ନୂଆ ବିଧାୟକ ଓ ନେତାଙ୍କୁ ମନ୍ତ୍ର ଫୁଙ୍କିଲେ ନବୀନ

ଲୋକଙ୍କ ଆବଶ୍ୟକତା ମୋତେ ଜଣାଅ
ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବ
ତିର୍ତ୍ତୋଲ ଓ ବାଲେଶ୍ବର କର୍ମୀଙ୍କୁ ଧନ୍ୟବାଦ ଦେଲେ

ଭୁବନେଶ୍ୱର : ପଞ୍ଚାୟତ ଓ ଵାର୍ଡକୁ ଯାଇ ଲୋକଙ୍କ ସମସ୍ୟା ବୁଝ। ସେମାନଙ୍କ ଆବଶ୍ୟକତା ମୋତେ ଜଣାଅ।

ଆଜି ନବ ନିର୍ବାଚିତ ତିର୍ତ୍ତୋଲ ଓ ବାଲେଶ୍ବର ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ବରୂପ ଦାସଙ୍କ ସମେତ ନିର୍ବାଚନ ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ ଓ ନେତାଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପରାମର୍ଶ ଦେଇଛନ୍ତି। ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ନବୀନ ଉଭୟ ନିର୍ବାଚନମଣ୍ଡଳୀର କର୍ମୀ, ଉପନିର୍ବାଚନରେ ସାମିଲ ଥିବା ନେତା ଓ ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରିଥିଲେ। ନବୀନ କହିଥିଲେ, ସେ ସବୁବେଳେ କଥା ନୁହେଁ, କାମରେ ବିଶ୍ବାସ କରନ୍ତି। ନିର୍ବାଚନ ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପାଳନ ପାଇଁ ନିଷ୍ଠାପର ଉଦ୍ୟମ କରାଯିବ।

ଜନସାଧାରଣଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କକୁ ବଜାୟ ରଖିବା ପାଇଁ ଶ୍ରୀ ପଟ୍ଟନାୟକ ପ୍ରବର୍ତାଇବା ସହିତ କହିଥିଲେ ଯେ ନେତାମାନେ ପ୍ରତି ଵାର୍ଡ ଓ ପଞ୍ଚାୟତକୁ ଯାଇ ସେଠାର ଲୋକଙ୍କୁ ତାଙ୍କର ଧନ୍ୟବାଦ ଜଣାଇ ଦିଅନ୍ତୁ। କେବଳ ସେତିକି ନୁହେଁ, ଉଭୟ ବିଧାୟକଙ୍କୁ ସେ ନିର୍ବାଚନମଣ୍ଡଳୀର ବିକାଶ ସହିତ ଲୋକଙ୍କ ସେବା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

ନବୀନ କହିଥିଲେ, ଉପ ନିର୍ବାଚନରେ ଜନସାଧାରଣ ବିଜେଡିକୁ ବହୁ ସଂଖ୍ୟାରେ େଭାଟ ଦେଇ ଜିତାଇଛନ୍ତି। ସେଥିପାଇଁ ସେ କୃତଜ୍ଞ। ଉପନିର୍ବାଚନରେ ବିଜେଡିର ବିଜୟ ହେଉଛି, ଜନସାଧାରଣଙ୍କର ବିଜୟ। କୋଭିଡ୍ ସମୟରେ ପ୍ରଚାର ଏତେ ସହଜ ନଥିଲା। ଅସୁବିଧା ସତ୍ତ୍ବେ ଦଳର କର୍ମୀମାନେ କଠିନ ପରିଶ୍ରମ କରି କୋଭିଡ୍ ନିୟମ ମାନି ଦଳ ପାଇଁ ବିଜୟ ଆଣିଥିବାରୁ ଦଳୀୟ ନେତା ତଥା ଭୋଟ କେନ୍ଦ୍ରକୁ ଆସି ବିଜେଡି ସପକ୍ଷରେ ମତଦାନ କରିଥିବାରୁ ଭୋଟରଙ୍କୁ ବି ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡି଼ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର