ପଛୁଆ ବର୍ଗ ଚିହ୍ନଟ ପାଇଁ ବିଜ୍ଞପ୍ତି : ଓବିସି କାର୍ଡ ଖେଳିଲେ ନବୀନ

କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲା ରାଜ୍ୟ, କେନ୍ଦ୍ର ଶୁଣିଲାନି, କମିସନ ଆରମ୍ଭ କରିବେ

ଭୁବନେଶ୍ବର : ଜନଗଣନା ସମୟରେ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଥିଲା। ରାଜ୍ୟ ସରକାର ସେବେ କହିଥିଲେ ଯେ ଏହାଦ୍ବାରା ପଛୁଆ ବର୍ଗର ସାମାଜିକ ଅର୍ଥନୈତିକ ତଥା ଶିକ୍ଷାଗତ ସ୍ଥିତି ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ, ଯାହାକୁ ଧରି ସରକାର ସେମାନଙ୍କ ବିକାଶ କରିବେ। ଏ ସଂକ୍ରାନ୍ତରେ ତତ୍କା​ଳୀନ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଚିଠି ମଧ୍ୟ ଲେଖିଥିଲେ। ହେଲେ କେନ୍ଦ୍ର ସରକାର ଏହାଉପରେ କୌଣସି ଠୋସ୍ ପଦକ୍ଷେପ ନ ନେବା ପରେ ଶେଷରେ ରାଜ୍ୟ ସରକାର ଏହାକୁ ନେଇ ଆଜି ଏକ ବଡ଼ କାର୍ଡ ଖେଳିଛନ୍ତି।

ପଛୁଆ ବର୍ଗ ଚିିହ୍ନଟ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାର ସ୍ଥିତି ଉପରେ ସର୍ବେକ୍ଷଣ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ପଛୁଆ ବର୍ଗ କମିସନଙ୍କୁ ଅନୁମତି ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତଥା ପଛୁଆ ବର୍ଗ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ପଛୁଆ ବର୍ଗ କମିସନ ଏହାର ସର୍ବେକ୍ଷଣ କରିବେ। ତେବେ ଏହା କେବେ ଆରମ୍ଭ ହେବ ଓ କିଭଳି ହେବ, ସେ ସଂକ୍ରାନ୍ତରେ କମିସନ ସାନି ନିର୍ଦେଶନାମା ଜାରି କରିପାରନ୍ତି।

ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ଥିବା େବଳେ ପୌର ଭୋଟ ଅଟକି ରହିଛି। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ବିଜେଡି ପୂର୍ବରୁ ରାଜ୍ୟ କାର୍ଯ୍ୟକାରିଣୀରେ ପଛୁଆ ବର୍ଗ କାର୍ଡ ଖେଳିବା ଲାଗି ବାଟ ଖୋଲିଥିଲା। ଦଳ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ କରିଥିଲା। ଏହାକୁ ନେଇ ସେବେ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ।

ଏବେ ରାଜ୍ୟ ସରକାର ଗଣନା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସବୁଜ ସଙ୍କେତ ଦେବା ପରେ ଏକଥା ସ୍ପଷ୍ଟ ହୋଇଛି ଯେ ନିର୍ବାଚନରେ ଏହି ବର୍ଗକୁ ନିଜ ଆଡ଼କୁ ଟାଣିବା ଲାଗି ରାଜ୍ୟ ସରକାର ଆଖେଇଛନ୍ତି। ଅର୍ଥାତ୍ ଆଗାମୀ ଦିନରେ ବିଜେଡି ଓବିସି କାର୍ଡ ଖେଳିବା ସ୍ପଷ୍ଟ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ, କେନ୍ଦ୍ର ସରକାର ଜନଗଣନା ପ୍ରକ୍ରିୟାରେ ସାମିଲ କରି ଓବିସି ଓ ଏସଇବିସି ବର୍ଗଙ୍କ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବା ଦରକାର। ଏହାକୁ ଆଧାର କରି ସେମାନଙ୍କ ବିକାଶ ପାଇଁ ନକ୍ସା ଅଙ୍କାଯିବା ଉଚିତ୍‌। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ସ୍ପଷ୍ଟ ଆଭିମୁଖ୍ୟ ତ ନେଇନଥିଲେ, ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏକ କଡ଼ା ଚିଠି ଲେଖିଥିଲେ। ଏଥିରେ କୁହାଯାଇଥିଲା ଯେ ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ୨୦୨୧ ଜନଗଣନା ସହିତ ରାଜ୍ୟର ଏସଇବିସି ବର୍ଗ ଅନ୍ତଭୃକ୍ତ ଜାତି ଗୁଡିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ଅନ୍ତର୍ଗତ ଜନସାଧାରଣଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନ ଦେବା ତଥା ଏହି ମାମଲାରେ ସରକାରଙ୍କର ଅପାରଗତା ଲୁଚାଇ ରଖିବାର ଏକ ଉଦ୍ୟମ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଆହୁରି କହିଥିଲେ ଯେ ୨୦୯ଟି ଜାତିବିଶେଷ ରାଜ୍ୟର ଏସଇବିସି ବର୍ଗରେ ସାମିଲ ହେବା ସହ ଐତିହାସିକ ଭାବେ ଦାରିଦ୍ୟ ଓ ଅଶିକ୍ଷାର ପୀଡିତ ଅଛନ୍ତି। ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ବି ଓଡିଶା ସରକାର କାହିଁକି ଏମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି ସେ ନେଇ ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର।

ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୂନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତାମିଲନାଡୁରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ରହିଛି। ମାତ୍ର ଓଡିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଞ୍ଚିତ ଅଛନ୍ତି େବାଲି ଶ୍ରୀ ଅଭିଯୋଗ ପ୍ରଧାନ କରିଥିଲେ।

ରାଜ୍ୟ ସରକାର କିନ୍ତୁ ଧର୍ମେନ୍ଦ୍ରଙ୍କ ଚିଠିର କୌଣସି ଜବାବ ନ ଦେଇ ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶା ପଛୁଆବର୍ଗ କମିସନ ପୁର୍ନଗଠନ କରିବା ସହିତ ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଇତିମଧ୍ୟରେ ଜଷ୍ଟିସ୍ ବିଶ୍ବାଳ ତାଙ୍କ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଦାୟିତ୍ବ ନେବା ପରେ କମିସନ ଅଧ୍ୟକ୍ଷ କହିଥିଲେ, ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ଡାଟାବେସ୍ ଖୁବଶୀଘ୍ର ପ୍ରସ୍ତୁତ କରାଯିବ। ଯେଉଁମାନେ ବାଦ୍ ପଡ଼ିଥିବେ ସେମାନଙ୍କୁ ତାଲିକାରେ ସାମିଲ କରାଯିବ। ରାଜ୍ୟରେ ଓବିସି ଓ ଏସଇବିସି ବର୍ଗର ଲୋକଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି ଜୋରଦାର ହେଉଥିବା ପରିପ୍ରେକ୍ଷୀରେ କମିସନଙ୍କ ଏହି ମନ୍ତବ୍ୟ ବି ରାଜନୈତିକ ଉଷ୍ଣତା ବଢ଼ାଇଥିଲା। ଏବେ ରାଜ୍ୟ ସରକାର ଏହି ବର୍ଗର ସର୍ଭେ ପାଇଁ ରାସ୍ତା ଖୋଲିବା ପରେ ସମୁଦାୟ ଘଟଣାଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ପ୍ରକାଶଥାଉକି, ଆନୁଷ୍ଠାନିକ ଭାବେ ଜାତି ଭିତ୍ତିକ ଜନଗଣନା ଶେଷ ଥର ପାଇଁ ରାଜ୍ୟରେ ୧୯୩୧ ମସିହାରେ ହୋଇଥିଲା। ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି, ଏମାନଙ୍କ ସଂପର୍କରେ ଅବିକଳ ପରିସଂଖ୍ୟାନର ଅଭାବ ରହିଛି। ଏହି ବର୍ଗର ବିକାଶକୁ ରାଜ୍ୟ ସରକାର ଏବେ ସର୍ବାଦୌ ଗୁରୁତ୍ବ ଦେଉଥିବା ପରିପ୍ରେକ୍ଷୀରେ ସେମାନଙ୍କ ଗଣନା ଅପରିହାର୍ଯ୍ୟ। କେନ୍ଦ୍ର ସରକାର ନ କଲେ ନାହିଁ, ଏମାନଙ୍କ ସଂଖ୍ୟା ଆକଳନ ପରେ ଠୋସ୍ ପଦକ୍ଷେପ ନିଆଯିବ।

ପଛୁଆ ବର୍ଗକମିସନରେ ଉତ୍କଳ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନୀ ପ୍ରଫେସର ତଥା ପଛୁଆବର୍ଗଙ୍କ ସଂପର୍କରେ ସ୍ବତନ୍ତ୍ର ଅଧ୍ୟୟନ କରିଥିବା ଡ. ନବନୀତା ରଥ, ଉତ୍କଳ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଡ. ମିତାଲି ଚିନ୍ନାରା, ନୃତତ୍ତ୍ବ ବିଭାଗର ପ୍ରଫେସର ଡ. ପ୍ରସନ୍ନ କୁମାର ପାତ୍ର ସଦସ୍ୟ ଅଛନ୍ତି। ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବଙ୍କୁ ଏହାର ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର