ରାଜନୀତିରେ ନବୀନଙ୍କ ୨୫ ବର୍ଷ : ଏବେ ବି ଅପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି । କେବଳ ରାଜନୀତିରେ ନୁହେଁ, କ୍ଷମତାରେ ୨୫ ବର୍ଷ ପୂରଣ କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୯୭ ଜୁନ୍ ପହିଲାରେ  ସାଂସଦ ଭାବେ ନିର୍ବାଚିତ ହୋଇଥିବା ନବୀନ ଏହି ୨୫ ବର୍ଷ ମଧ୍ୟରେ ନିଜକୁ ଦେଶର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତାଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ କ୍ଷମତାସୀନ ରହିଛି । ସେ ଏଯାବତ୍ ତାଙ୍କର ରାଜନୈତିକ କ୍ୟାରିୟରରେ କୌଣସି ନିର୍ବାଚନ ହାରି ନାହାନ୍ତି। ଏହି ରେକର୍ଡ ତାଙ୍କର ଲୋକପ୍ରିୟତାର ପରିଚୟ ଦିଏ।

୨୫ ବର୍ଷ ତଳେ ରାଜନୀତିରେ ନବାଗତ ଥିବା ନବୀନ ଆଜି ରାଜ୍ୟ ରାଜନୀତିରେ ନିଜକୁ ଜଣେ ପୁରୁଖା ଖେଳାଳି ଭାବେ ପ୍ରତିପାଦିତ କରିପାରିଛନ୍ତି । ତାଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଲଗାତାର ୫ ଥର କ୍ଷମତାସୀନ ହୋଇ ଶାସନ କରିଥିଲେ ବି ସରକାର ବିରୋଧୀ ହାଓ୍ବା ତ ଦୂରର କଥା ଦଳର ଲୋକପ୍ରିୟତା ଓ ଶକ୍ତି ଦିନକୁ ଦିନ ଅଧିକ ବଢିଚାଲିଛି । ଏହା ନିକଟରେ ସମାପ୍ତ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳରୁ ପୁଣି ପ୍ରମାଣିତ ହୋଇଛି । ବର୍ତ୍ତମାନ ରାଜନୈତିକ ଅନୁଶୀଳନରେ ‘ଆଣ୍ଟି-ଇନକମ୍ବାନ୍ସି’ ବଦଳରେ ‘ପ୍ରୋ-ଇନକମ୍ବାନ୍ସି’ ଚିନ୍ତାଧାରା ପ୍ରବେଶ କରିଛି। ନବୀନଙ୍କ ଭଳି ରାଜନେତାଙ୍କ ସଫଳତା ଏହି ନୂତନ ଦୃଷ୍ଙିଭଙ୍ଗିକୁ ସାମିଲ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ।

 

୧୯୯୭ ମସିହାରେ ଆସ୍କା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନବୀନ ପଟ୍ଟନାୟକ ତତ୍କାଳୀନ ଅଟଳବିହାରୀ ବାଜପେୟୀ ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରୀ ଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେଡ଼ି ଓ ବିଜେପି ମିଳିତଭାବେ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ଏହା ପରେ ନବୀନ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ୨୦୦୪ ସାଧାରଣ ନିର୍ବାଚନରେ ଏନଡିଏ ପରାଜିତ ହୋଇଥିଲେ ବି ଓଡ଼ିଶାରେ ମେଣ୍ଟ କ୍ଷମତାକୁ ଫେରିଥିଲା ଓ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବ ଜାରି ରହିଥିଲା । ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ପ୍ରଥମ ଥର ପାଇଁ ବିଜେଡି ଏକୁଟିଆ ନିର୍ବାଚନ ଲଢି ବିପୁଳ ବିଜୟ ହାସଲ କରିଥିଲା । ଏହା ପରେ ୨୦୧୪, ୨୦୧୯ ନିର୍ବାଚନରେ ବିଜେଡି ନବୀନଙ୍କ ନେତୃତ୍ବରେ ଆଶାତୀତ ସଫଳତା ହାସଲ କରିଛି ।

ଓଡ଼ିଶାରେ ବିଜେପି, କଂଗ୍ରେସ ପରି ଜାତୀୟ ଦଳର ଉପସ୍ଥିତି ସତ୍ତ୍ବେ ବିଜେଡି ଦଳ ଅପ୍ରଦିଦ୍ବନ୍ଦ୍ବୀ ରହିଆସିଛି । ରାଜନୈତି ବିଶେଷଜ୍ଞଙ୍କ ମତରେ ନବୀନଙ୍କ ଲୋକପ୍ରିୟତାର ଏକ ବଡ଼ କାରଣ ହେଲା ତାଙ୍କର ସ୍ବଚ୍ଛ ଓ ସରଳ ଭାବମୂର୍ତ୍ତୀ । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଭାବେ ଓ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ-କ୍ଷମତାରେ ଦୀର୍ଘ ବର୍ଷ ଧରି ରହିଥିଲେ ବି ସେ ଏପର୍ଯ୍ୟନ୍ତ ନିଷ୍କଳଙ୍କ ରହିଆସିଛନ୍ତି । ତାଙ୍କର ଏହି ଭାବମୂର୍ତ୍ତୀ ହିଁ ବିଜେଡିର ମୁଖ୍ୟ ଶକ୍ତି ରହିଆସିଛି।

ତାଙ୍କ ସରକାର ଅମଳରେ ରାଜ୍ୟରେ କିଛି ବିକାଶ ହୋଇଥିବା ତାଙ୍କ ବିରୋଧୀମାନେ ବି ସ୍ବୀକାର କରିବେ । ଶିଳ୍ପାୟନଠାରୁ ଆରମ୍ଭ କରି ଦାରିଦ୍ର୍ୟ ଦୂରୀକରଣ ପାଇଁ ତାଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଲୋକମାନଙ୍କ ନିକଟରେ ତାଙ୍କୁ ଅଶେଷ ଲୋକପ୍ରିୟତା ପ୍ରଦାନ କରିଛି ।

ତାଙ୍କ ଲୋକପ୍ରିୟତାର ଆଉ ଏକ କାରଣ ହେଲା ବ୍ୟକ୍ତି ସ୍ବାର୍ଥଠାରୁ ରାଜ୍ୟ ସ୍ବାର୍ଥକୁ ଅଧିକ ଗୁରୁତ୍ବ ପ୍ରଦାନ କରିବା । ଏକ ରାଜନୈତିକ ପରିବାରରୁ ଆସିଥିଲେ ବି ତାଙ୍କ ବିରୋଧରେ ବଂଶବାଦର ଆରୋପ ଆଜି ପର୍ଯ୍ୟନ୍ତ କେହି ଲଗାଇ ନାହାନ୍ତି । ତାଙ୍କର ଉତ୍ତରାଧିକାରୀ କିଏ ହେବ ବୋଲି ଥରେ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ “ ତାଙ୍କର ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ।’’

ସମ୍ବନ୍ଧିତ ଖବର