ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ। ଏହି ଅବସରରେ ନିଜର ପିତା ବିଜୁବାବୁଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି,‘ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଆଧୁନିକ ଓଡ଼ିଶାର ପ୍ରତ୍ୟେକ ସ୍ମାରକୀରେ ରହିଛି ତାଙ୍କ କାଳଜୟୀ ସ୍ପର୍ଶ। ଶିକ୍ଷା, ଶିଳ୍ପ, ନାରୀ ସଶକ୍ତିକରଣ ସହ ସବୁ ଶ୍ରେଣୀର ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ନିରନ୍ତର ଉଦ୍ୟମ ସର୍ବଦା ପ୍ରେରଣାଦାୟୀ।’
ଏଥିସହ ନବୀନ ବିଜୁବାବୁଙ୍କ ଜୀବନୀ ସମ୍ବଳିତ ଏକ ଭିଡିଓ ଟୁଇଟରରେ ପୋଷ୍ଟ କରିଛନ୍ତି।
ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଆଧୁନିକ ଓଡ଼ିଶାର ପ୍ରତ୍ୟେକ ସ୍ମାରକୀରେ ରହିଛି ତାଙ୍କ କାଳଜୟୀ ସ୍ପର୍ଶ। ଶିକ୍ଷା, ଶିଳ୍ପ, ନାରୀ ସଶକ୍ତିକରଣ ସହ ସବୁ ଶ୍ରେଣୀର ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ନିରନ୍ତର ଉଦ୍ୟମ ସର୍ବଦା ପ୍ରେରଣାଦାୟୀ। pic.twitter.com/oIwYnmrIWc
— Naveen Patnaik (@Naveen_Odisha) March 5, 2019
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ବିଜୁ ପଟ୍ଟନାୟକ ପାର୍କ ଓ ବିଧାନସଭା ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଜି ସମଗ୍ର ରାଜ୍ୟରେ ବିଶିଷ୍ଟ ଜନନାୟକ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୩ତମ ଜୟନ୍ତୀ ପାଳନ କରାଯାଉଛି। ପଞ୍ଚାୟତରାଜ ଦିବସ ଭାବେ ଘୋଷିତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ସକାଳ ୭ଟାରେ ଏକ ମିନି ମାରାଥନ୍ ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ୍ ପାର୍କ) ଠାରୁ ଆରମ୍ଭ ହୋଇ ଏହି ଗଣଦୌଡ଼ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା।
ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାମାନଙ୍କରେ ମଧ୍ୟ ମହାସମାରୋହରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ କରାଯାଉଥିବାର ଖବର ଆସିଛି । ବିଜୁ ଜୟନ୍ତୀ ଅବସରରେ ୧. ୫୮ ଲକ୍ଷ ଟଙ୍କାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ।