ପାଟକୁରାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର : ‘ବିକାଶ କଥା ମୁଁ ବୁଝିବି; ସାବିତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ’

କେନ୍ଦ୍ରାପଡ଼ା/ଡେରାବିଶ/ଗରଦପୁର/ମାର୍ଶାଘାଇ : ‘ଏଥର ପାଟକୁରା ବିଧାନସଭା କ୍ଷେତ୍ରର ବିକାଶ କାର୍ଯ୍ୟ ମୁଁ ବୁଝିବି, ଆପଣମାନେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଆଶୀର୍ବାଦ କରନ୍ତୁ, ବହୁ ଭୋଟ ଦେଇ ବିଜୟୀ କରାନ୍ତୁ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଏଭଳି ଆହ୍ବାନ ଦେଇ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଡେରାବିଶ ବ୍ଲକ ବାରିମୂଳଠାରେ ନିର୍ମିତ ସ୍ବତନ୍ତ୍ର ହେଲିପ୍ୟାଡ୍‌ରେ ଆଜି ସକାଳ ୯ଟା ୫୦ରେ ଓହ୍ଲାଇବା ପରେ ସ୍ବତନ୍ତ୍ର ହାଇଟେକ୍‌ ବସ୍‌ରେ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର, ମାର୍ଶାଘାଇ ଓ ଡେରାବିଶର ବିଭିନ୍ନ ପଂଚାୟତରେ ରୋଡ୍‌ ସୋ’ କରିଛନ୍ତି। ବିଭିନ୍ନ ଛକ ଓ ବଜାରରେ ହାଇଟେକ ବସ ଉପରୁ ‘ଜୟ ଜଗନ୍ନାଥ, ଅପଣମାନେ ଖୁସି ତ’ କହି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ବିଜେଡି ଶିବିରରେ ଅଧିକ ଶକ୍ତି ସଂଚାର କରିବା ସହ ନିର୍ବାଚନ ମଇଦାନକୁ ସରଗରମ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ହେଲିପ୍ୟାଡ୍‌ରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌, ପାଟକୁରା ନିର୍ବାଚନ ଦାୟିତ୍ବରେ ଥିବା କୃଷିମନ୍ତ୍ରୀ ଅରୁଣ ସାହୁ, ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ଅମର ଶତପଥୀ, ପ୍ରାକ୍ତନ ବିଧାୟକ ସଞ୍ଜୟ ଦାସବର୍ମା, ଆଳି ବିଧାୟକ ପ୍ରତାପ ଦେବ୍, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲିକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ମୋରଡା ବିଧାୟକ ରାଜକିଶୋର ଦାସ, ପ୍ରାକ୍ତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ଆକାଶ ଦାସ ନାୟକ, ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ, କେନ୍ଦ୍ରାପଡା ଜିଲ୍ଲା ବିଜେଡ଼ି ସଭାପତି ତଥା ପ୍ରାକ୍ତନ ବିଧାୟକ କିଶୋର ତରାଇଙ୍କ ସମେତ ବହୁ ଦଳୀୟ ନେତାମାନେ ସ୍ବାଗତ କରିଥିଲେ। ପ୍ରଥମ ପର୍ଯ୍ୟାୟ ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ଜଂଟିଲୋସ୍ଥିତ ଡାକବଙ୍ଗଳାରେ ମଧ୍ୟାହ୍ନଭୋଜନ କରିବା ସହ ବିଶ୍ରାମ କରିଥିଲେ। ଅପରାହ୍ନରେ ଡେରାବିଶ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିଲେ। ଗରଦପୁର ବ୍ଲକରେ ପ୍ରଚାର ସମୟରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପତାପ ସ୍ବାଇଁ, ରାଜ୍ୟ ଇସ୍ପାତ, ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଉରକେଲା ବିଧାୟକ ଶାରଦା ନାୟକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର