କୋଡ଼ିଏ ବର୍ଷରେ ନବୀନ ଶାସନ : ବିକାଶର କେତେ ପାଖରେ ଓଡ଼ିଶା

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ) : ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଏପିଜେ ଅବଦୁଲ୍ କଲାମ୍ ଭାରତ ସାମ୍ନାରେ ଭିଜନ୍-୨୦୨୦ ସ୍ବପ୍ନ ରଖିଥିଲେ। ଏହି ସମୟସୀମା ଭିତରେ ସଫଳତାର ଶୀର୍ଷ ଛୁଇଁବା ଲାଗି କଲାମଙ୍କ ସ୍ବପ୍ନ ସମାଜର ସବୁ ବର୍ଗର ମନକୁ ସ୍ପର୍ଶ କରିଥିଲା। ଏହାକୁ ଲକ୍ଷ୍ୟ ରଖି ଆଗକୁ ବଢ଼ିବା ଲାଗି ସମସ୍ତେ ପ୍ରେରଣା ପାଇଥିଲେ। ଆସନ୍ତାକାଲି ୨୦୨୦ ଜାନୁଆରି ପହିଲା। ଏବେ ହିସାବନିକାସର ବେଳ ଆସି ପହଞ୍ଚିଛି। ଦେଶ ଆଗରେ ଲକ୍ଷ୍ୟ କ’ଣ ଥିଲା, କେତେ ହାସଲ କଲା?

ସଂଯୋଗବଶତଃ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବକୁ ବି ୨୦ ବର୍ଷ ଛୁଉଁଛି। ଏକ ନୂଆ ଓଡ଼ିଶା ଗଠନର ସ୍ବପ୍ନ ଦେଖାଇ ୨୦୦୦ ମସିହାରେ ସେ କ୍ଷମତା ଚୌକିରେ ବସିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ ବାସ୍ତବତା ମଧ୍ୟରେ ଦୂରତା କେତେ? ଆଉ କେତେବାଟ ଗଲେ ଏକ ବିକଶିତ ରାଜ୍ୟ ଭାବେ ଗଣାଯିବ ଓଡ଼ିଶା? ଏଭଳି କିଛି ପ୍ରଶ୍ନ ନୂଆବର୍ଷ ସକାଳୁ କେତେକଙ୍କୁ ଆନ୍ଦୋଳିତ କରିବା ସ୍ବାଭାବିକ।

୧୯୯୯ ମହାବାତ୍ୟାରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଓଡ଼ିଶା। ଦୁର୍ବଳ ଅର୍ଥନୀତିର ଚାଦର ଘୋଡେଇ ରଖିଥିଲା ଅର୍ଥମନ୍ତ୍ରୀଙ୍କ ବଜେଟ୍ ବାକ୍ସକୁ। ସରକାରୀ କର୍ମଚାରୀ ଠିକ୍ ସମୟରେ ଦରମା ପାଉନଥିଲେ। କିଛି ଜିଲ୍ଲା ଅର୍ଧାହାର ବା ଅନାହାର ଭଳି କଳଙ୍କ ମୁଣ୍ଡାଇ ବୁଲୁଥିଲା। ଆଉ କିଛି ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ ଅବସ୍ଥାରେ ପହଞ୍ଚିଥିଲା। କେତେକ ଜିଲ୍ଲାରେ ନକ୍ସଲମାନେ ସମାନ୍ତରାଳ ଶାସନ ଲାଗି ସଜବାଜ ଚଳାଇଥିଲେ। ସେହିପରି ଓଡ଼ିଶା ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନ ଥିଲା। ସେ ସମୟର ସ୍ବାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା, ସଡକ ଓ ରେଳ ପରିବହନ ଆଦି କ୍ଷେତ୍ରର ଚେହେରାକୁ ଏକ ସୁସ୍ଥ ଚେହେରା ବୋଲି କୁହାଯାଇପାରିବ ନାହିଁ।

