ନବୀନଙ୍କ ଦୁର୍ନୀତି ବିରୋଧୀ ଅଭିଯାନ: ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ

ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ

ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁର୍ନୀତି ବିରୋଧୀ ଲଢେଇକୁ ଆହୁରି ଜୋରଦାର କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତି  ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ । ଆମେ ଯଦି ସ୍ବଚ୍ଛତା ବଜାୟ ନ ରଖିବା ତେବେ ଅସମାନତା, ଦାରିଦ୍ର୍ୟ, ଆଞ୍ଚଳିକ ବୈଷମ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ଆମର ଲଢେଇ ନିରର୍ଥକ ହୋଇଯିବ ।

ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଦୁର୍ନୀତି ବିରୋଧୀ ଲଢେଇରେ ରାଜ୍ୟ ସାରା ଦେଶରେ ଆଗୁଆ ରହିଆସିଛି । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ପ୍ରାୟ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ସେମାନଙ୍କ ପେନସନ ବନ୍ଦ କରିଛନ୍ତି । ଏହି ଦୁର୍ନୀତି ବିରୋଧୀ ଲଢେଇକୁ ଆଗକୁ ନେବାକୁ ସେ କେତେକ ପ୍ରସ୍ତାବ ବିଜେଡ଼ି ରାଜ୍ୟ ପରିଷଦ ଆଗରେ ରଖିଛନ୍ତି । ଏହି ପ୍ରସ୍ତାବ ଅନୁସାରେ ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ,ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ ଓ ତାହାକୁ ପ୍ରତିବର୍ଷ ସର୍ବସାଧାରଣରେ ପ୍ରକାଶ କରାଯିବ ।

ସେହିପରି ରାଜ୍ୟର ସାଂସଦମାନେ ସ୍ବେଚ୍ଛାକୃତଭାବେ ନିଜର ସଂପତ୍ତି  ତାଲିକା ପ୍ରଦାନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିବେ । ଅନ୍ୟପକ୍ଷରେ ସାଧାରଣ କର୍ମଚାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ନିଜର ସଂପତ୍ତି ତାଲିକା ଦେବେ ଓ ତାହାକୁ  ତାହାକୁ ପ୍ରତିବର୍ଷ ସର୍ବସାଧାରଣରେ ପ୍ରକାଶ କରାଯିବ । ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ଆଗରେ ରଖାଯିବ ।

ସମ୍ବନ୍ଧିତ ଖବର