ନବୀନଙ୍କ ମନ୍ତ୍ରିମଣ୍ଡଳ

ନିରଞ୍ଜନ ପୂଜାରୀ
୨୦୦୦ ମସିହାରୁ ଲଗାତର ଭାବେ ପଞ୍ଚମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ନିରଞ୍ଜନ ପୂଜାରୀ। ପ୍ରଥମେ ବିନିକା ଓ ପରେ ସୋନପୁରରୁ ସେ ନିର୍ବାଚିତ ହେଉଛନ୍ତି। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳିର ମଧ୍ୟ ଭାଗରେ ଅର୍ଥାତ ୨୦୧୧ରେ ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇଲେ। ୨୦୧୪ରେ ସେ ପଞ୍ଚଦଶ ବିଧାନସଭାର ବାଚସ୍ପତି ଭାବେ ମନୋନୀତ ହୋଇଥିଲେ। ୨୦୧୭ ମେ’ ମାସରେ ସେ ପୁଣି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଆଜି ତୃତୀୟ ଥର ପାଇଁ ମନ୍ତ୍ରୀ ଭାବେ ଶ୍ରୀ ପୂଜାରୀ ଶପଥ ନେଇଛନ୍ତି। ସେ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ ପରେ ଏଲ୍ଏଲ୍‌ବି କରିଛନ୍ତି।

ବିକ୍ରମ କେଶରୀ ଆରୁଖ
୧୯୯୫ ମସିହାରୁ ଲଗାତର ୫ ଥର ଭଞ୍ଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ବିକ୍ରମ କେଶରୀ ଆରୁଖ। ୨୦୦୮ ମସିହାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ଅର୍ଥାତ ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଏହି ପାଳିରେ ସେ ୫ ବର୍ଷ ମନ୍ତ୍ରୀ ହେବା ସହ ୨୦୧୪ରେ ବି ପୁଣି ପାଞ୍ଚ ବର୍ଷ ପାଇଁ ମନ୍ତ୍ରୀ ହୋଇଥିଲେ। ନବୀନଙ୍କ ପଞ୍ଚମ ପାଳିରେ ବି ସେ ମନ୍ତ୍ରୀ ପଦ ବଜାୟ ରଖିବା ସହ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଛନ୍ତି। ସେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ସହ ଏଲ୍‌ଏଲ୍‌ବି କରିଛନ୍ତି।

ପଦ୍ମନାଭ ବେହେରା
୧୯୯୦ ମସିହାରେ ପ୍ରଥମେ ଫୁଲବାଣୀ ଆସନରୁ ଜନତା ଦଳ ଟିକେଟ୍‌ରେ ନିର୍ବାଚନ ଜିତିଥିଲେ ପଦ୍ମନାଭ ବେହେରା। ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ବି ହୋଇଥିଲେ। ପୁଣି ୧୯୯୮ ଓ ୧୯୯୯ରେ ଦୁଇ ଥର ଫୁଲବାଣୀରୁ ସାଂସଦ ଭାବେ ସେ ନିର୍ବାଚିତ ହୋଇଥିଲେ। ତାହା ପରେ ୨୦୦୪ରେ ଫୁଲବାଣୀ ଓ ୨୦୦୯ରୁ ଲଗାତର ତିନି ଥର ବିରମହାରାଜପୁରରୁ ସେ ବିଧାନସଭାକୁ ପ୍ରତିନିଧିତ୍ବ କରୁଛନ୍ତି। ୨୦୦୪ରେ ସେ ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳିରେ ଶ୍ରୀ ବେହେରାଙ୍କୁ ସୁଯୋଗ ଦେଇଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।

ରଣେନ୍ଦ୍ର ପ୍ରତାପ ସ୍ବାଇଁ
୧୯୯୦ ମସିହାରୁ ଆଠଗଡ଼ ନିର୍ବାଚନମଣ୍ଡଳୀରୁ କ୍ରମାଗତ ଭାବେ ଜିତି ଆସୁଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥାତ ୨୦୦୦ ମସିହାରେ ‌େସ ମନ୍ତ୍ରୀ ପଦ ପାଇଥିଲେ। ଏବେ ପୁଣି ପଞ୍ଚମ ପାଳିରେ ମନ୍ତ୍ରୀ ହୋଇଛନ୍ତି। ସେ ସ୍ନାତକୋତ୍ତର ଡିଗ୍ରି ସହ ଏଲ୍‌ଏଲ୍‌ବି କରିଛନ୍ତି।

ପ୍ରଫୁଲ୍ଲ ମଲ୍ଲିକ
୨୦୦୪ ମସିହାରୁ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ବିଧାନସଭା ଆସନରୁ ଲଗାତର ଚାରି ଥର ଜିତି ଆସୁଛନ୍ତି। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ପ୍ରଥମ ଭାଗରେ ସେ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ଓ ୨୦୧୭ରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ଶ୍ରମ, ଇସ୍ପାତ ଓ ଖଣି, ଶକ୍ତି ଏବଂ ପୂର୍ତ୍ତ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ସେ ନେଇଛନ୍ତି। ଏଥର ନବୀନଙ୍କ ପଞ୍ଚମ ପାଳିରେ ସେ ମନ୍ତ୍ରୀ ପଦ ବଜାୟ ରଖିବା ସହ ଦୁଇଟି ପୁରୁଣା ବିଭାଗ ପାଇଛନ୍ତି। ସେ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିବା ସହ ଏଲଏଲବି କରିଛନ୍ତି।

ସୁଦାମ ମାରାଣ୍ଡି
୧୯୯୦ ମସିହାରେ ପ୍ରଥମେ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ସୁଦାମ ମାରାଣ୍ଡି ଜିତିଥିଲେ। ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଦୁଇ ଥର ସେ ଜେଏମ୍‌ଏମ୍‌ ଟିକେଟ୍‌ରେ କୁଳିଆଣା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ୨୦୦୪ରେ ଜେଏମ୍‌ଏମ୍ ପ୍ରାର୍ଥୀ ଭାବେ ମୟୂରଭଞ୍ଜରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ବାଙ୍ଗିରିପୋଷିରୁ ବିଜେଡି ଟିକେଟ୍‌ରେ ଜିତିଲେ। ନବୀନଙ୍କ ଚତୁର୍ଥ ପାଳିରେ ସେ ରାଷ୍ଟ୍ର ମନ୍ତ୍ରୀ ବି ହୋଇଥିଲେ। ତେବେ ୨୦୧୭ରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ। ପଞ୍ଚମ ପାଳିରେ ସେ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ଓ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପଦୋନ୍ନତି ବି ପାଇଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ରହିଛି ସ୍ନାତକ।

ପ୍ରତାପ ଜେନା
୨୦୦୦ ମସିହାରୁ ଲଗାତର ଭାବେ ବିଧାନସଭାକୁ ପ୍ରତିନିଧିତ୍ବ କରୁଛନ୍ତି ପ୍ରତାପ ଜେନା। ପ୍ରଥମେ କିଷନନଗର ଓ ପରେ ମାହାଙ୍ଗାରୁ ସେ ଲଗାତର ଜିତି ଆସୁଛନ୍ତି। ୨୦୦୯ ମସିହାରେ ସେ ପ୍ରଥମେ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ତେବେ ୨୦୧୨ ମସିହାରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ। ପୁଣି ନବୀନଙ୍କ ଚତୁର୍ଥ ପାଳିର ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ୨୦୧୭ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ପଞ୍ଚମ ପାଳିରେ ସେ ତାଙ୍କ ପଦ ବଜାୟ ରଖିବା ସହ ତିନି ତିନିଟି ଗୁରୁତ୍ବପୂର୍ଣ୍ଣ ବିଭାଗ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଶ୍ରୀ ଜେନା ଗଣିତରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ସହ ଏଲ୍‌ଏଲ୍‌ବି ଏବଂ ମ୍ୟାନେଜ୍‌ମେଣ୍ଟ୍‌ରେ ପିଜି ଡିପ୍ଲୋମା କରିଛନ୍ତି।

ଅରୁଣ କୁମାର ସାହୁ
୨୦୦୪ ମସିହାରୁ ନୟାଗଡ଼ ବିଧାନସଭା ଆସନରୁ କ୍ରମାଗତ ୪ ଥର ଭାବେ ଅରୁଣ ସାହୁ ବିଧାନସଭାକୁ ପ୍ରତିନିଧିତ୍ବ କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳିରେ ଅର୍ଥାତ ୨୦୦୯ ମସିହାରେ ସେ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୨ ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ। ନବୀନଙ୍କ ଚତୁର୍ଥ ପାଳିରେ ବି ଶ୍ରୀ ସାହୁ ମନ୍ତ୍ରୀ ପଦ ବଜାୟ ରଖି ପଞ୍ଚାୟତିରାଜ ଓ ଆଇନ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ପାଇଥିଲେ। ତେବେ ୨୦୧୭ ମସିହାରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ। ପଞ୍ଚମ ପାଳିରେ ସେ ପୁଣି ମନ୍ତ୍ରିମଣ୍ଡଳରୁ ଫେରିବା ସହ କ୍ୟାବିନେଟ୍‌ ପାହ୍ୟା ପାଇଛନ୍ତି। କୃଷି ଓ ଉଚ୍ଚଶିକ୍ଷା ପରି ଓଜନିଆ ବିଭାଗ ବି ତାଙ୍କ ହାତରେ ରହିଛି। ଶ୍ରୀ ସାହୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରି ସହ ପିଏଚ୍‌ଡି ହାସଲ କରିଛନ୍ତି। ସେ ଏଲ୍‌ଏଲ୍‌ବି ବି କରିଛନ୍ତି।

ସୁଶାନ୍ତ ସିଂହ
୨୦୦୯ ମସିହାରୁ ଭଟ୍ଟଲି ବିଧାନସଭା ଆସନରୁ ଲଗାତର ତିନି ଥର ଜିତିଛନ୍ତିୁ ସୁଶାନ୍ତ ସିଂହ। ନବୀନଙ୍କ ଚତୁର୍ଥ ପାଳିର ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀ ସିଂହ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ଶକ୍ତି ଓ ଶ୍ରମ ବିଭାଗ ଦାୟିତ୍ବ ତୁଲାଇଥିଲେ। ପଞ୍ଚମ ପାଳିରେ ସେ ପଦୋନ୍ନତି ପାଇ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ପରି ଓଜନିଆ ବିଭାଗ ବି ପାଇଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା‌ ରହିଛି ଯୁକ୍ତ ଦୁଇ।

ନବକିଶୋର ଦାସ
୨୦୦୯ ଓ ୨୦୧୪ରେ କଂଗ୍ରେସ ଟିକେଟ୍‌ରେ ଝାରସୁଗୁଡ଼ାରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ ନବ କିଶୋର ଦାସ। କିନ୍ତୁ ଗତ ବର୍ଷ ସେ କଂଗ୍ରେସ ଛାଡ଼ିବା‌ ସହ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ପରେ ବିଜେଡିରେ ଯୋଗ ଦେଇ ଏଥର ବିଜେଡି ଟିକେଟ୍‌ରେ ଝାରସଗୁୁଡ଼ାରୁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ କ୍ୟାବିନେଟ୍‌ ପାହ୍ୟା ପାଇଛନ୍ତି। ଶ୍ରୀ ଦାସ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ସହ ଏଲ୍‌ଏଲ୍‌ବି କରିଛନ୍ତି।

ଟୁକୁନି ସ‌ାହୁ
ବିଜେଡିର ଜଣେ ଜଣାଶୁଣା ଯୁବ ନେତା ଅଭିମନ୍ୟୁ ସାହୁଙ୍କୁ ଦୁବୃର୍ତ୍ତୀମାନେ ହତ୍ୟା କରିଥିଲେ। ଏହା ପରେ ତାଙ୍କ ପତ୍ନୀ ଟୁକୁନି ସାହୁ ରାଜନୀତିରେ ପାଦ ଥାପିଥିଲେ। ୨୦୧୪ରେ ଟିଟିଲାଗଡ଼ ଆସନରୁ ସେ ବିଜେଡି ଟିକେଟ୍‌ ପାଇ ଜିତିଥିଲେ। ଏଥର ସେ ଲଗାତର ଦ୍ବିତୀୟ ବାର ଜିତିବା ସହ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ପୁଣି ମହିଳା ଓ ଶିଶୁ ବିକାଶ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ବି ପାଇଛନ୍ତି। ଶ୍ରୀମତୀ ସାହୁ ସ୍ନାତକ ଡିଗ୍ରି ହାସଲ କରିଛନ୍ତି।

ସମୀର ରଞ୍ଜନ ଦାଶ
୨୦୦୯ ମସିହାରୁ ନିମାପଡ଼ା ଆସନରୁ କ୍ରମାଗତ ଭାବେ ଜିତି ଆସୁଛନ୍ତି ସମୀର ରଞ୍ଜନ ଦାଶ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ସେ ପ୍ରଥମ ଥର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ବିଧାୟକ ହେବା ପୂର୍ବରୁ ‌େସ ସରପଞ୍ଚ ଓ ଜିଲ୍ଲା ପରିଷଦ ନିର୍ବାଚନରେ ଲଢ଼ି ବିଜୟୀ ହୋଇଥିଲେ। ଶ୍ରୀ ଦାଶ ସ୍ନାତକ ଡିଗ୍ରି ହାସଲ କରିବା ସହ ଏଲ୍‌ଏଲ୍‌ବି କରିଛନ୍ତି।

ଅଶୋକ ଚନ୍ଦ୍ର ପଣ୍ଡା
ସର୍ବଭାରତୀୟ ସୂଚନା ସେବା ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇ ଅଶୋକ ଚନ୍ଦ୍ର ପଣ୍ଡା ୨୦୦୯ ମସିହାରେ ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଜେଡି ପ୍ରାର୍ଥୀ ହୋଇ ଜିତିଥିଲେ। ୨୦୧୪ ମସିହାରେ ସେ ଦ୍ବିତୀୟ ବାର ଜିତିବା ସହ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ପଞ୍ଚମ ପାଳିରେ ସେ ତାଙ୍କ ମନ୍ତ୍ରୀ ପଦ ବଜାୟ ରଖିଥିଲେ ବି କ୍ୟାବିନେଟ୍‌ ପାହ୍ୟା ପାଇ ପାରି ନାହାନ୍ତି। ଶ୍ରୀ ପଣ୍ଡା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି।

ଦିବ୍ୟଶଙ୍କର ମିଶ୍ର
ପାଇଲଟ୍‌ ଭାବେ କ୍ୟାରିୟର୍ କରୁଥିବା ଦିବ୍ୟଶଙ୍କର ମିଶ୍ର ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପି ୨୦୧୪ ମସିହାରେ ବିଜେଡି ଟିକେଟ୍‌ରେ ଜୁନାଗଡ଼ରୁ ଲଢ଼ି ବିଜୟୀ ହୋଇଥିଲେ। ପରେ ସେ ଦଳର ମୁଖପାତ୍ର ଦାୟିତ୍ବ ମଧ୍ୟ ନିର୍ବାହ କରିଥିଲେ। ଏଥର ସେ ଲଗାତର ଦ୍ବିତୀୟ ବାର ଜିତିବା ସହ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ତିନି ତିନିଟି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ମିଳିଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ପଦ ବି ପାଇଛନ୍ତି। ସେ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି।

ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ସିମୁଳିଆରୁ ଲଗାତର ଭାବେ ଦୁଇ ଥର ନିର୍ବାଚିତ ହୋଇଛନ୍ତି ଜ୍ୟୋତି ପ୍ରକାଶ ପା‌ଣିଗ୍ରାହୀ। ଏଥର ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି। ସଂସ୍କୃତି ଓ ପର୍ଯ୍ୟଟନ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ତାଙ୍କ ହାତରେ। ବାଲେଶ୍ବର ଜିଲ୍ଲାରୁ ଏକମାତ୍ର ବିଧାୟକ ଭା‌େ‌ବ ‌େସ ମନ୍ତ୍ରୀ ହୋଇଛନ୍ତି। ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ରେ ଶ୍ରୀ ପାଣିଗ୍ରାହୀ ପିଜି ଡିପ୍ଲୋମା ଡିଗ୍ରି ହାସଲ କରିଛନ୍ତି।

