌େର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିଲେ ବି ଆନ୍ତର୍ଜାତିକ ଉଡ଼ାଣ ପାଇଁ ଏଠାରେ ପ୍ରଚୁର ସମ୍ଭାବନା ରହିଛି। ବର୍ତ୍ତମାନ ମାତ୍ର ଗୋଟିଏ ବିମାନ ବିଦେଶକୁ ଚଳାଚଳ କରୁଛି। ଏହା ବାଦ୍ ଭୁବନେଶ୍ବରରୁ ବିଦେଶକୁ ଯାଉଥିବା ଯାତ୍ରୀମାନେ କୋଲକାତା ଓ ଦିଲ୍ଲୀ ଉପରେ ନିର୍ଭର କରୁଛନ୍ତି। ଫଳରେ ଲୋକମାନେ ବହୁତ ଅସୁବିଧା ଭୋଗୁଛନ୍ତି।

ଆନ୍ତର୍ଜାତିକ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି ଯେ ରାଜ୍ୟ ବାହାରେ ଏବେ ବହୁ ସଂଖ୍ୟାରେ ଓଡ଼ିଆ ରହୁଛନ୍ତି। ସେମାନଙ୍କ ମଧ୍ୟରେ ପ୍ରତିଭାବାନ ଯୁବକ, ଯୁବତୀମାନେ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରମୁଖ ଭାଗରେ ଅଛନ୍ତି। ୟୁଏସ୍‌ଏ ଓ ୟୁରୋପରେ ଓଡ଼ିଶାର ବହୁ ଲୋକ ନିଯୁକ୍ତି ପାଇଛନ୍ତି। ଏହା ବାଦ୍ ମଧ୍ୟ ପ୍ରାଚ୍ୟ ଦେଶରେ ବହୁ ଓଡ଼ିଆ ଲୋକ କାମ କରୁଛନ୍ତି। ବର୍ତ୍ତମାନ ଆନ୍ତର୍ଜାତିକ ଯୋଗାଯୋଗ ବୃଦ୍ଧି ପାଉଥିବାରୁ ଓଡ଼ିଆମାନେ ବିଶ୍ବର ବିଭିନ୍ନ ସ୍ଥାନରେ ନିଯୁକ୍ତି ସନ୍ଧାନ କରୁଛନ୍ତି। ଓଡ଼ିଶା ସରକାର ‘ସ୍କିଲ୍‌ଡ୍‌ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ବହୁ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିପାରିଥିବାରୁ ବିଦେଶରେ ସେମାନଙ୍କ ଚାହିଦା ରହୁଛି। ତେଣୁ ଭୁବନେଶ୍ବରରୁ ଆନ୍ତର୍ଜାତିକ ବିମାନ ଚଳାଚଳ କଲେ ରାଜ୍ୟର ଲୋକମାନେ ଉପକୃତ ହୋଇପାରିବେ।

ଏହା ବାଦ୍ ଏକ ଲୋକପ୍ରିୟ ପର୍ଯ୍ୟଟନ ‌ସ୍ଥଳୀ ଭାବେ ଓଡ଼ିଶା ବିକଶିତ ହୋଇପାରିଛି। ବିସ୍ତୀର୍ଣ୍ଣ ବେଳାଭୂମି ଏବଂ ଚିଲିକା, ଶିମିଳିପାଳ, ଭିତରକନିକା, ସାତକୋଶିଆ ପରି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ରାଜ୍ୟରେ ସମୃଦ୍ଧ ବୌଦ୍ଧ କୀର୍ତ୍ତିରାଜି ମଧ୍ୟ ରହିଛି। ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, ଯାହା କି ଆନ୍ତର୍ଜାତିକ ପର୍ଯ୍ୟଟକ ଓ ଟୁର୍‌ ଅପରେଟର୍‌ଙ୍କ ପାଇଁ ଗ୍ରହଣୀୟ ହୋଇପାରିବ। ଏହା ସହ ଦେଶର ଶ୍ରେଷ୍ଠ ତିନି ପୁଞ୍ଜିନିବେଶ ସ୍ଥାନ ଭିତରେ ଓଡ଼ିଶା ରହିଛି। ବହୁ ଶିଳ୍ପ ପ୍ରତିଷ୍ଠାନ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିଛନ୍ତି। ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ, ଦକ୍ଷ ମାନବ ସମ୍ବଳ ଏବଂ ସମୃଦ୍ଧ ଖଣିଜ ସମ୍ପଦ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରୁଛନ୍ତି।

ଏହି ପରିପ୍ରେକ୍ଷୀରେ ନିଜେ କେନ୍ଦ୍ର ମନ୍ତ୍ରୀଙ୍କୁ ଓଡ଼ିଶା ଆସିବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ ତାଙ୍କ ସାଙ୍ଗରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ପ୍ରମୁଖ ବିମାନସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସିଇଓଙ୍କୁ ଆଣି ଓଡ଼ିଶାରେ ଭିତ୍ତିଭୂମି ଯାଞ୍ଚ୍ କରନ୍ତୁ। ଓଡ଼ିଶା ପକ୍ଷରୁ ରାଜ୍ୟର ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରାଯିବ। ରାଜ୍ୟ ସରକାର ବିମାନ ଚଳାଚଳ ପାଇଁ କେବଳ ଭିତ୍ତିଭୂମି ବିକାଶ ନୁହେଁ, ସେବା ପ୍ରଦାନକାରୀ ସଂସ୍ଥାକୁ ପ୍ରୋତ୍ସାହନ ଦେବାକୁ ମଧ୍ୟ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ଏହା ସହ ଉଡ଼ାଣ ଯୋଜନାରେ ସାମିଲ ହୋଇଥିବା ଜୟପୁର ଓ ରାଉରକେଲାର ଏୟାର ଷ୍ଟ୍ରିପ୍‌ର ବିକାଶ ସହ ତାହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ୨୦୨୩ ହକି ବିଶ୍ବକପ୍‌ ରାଉରକେଲାରେ ହେବାକୁ ଥିବାରୁ ଏଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର