ଟିଟିଲାଗଡରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ସାଢେ ୪ ଲକ୍ଷ ପରିବାର

ବଲାଙ୍ଗୀର: ବଲାଙ୍ଗୀ ଜିଲ୍ଲା ଟିଟିଲାଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାସହ ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରିଛନ୍ତି ନବୀନ । ଏହି ଅବସରରେ ଜିଲ୍ଲାର ସାଢେ ୪ ଲକ୍ଷ ପରିବାରକୁ ଏହି ସ୍ମାର୍ଟ କାର୍ଡ ଦିଆଯିବ । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଆଗକୁ ଚିକିତ୍ସା ପାଇଁ ଭିନ୍ନ ଭିନ୍ନ କାଗଜପତ୍ରର ଆବଶ୍ୟକତା ପଡିବନି। କେବଳ ସ୍ମାର୍ଟ କାର୍ଡ ଦେଖାଇଲେ ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ ।

ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ଏହି ସ୍ମାର୍ଟ କାର୍ଡର ହିତାଧିକାରୀ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ, ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ସେମାନେ ଏହି କାର୍ଡ ପାଇପାରିବେ । ସେହିଭଳି ଅନ୍ନପୂର୍ଣ୍ଣା, ଅନ୍ତ୍ୟାଦୟ, ବିଜୁ କୃଷକ କଲ୍ୟାଣ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ, ରାଜ୍ୟ ସରକାରଙ୍କ ରାସନ କାର୍ଡ ପାଇଥିବା ହିତାଧିକାରୀ, ସ୍ୱଳ୍ପ ଆୟ ଥିବା ବ୍ୟକ୍ତି ଏହି ସ୍ମାର୍ଟ ହେଲଥ କାର୍ଡର ସୁବିଧା ପାଇପାରିବେ । ଏହି କାର୍ଡ ଜରିଆରେ ସମ୍ପୂର୍ଣ୍ଣ କ୍ୟାସଲେସ ଭାବେ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ ।

ସମ୍ବନ୍ଧିତ ଖବର