ରଘୁନନ୍ଦନ ଦାସ
୨୦୦୦ ମସିହାରେ ରଘୁନନ୍ଦନ ଦାସ ବିଜେଡି ଟିକେଟ୍‌ରେ ବାଲିକୁଦାରେ ଲଢ଼ି ପରାଜିତ ହୋଇଥିଲେ। ୨୦୦୪ ଓ ୨୦୧୪ରେ ରେ ତାଙ୍କୁ ବିଜେଡି ଟିକେଟ୍‌ ନ ମିଳିବାରୁ ସ୍ବାଧୀନ ଭାବେ ଲଢ଼ି ହାରିଯାଇଥିଲା। ତାହା ପରେ ସେ ବିଜେପିରେ ଯୋଗ ଦେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ। ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଘଟଣାକ୍ରମେ ସେ ପୁଣି ବିଜେଡିକୁ ଫେରି ଜିତିଥିଲେ। ପ୍ରଥମ ଥର ବିଧାୟକ ‌େହାଇ ଶ୍ରୀ ଦାସ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ପୁଣି ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ପରି ଓଜନିଆ ବିଭାଗ ବି ପାଇଛନ୍ତି। ସେ ସ୍ନାତକ ଡିଗ୍ରି ହାସଲ କରିବା ସହ ଏଲ୍‌ଏଲ୍‌ବି କରିଛନ୍ତି।

ପ୍ରେମାନନ୍ଦ ନାୟକ
ତେଲକୋଇ ବିଧାନସଭା ଆସନରୁ ଲଗାତର ଦୁଇ ଥର ନିର୍ବାଚିତ ହୋଇଛନ୍ତି ପ୍ରେମାନନ୍ଦ ନାୟକ। ପ୍ରଥମ ଥର ପାଇଁ ସେ ଏଥର ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି। କେନ୍ଦୁଝରରୁ ଏକମାତ୍ର ବିଧାୟକ ଭାବେ ସେ ମନ୍ତ୍ରୀ ହୋଇଛନ୍ତି। ଶ୍ରୀ ନାୟକ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଛନ୍ତି।

ତୁଷାରକାନ୍ତି ବେହେରା
ଗତ ନିର୍ବାଚନରେ କାକଟପୁରରେ ବିଜେପି ଟିକେଟ୍‌ ପାଇଥିଲେ ତୁଷାରକାନ୍ତି ବେହେ‌ରା। କିନ୍ତୁ ରାଜନୈତିକ ଘଟଣାକ୍ରମେ ସେ ବିଜେପି ଟିକେଟ୍‌ ପ୍ରତ୍ୟାଖ୍ୟାନ କରି ଶେଷ ମୂହୁର୍ତ୍ତରେ ବିଜେଡି ଟିକେଟ୍‌ ନେଇ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ପ୍ରଥମ ପଦାର୍ପଣରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ବି ସାମିଲ କରାଯାଇଛି। ସେ ଆଇଆଇଟି ଖଡ଼ଗପୁରରୁ ଏମ୍‌.ଟେକ୍ ଡିଗ୍ରି ହାସଲ କରିଛନ୍ତି।

ଜଗନ୍ନାଥ ସାରକା
ବିଷମ କଟକରୁ ଲଗାତର ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିତିଛନ୍ତି ଜଗନ୍ନାଥ ସାରକା। ପ୍ରଥମ ଥର ପାଇଁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଅନୁସୂଚିତ ଜାତି ଓ ଜନଜାତି ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଛନ୍ତି। ଶ୍ରୀ ସାରକା ସ୍ନାତକ ଡିଗ୍ରି ହାସଲ କରିବା ସହ ଏଲ୍‌ଏଲ୍‌ବି କରିଛନ୍ତି।

ପଦ୍ମିନୀ ଦିଆନ
ପ୍ରଥମ ଥର ପାଇଁ କୋଟପାଡ଼ ବିଧାନସଭା ଆସନରୁ ଜିତିଛନ୍ତି ପଦ୍ମିନୀ ଦିଆନ। ପ୍ରଥମ ବିଜୟରେ ସେ ମନ୍ତ୍ରୀ ପଦ ବି ହାସଲ କରିଛନ୍ତି। ଓଡ଼ିଶାର ଗୌରବ କୁହାଯାଉଥିବା ହସ୍ତତନ୍ତ ଓ ହସ୍ତଶିଳ୍ପର ବିଭାଗ ତାଙ୍କରି ହାତରେ ଦିଆଯାଇଛି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ମାଟ୍ରିକ୍।

ସମ୍ବନ୍ଧିତ ଖବର