ଏହି କୋଡ଼ିଏ ବର୍ଷ ଭିତରୁ ୯ବର୍ଷ ବିଜେଡି-ବିଜେପି ମେଣ୍ଟ ସରକାରରେ ଥିଲା, ବାକି ୧୧ ବର୍ଷ ବିଜେଡି ହାତରେ େଲାକେ ଶାସନର ଡୋରି ଧରାଇଛନ୍ତି। ନବୀନଙ୍କ ନେତୃତ୍ବ ପ୍ରତି ସାମାନ୍ୟତମ ଆଞ୍ଚ ଆସିନାହିଁ। ଶାସନକଳ ଏକଦମ୍ ଦୃଢ଼ ରହିଛି, ବିଧାନସଭାରେ ସରକାରୀ ଦଳର ସଂଖ୍ୟା ଭଳି।

ଇଚ୍ଛାଶକ୍ତି ଥିଲେ, ଏଭଳି ସୁଦୃଢ ମୂଳଦୁଆ ଉପରେ ଗଠିତ ଶାସନରେ ବିକାଶ ହାସଲ କରିବା କଷ୍ଟକର ନୁହେଁ ବୋଲି ସମାଲୋଚକ ମତ ରଖନ୍ତି। ତେବେ ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ଓଡ଼ିଶା ଏବେ ଆର୍ଥିକ ଦୃଷ୍ଟିରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ୨୦୦୦-୦୧ରେ ଓଡ଼ିଶା ବଜେଟ୍ ଆକାର ଥିଲା ୧୪୦୪୩ କୋଟି ଟଙ୍କା, ଜିଏସଡିପିର ପରିମାଣ ୪୬ ହଜାର ୭୫୬ କୋଟି ଟଙ୍କା। ୨୦୧୯-୨୦ରେ ମୂଳ ଓ ଅତିରିକ୍ତ ବଜେଟକୁ ମିଶାଇଲେ ସରକାର ୧ଲକ୍ଷ ୪୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ସାହସ ଦେଖାଇଲେଣି, ଯେତେବେଳେ କି ଜିଏସଡିପିର ପରିମାଣ ୫ଲକ୍ଷ ୪୦ ହଜାର ୮୧୨ େକାଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି। କୌତୂହଳର ବିଷୟର ହେଉଛି, ରାଜ୍ୟର ଋଣ ଭାର ମଧ୍ୟ ୧୮ ହଜାର ୧୦୦ କୋଟି ଟଙ୍କାରୁ ଯାଇ ଆସନ୍ତା ମାର୍ଚ୍ଚ ସୁଦ୍ଧା ୧ଲକ୍ଷ ୬ ହଜାର କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ସୁଦ୍ଧା ଛୁଇଁବ ବୋଲି ସରକାର ନିଜ ବଜେଟରେ ହିସାବ ଦେଇଛନ୍ତି। ଅର୍ଥ ବିଭାଗ କିନ୍ତୁ ଯୁକ୍ତି ରଖେ, ପୂର୍ବରୁ ନିଜସ୍ବ ଆୟର ୧୬୦% କର୍ମଚାରୀଙ୍କ ଦରମାରେ ଖର୍ଚ୍ଚ ହେଉଥିଲା, ଏବେ ଆୟର ୬୦% ଦରମା ଓ ୪୦% ବିକାଶରେ ଲାଗୁଛି। ଏକଥା ମଧ୍ୟ ସତ, ସରକାର ନିଜ ଆୟ ଆଉ ଆଖିଦୃଶିଆ ଭାବେ ବଢାଇପାରୁନାହାନ୍ତି। ନୂଆ ରୋଜଗାରର ରାସ୍ତା ଖୋଜିବା ଲାଗି ଉଦ୍ୟମ ନାହିଁ, ଯାହା ୨୦୨୦ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି।

ରାଜ୍ୟର ରୋଜଗାର ବଢ଼ିଛି। ହେଲେ ୧୧ଟି ଜିଲ୍ଲାରେ ଦାଦନ ସମସ୍ୟାର ଚିତ୍ର ବିରୋଧୀଙ୍କୁ ବିରୋଧ ପାଇଁ ଖୋରାକ ଯୋଗାଏ। ଆଶ୍ବାସନାର ବିଷୟ ହେଉଛି, ଅନାହାର ମୃତ୍ୟୁର କଳଙ୍କ ଇତିମଧ୍ୟରେ ଲିଭିବା ଆରମ୍ଭ କଲାଣି। ଏଇଥିପାଇଁ ଯେ ରାଜ୍ୟର ୮୯ ଲକ୍ଷ ୧୬ ହଜାର ୩୧୪ ପରିବାରର ୩କୋଟି ୨୧ଲକ୍ଷ ୭୩ ହଜାର ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ନିର୍ଭରଶୀଳ, ଟଙ୍କିକିଆ ଚାଉଳ ସେମାନଙ୍କର ମୁଖ୍ୟ ଆଶ୍ରା। ଏଥିରୁ ବଞ୍ଚିତ ଅନ୍ୟ ୪ଲକ୍ଷ ୯ହଜାର ୬୮୫ ପରିବାରର ୧୨ଲକ୍ଷ ୭୦ ହଜାର ୬୩୯ ଲୋକଙ୍କୁ ଓଡ଼ିଶା ସରକାର ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ରେ ଟଙ୍କିକିଆ ଚାଉଳ ଦେବାକୁ ବାଧ୍ୟ ହୋଇଛନ୍ତି।

ଓଡ଼ିଶା ଇତିମଧ୍ୟରେ ଚାଉଳ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି ଓ ବଳକା ଚାଉଳ ବାହାରକୁ ରପ୍ତାନି କରୁଛି ବୋଲି ସରକାର ଦାବି କରିଛନ୍ତି। ଅନ୍ୟପକ୍ଷରେ ପରିସଂଖ୍ୟାନ କହୁଛି, ୨୦୦୦-୦୧ ମସିହାରେ ୫୮.୨୯ଲକ୍ଷ େହକ୍ଟର ଚାଷ ଜମି ଥିଲା, ଏବେ ତାହା କମି କମି ଆସି ୫୩ଲକ୍ଷ ତଳକୁ ଆସିଲାଣି। ଧାନ ଚାଷରେ ରାଜ୍ୟ ଆଗରେ ଥିଲେ ସୁଦ୍ଧା ଫଳ, ପନିପରିବା ଉତ୍ପାଦନକୁ ସାଇତି ରଖି ନିଜ ଲୋକଙ୍କୁ ଦେବାରେ ଓଡ଼ିଶା ଅକ୍ଷମ। ଶୀତଳଭଣ୍ଡାର ନେଇ ସରକାରଙ୍କ ସବୁ କୌଶଳ କେବଳ ଭାଷଣବାଜିରେ ରହିଯାଇଛି। କୃଷି-ପଶୁସଂପଦ- ସମବାୟ-ଜଳସେଚନ ଓ ଖାଦ୍ୟ େଯାଗାଣ ପ୍ରଭୃତି ବିଭାଗଗୁଡିକ ମଧ୍ୟରେ ସର୍ବନିମ୍ନ ସମନ୍ବୟ ଅଭାବରୁ ସେମାନେ ନିଜ ନିଜର ଲକ୍ଷ୍ୟ ଛୁଇଁପାରିନାହାନ୍ତି କିମ୍ବା ଓଡ଼ିଶାର ଚାଷୀ ପଞ୍ଜାବ ଚାଷୀର ପାଖାପାଖି ସୁଦ୍ଧା ପହଞ୍ଚି ପାରୁନାହିଁ। ନିୟମିତ ବ୍ୟବଧାନରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଲାଗି ସୁଯୋଗ ରଖେ। ପ୍ରକୃତ ଚାଷୀ କିଏ ତାହା ଚିହ୍ନଟ ହୋଇନପାରିବା କାରଣରୁ ସରକାରଙ୍କ କାଳିଆ ଯୋଜନା ସହାୟତାରୁ ଏକ ଅଂଶ ଭୂତ ଖାଇଗଲେ। ଅବଶ୍ୟ ନିକଟରେ ସରକାର ଚାଷୀଙ୍କ ଆୟ ଦ୍ବିଗୁଣ କରିବା ଲାଗି ନୂଆ କୃଷି ନୀତି ପ୍ରଣୟନ କରିଛନ୍ତି।

ଏହି ସମୟ ଭିତରେ ଓଡ଼ିଶାକୁ ଏମ୍‌ସ ଆସିଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁର ବ୍ୟତୀତ ଏବେ ରାଜ୍ୟରେ ଆହୁରି ୧୦ରୁ ଅଧିକ େମଡିକାଲ କଲେଜ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଲାଣି। ସରକାର ବର୍ଷକୁ ୬୦୦କୋଟି ଟଙ୍କାର ମାଗଣା ଔଷଧ ଦେଉଛନ୍ତି। ଡାକ୍ତରଙ୍କ ଦରମା ଆଖିଦୃଶିଆ ବୃଦ୍ଧି କରାଯାଇଛି। କିନ୍ତୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପେସାଦାର ମାନସିକତା ଅଭାବ ଯୋଗୁ ଓଡ଼ିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛରେ ରହିଛି। ଆଜି ମଧ୍ୟ ରାଜ୍ୟର ଶତାଧିକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ହେଲେ ଡାକ୍ତର ନାହାନ୍ତି, ଭୁବନେଶ୍ବରରେ କିନ୍ତୁ ରୋଗୀନଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବସି ରହୁଛନ୍ତି।

ଶିକ୍ଷା କ୍ଷେତ୍ରରେ ଏକାଧିକ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ େଖାଲିଛି। ଇଂରାଜି ମାଧ୍ୟମ ବିଦ୍ୟାଳୟକୁ ଲକ୍ଷ୍ୟ ରଖି ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି। ହେଲେ ସ୍ପଷ୍ଟ ଶିକ୍ଷା ନୀତିର ଅଭାବ କାରଣରୁ ମାସ ମାସ ଧରି ଅଧ୍ୟାପକ ଆନ୍ଦୋଳନରେ ମାତୁଥିବା ପରି ଅଭାବନୀୟ ଘଟଣା ଘଟୁଛି। ସବୁ ପ୍ରମୁଖ ବିଶ୍ବବିଦ୍ୟାଳୟରୁ ଆନ୍ତର୍ଜାତିକ ସ୍ତରରେ ନାମ ରଖିବା ପରି ଅଥବା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ହାସଲ କରିବା ଭଳି ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି।

ସବୁଠାରୁ ଅଧିକ ଉନ୍ନତି ସଡକ ଯୋଗାଯୋଗ କ୍ଷେତ୍ରରେ ହୋଇଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳକୁ ପୋଲ ଠାରୁ ପ୍ରତି ଜିଲ୍ଲାର ପ୍ରମୁଖ ରାସ୍ତା ଚିକ୍‌ଚିକ୍ କରୁଛି। ହେଲେ ବାବୁଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ଦାନମାଝୀ ଓ ନଗଡା ଘଟଣାରେ ଓଡ଼ିଶା ନିନ୍ଦିତ ହୋଇଛି। ତିଆରି ହେଉଥିବା ରାସ୍ତା ଉପରେ ଆଉଥରେ ପିଚୁ ପକାଇ ବିଲ୍ ନେଉଥିବା ଅଭିଯୋଗ ବଢୁଛି ଓ ତା ସହ ଅପହଞ୍ଚ ଇଲାକାକୁ ମୁଖ୍ୟ ରାସ୍ତା ସହ ଯୋଡାଯାଇ ପାରୁନଥିବା କାରଣରୁ ଗର୍ଭବତୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବା ଖବର ମଧ୍ୟ ବଢି ଚାଲିଛି।

ନକ୍ସଲ ହିଂସା ନିୟନ୍ତ୍ରଣକୁ ଆସିଲାଣି। ସୁଦୃଢ ଭିତ୍ତିଭୂମି ସତ୍ତ୍ବେ ଆଇନଶୃଙ୍ଖଳା ପୂର୍ବାପେକ୍ଷା ବିଗୁଡୁଛି। ବର୍ଷକୁ ପାଖାପାଖା ପାଞ୍ଚହଜାର ଲୋକ ସଡକ ଦୁର୍ଘଟଣାରେ ଜୀବନ ହାରୁଛନ୍ତି, ଯେଉଁଥିରୁ ୭୦% ତାଙ୍କ ପରିବାରର ରୋଜଗାରିଆ ମୁଣ୍ଡ ଥିଲେ। ଏହା ଅର୍ଥ ସେ ପରିବାରଗୁଡିକ ମୁହଁରୁ ଆହାର ଛଡ଼ାଇ ନେଇଛି ସଡକ ଦୁର୍ଘଟଣା।

୨୦୦୦ ସୁଦ୍ଧା ରାଜ୍ୟରେ ଗୋଟିଏ ଇସ୍ପାତ କାରଖାନା ଥିଲା। ଏବେ ଏକାଧିକ କାରଖାନା ଇସ୍ପାତ ଉତ୍ପାଦନ କଲେଣି। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପୋସ୍କୋ ଇଣ୍ଡିଆ, ମିତ୍ତଲକୁ ଓଡ଼ିଶା ହାତଛଡା କରିଛି। ସେହିଭଳି ଏକାଧିକ ତାପଜ ବିଦ୍ୟୁତ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା ସହ ଓଡ଼ିଶା ଶକ୍ତି କ୍ଷେତ୍ରରେ ବଳକା ବୋଲି ଦାବି କଲାଣି। କିନ୍ତୁ ଜଳବିଦ୍ୟୁତ କ୍ଷେତ୍ରରେ ଗୋଟିଏ େମଗାଵାଟ ଯୋଡାଯାଇପାରିଲା ନାହିଁ।

ଖଣି କ୍ଷେତ୍ରରୁ ବ୍ୟାପକ ରାଜସ୍ବ ଆସିଛି, କିନ୍ତୁ ଏ କ୍ଷେତ୍ରରେ ମହାଦୁର୍ନୀତିରର ଛାପକୁ ବି ସରକାର ଦୃଢତାର ସହିତ ଦମନ କରିବାରେ ସକ୍ଷମ ହୋଇଛନ୍ତି। ଚିଟ୍‌ଫଣ୍ଡ ଘଟଣାରେ ସରକାର ଦୁର୍ନାମ ମୁଣ୍ଡାଇଥିଲେ ହେଁ ଜମାକାରୀଙ୍କ ବିଶ୍ବାସ ଫେରାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଥିଲେ ସୁଦ୍ଧା କୁେପାଷଣ ଛାପ କିନ୍ତୁ ଛାଡୁନି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା େକ୍ଷତ୍ରରେ ସମଗ୍ର ବିଶ୍ବର ଦୃଷ୍ଟିଆକର୍ଷଣ କରିଛି ଓଡ଼ିଶା। ଜାତିସଂଘରୁ ପ୍ରଶଂସା ଗୋଟାଇଛି। ଫାଇଲିିନ୍‌ରୁ ଫନି ଏହାର ଗୋଟିଏ ଗୋଟିଏ ଉଦାହରଣ। ହେଲେ ବିପର୍ଯ୍ୟୟରେ କ୍ଷତିପରିମାଣ କମାଇବା ପାଇଁ ଅନେକ ପ୍ରକଳ୍ପ ଲୋଡା। ଏସବୁ ସହିତ ପରିବେଶ ଏବେ ଓଡ଼ିଶା ପାଇଁ ବଡ଼ ଚ୍ୟାଲେଞ୍ଜ।

ଇତିହାସ ସୂଚାଏ, ରାଜା ମହାରାଜା ନିଜ ସମୟକୁ ଶ୍ରେଷ୍ଠ ବୋଲି ସାବ୍ୟସ୍ତ କରିବାକୁ ବିଭିନ୍ନ ମନ୍ଦିର ଗଢିଥାନ୍ତି। ବିଳମ୍ବରେ ହେଲେ ବି ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ଦିଗରେ ଧ୍ୟାନ ଦେଇଛନ୍ତି। କୁହାଯାଏ, ଓଡ଼ିଶା ତାହାର କଳାସଂସ୍କୃତି ଓ ପର୍ଯ୍ୟଟନ ସମ୍ଭାବନା ଦୃଷ୍ଟିରୁ ପ୍ରମୁଖ ସ୍ଥାନ ହାସଲ କରିଛି। ମାତ୍ର ଏ ବର୍ଷଗୁଡିକରେ ଏ କ୍ଷେତ୍ରରେ କିଛି ଉନ୍ନତି ଘଟିନାହିଁ। ପର୍ଯ୍ୟଟନ ନିଗମ ଯେମିତି ଥିଲା ସେମିତି। ଭୁବନେଶ୍ବର କଳାମଣ୍ଡଳ କାମ ଏବେ ବି ଅଧୁରା।

ସବୁଠାରୁ ବଡ଼ ବିଫଳତା ଦେଖାଦେଇଛି ପର୍ଯ୍ୟଟନ କ୍ଷେତ୍ରରେ। ଆମେ ଏହା ଲେଖିବା ବେ​ଳକୁ ହୁଏତ କୋଣାର୍କର ଇକୋ ରିଟ୍ରିଟ୍ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଆମେ ଆମର ବେଳାଭୂମିକୁ ପର୍ଯ୍ୟଟନ ଦୃଷ୍ଟିରୁ ଉପଯୋଗୀ କରିପାରୁନାହୁଁ। ଓଡ଼ିଶା ପାଇଁ ପର୍ଯ୍ୟଟନରୁ ନିଯୁକ୍ତି ପାଇଁ ସବୁଠାରୁ ଅଧିକ ସମ୍ଭାବନା ଥିଲେ ହେଁ ଏହାକୁ ଆଦୌ ସେଭଳି ଗୁରୁତ୍ବ ଦିଆଯାଇନାହିଁ। ଭାଷା-ସାହିତ୍ୟ-ସଂସ୍କୃତି ପାଇଁ ସରକାରୀ ତତ୍ପରତା କେବଳ ପ୍ରଚାର ଭିତରେ ସୀମିତ। ଏହା ଭିତରେ ନା ଗଢିଉଠିଛି ଶାସ୍ତ୍ରୀୟ ଭାଷା କେନ୍ଦ୍ର ନା ରୂପ ନେଇପାରିଛି ଓଡ଼ିଆ ବିଶ୍ବବିଦ୍ୟାଳୟ।

ଏସବୁ ସତ୍ତ୍ବେ ସାଂପ୍ରଦାୟିକ ଶାନ୍ତିରକ୍ଷା, କ୍ରୀଡା ବିକାଶ ଏବଂ ଐତିହ୍ୟର ସୁରକ୍ଷା ସହ ରାଜନୈତିକ ସ୍ଥିରତା ଆଣିବା େକ୍ଷତ୍ରରେ ନବୀନ ପଟ୍ଟନାୟକ ନିଜ ପାଇଁ ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ପ୍ରତିଷ୍ଠା କରିପାରିଛନ୍ତି। ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଆରମ୍ଭ ହୋଇଥିବା ୫ଟି ଓ ମୋ ସରକାର ଯୋଜନା ସରକାରୀ କଳକୁ ସକ୍ରିୟ କରିଛି। ଯଦି ଭାଗ୍ୟ ଦେଇଥିବା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଶାସନ କଳ ଅଙ୍ଗୀକାରବଦ୍ଧତା ସହ ଉପଯୋଗ କରନ୍ତି ତାହାହେଲେ ଦିନେ ଅବଦୁଲ କଲାମ ଦେଖିଥିବା ସ୍ବପ୍ନକୁ ଓଡ଼ିଶା ସଫଳ କରାଇ ପାରିବା ବିଚିତ୍ର ମନହେବନାହିଁ।

ସମ୍ବନ୍ଧିତ ଖବର