ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟସରକାର ଚୁପ୍ କାହିଁକି? ନୃତଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କଲେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାରକୁ ସମବେଦନା ଜଣାଇଲେ ରାଜ୍ୟ ପ୍ରଭାରୀ

ଭୁବନେଶ୍ୱର: ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ବିଜେଡି ଦଳର ଭ୍ରଷ୍ଟାଚାର ବିରୁଦ୍ଧରେ କୁଳମଣି ବରାଳ ସ୍ୱର ଉଠାଇଥିବାରୁ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ତାଙ୍କୁ ହତ୍ୟା କରାଯାଇଛି । ଏହା ପୂର୍ବରୁ ୧ ବର୍ଷ ତଳେ ସମାନ ଢଙ୍ଗରେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା । ମାହାଙ୍ଗାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଶାସକ ଦଳର ଗୁଣ୍ଡାମାନେ ବିରୋଧୀଙ୍କୁ ହତ୍ୟା କରୁଛନ୍ତି । ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ପୂର୍ବରୁ ସେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ନେଇଥିଲେ ଏବଂ ଏତଲା କପିରେ ମଧ୍ୟ ମନ୍ତ୍ରୀଙ୍କ ନାଁ ରହିଥିବାବେଳେ ପୁଲିସ କାହିଁକି ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁ ବୋଲି ରାଜ୍ୟ ପ୍ରଭାରୀ ତଥା ସାଂସଦ ଡି.ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ନୃତଙ୍ଗଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ନବୀନ ବାବୁଙ୍କ ଶାସନରେ ଓଡିଶାର ଲୋକମାନେ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି । ନବୀନ ବାବୁ ପଦାକୁ ଆସନ୍ତୁ, ଆଖି କାନ ଖୋଲନ୍ତୁ, ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରନ୍ତୁ । ଶାସକ ଦଳ ନେତା ଏବଂ ତାଙ୍କ ସଂପର୍କୀୟମାନେ ଦୁର୍ନୀତିରେ ବୁଡି ରହିଛନ୍ତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇଙ୍କ ନାଁରେ ଜାଲିଆତି କରି ଚାଷୀ ଋଣ ଉଠାଇବା ଅଭିଯୋଗ ରହିଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟସରକାର ଚୁପ୍ କାହିଁକି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ସାଢେ ୪ କୋଟି ଲୋକ ମୋ ପରିବାର । ସେହି ପରିବାରରେ କୁଳମଣି ବରାଳ, ଦିବ୍ୟ ସିଂହ ବରାଳ ଏବଂ ବିକାଶ ଜେନା ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଓ ନ୍ୟାୟ ଦେଇପାରୁନାହାଁନ୍ତି ? ଲୋକମାନେ ନବୀନ ବାବୁଙ୍କୁ ଭୋଟ ଦେଇ ଶାସନ ଗାଦିରେ ବସାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଦାୟିତ୍ୱ ରହିଛି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା । ସାଧାରଣ ଲୋକଙ୍କୁ ନ୍ୟାୟ ନ ମିଳିଲେ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ । କୁଳମଣି ବରାଳ ପରିବାରଙ୍କ ଆଖିର ଲୁହ ନବୀନ ବାବୁଙ୍କ ପାଇଁ ଅଭିଶାପ ପାଲଟିବ । ଏହି ହତ୍ୟାକାଣ୍ଡରେ ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ।

ଏଠି ସାଧାରଣ ଲୋକକୁ ନ୍ୟାୟ ମିଳିପାରୁନାହିଁ । ୫ ବର୍ଷର କୁନି ଝିଅ ପରୀକୁ ମଧ୍ୟ ରାଜ୍ୟ ସରକାର ନ୍ୟାୟ ଦେଇ ପାରିଲେ ନାହିଁ । ରାଜ୍ୟରେ ଶିଶୁ ନିଖୋଜ ଘଟଣା ବୃଦ୍ଧି ହେବା ସହ ଅଙ୍ଗ ତସ୍କରୀ ଗ୍ୟାଙ୍ଗ ସକ୍ରିୟ ରହିଛି । ଏନସିଆରବି ରିପୋର୍ଟ ଅନୁସାରେ ଓଡିଶାରେ ମହିଳା ଓ ଶିଶୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି । ଓଡିଶାରେ ଶିଶୁ ଚୋରିର ରିକଭରି ରେଟ୍ ୧୪% ରହିଛି । ରାଜ୍ୟର ମା’ ଭଉଣୀମାନେ ସମ୍ମାନ, ସୁରକ୍ଷା ଏବଂ ନ୍ୟାୟ ପାଇବାରୁ ବଂଚିତ ରହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର ଆସ୍ଥା ତୁଟିଗଲାଣି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି ।

ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ମାହାଙ୍ଗା ନିର୍ବାଚନମଣ୍ଡଳୀର ନୃତଙ୍ଗ ଗ୍ରାମକୁ ଯାଇ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ଆମେ ସେମାନଙ୍କ ପରିବାର ସହ ଅଛୁ । ଯେବେ ଯାଏଁ ମୃତକ ପରିବାର ଲୋକଙ୍କୁ ନ୍ୟାୟ ନମିଳିଛି ସେବେ ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି ।

ବିଜେଡି ଦଳର ଆନୁଗତ୍ୟ ହୋଇ କାର୍ଯ୍ୟ ନକରିବାରୁ ମୋତେ ଚାକିରିରୁ ବିଦା କରାଗଲା ବୋଲି ପୂର୍ବତନ ପୁଲିସ ଡିଜି ତଥା ବରିଷ୍ଠ ବିଜେପି ନେତାା ପ୍ରକାଶ ମିଶ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନମନ୍ତ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ପ୍ରକାଶ ବେହେରା, ଶାରଦା ପ୍ରଧାନ, ବିନୋଦ ଦାସ, ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର