ବରଗଡ଼: ଆସନ୍ତା ୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ। ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ। ଭୁବନେଶ୍ବରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ପହଞ୍ଚିବା ପରେ ନିର୍ବାଚନୀ ସଭାଗୁଡ଼ିକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତସୂଚୀ ଆପାତତଃ ଚୂଡ଼ାନ୍ତ ହୋଇଥିବା ପୂର୍ବତନ ସାଂସଦ ତଥା ବିଜେଡି ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭିତିରିଆ ସୂଚନାନୁସାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପଦ୍ମପୁରଠାରେ ମଙ୍ଗଳବାର ଦିନତମାମ ତୁଙ୍ଗ ନେତାଙ୍କ ବୈଠକ ବସିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଏବଂ ପ୍ରଚାର ଅଭିଯାନକୁ ସଫଳ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍‌ ତିଆରି ହୋଇଥିବା ଜଣାପଡ଼ିଛି।

Advertisment

ପଦ୍ମପୁର ଉପନିର୍ବାଚନ ଆଗାମୀ ଦିନରେ ରାଜ୍ୟ ନୀତିରେ ନିର୍ଣ୍ଣାୟକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି। ବିଗତ ଦିନରେ ଧାମନଗର ଉପନିର୍ବାଚନରେ ବିଜେପି ବିଜୟ ହାସଲ କରିଥିବାରୁ ପଦ୍ମପୁରରେ ପୁଣି ଏହାର ପୁନରାବୃତ୍ତି କରିବାକୁ ଆଶା ରଖିଛି। ଅନ୍ୟପଟରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହା ଜିତି ଥିବାରୁ ଉପନିର୍ବାଚନରେ ମଧ୍ୟ ପୁଣି ଥରେ ବିଜୟ ହାସଲ କରିବାର ଲକ୍ଷ୍ୟ ରଖିଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ନିର୍ବଚାନରେ ଅବତୀର୍ଣ୍ଣ ହୋଇଥିବାରୁ ମତଦାତାମାନେ ବିଜେଡି ଭୋଟ ଦେବେ ବୋଲି ଆଶା କରାଯାଉଛି। ତେଣୁ ଉଭୟ ବିଜେଡି ଓ ବିଜେପି ପଦ୍ମପୁର ଉପନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଦିନ ଓ ରାତି ଏକ କରିଦେଇଛନ୍ତି।