ବିଜେଡିକୁ ଭୋଟ ଦେବାକୁ ନିବେଦନ
କରୋନା ପରେ ପିପିଲି ଯିବେ
ବିଜେଡି ଟାର୍ଗେଟରେ ରହିଲେ ମହିଳା ଭୋଟର
ମୁଖ୍ୟମନ୍ତ୍ରୀ କହିଲେ, ଗାଁ, ପଞ୍ଚାୟତ, ବ୍ଲକରେ ଥିବା ସରକାରୀ ସଂପତ୍ତିର ମାଲିକ ହେଲେ ମା’
ଭୁବନେଶ୍ବର : ‘ପିପିଲି-ଡେଲାଙ୍ଗରେ ଅନେକ ଭଲ କାମ ହୋଇଛି। ମୁଁ ଜାଣେ ଆଗକୁ ଆହୁରି ଅନେକ ଭଲ କାମ ପାଇଁ ସୁଯୋଗ ରହିଛି। ପିପିଲି ଡେଲାଙ୍ଗର ବିକାଶ ମୁଁ ନିଜେ ବୁଝିବି।’
ଏମିତି ପ୍ରତିଶ୍ରୁତି ଦେଇ ଆଜି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବା ଲାଗି ପିପିଲି ନିର୍ବାଚନମଣ୍ଡଳୀର ଲୋକଙ୍କୁ ଅନୁରୋଧ କରିଛନ୍ତି। ସୋମବାର ଦିନ ରୁଦ୍ରଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିଥିଲେ ନବୀନ। ସମସ୍ତ ୬ଟି ଜିଲ୍ଲା ପରିଷଦ ଜୋନ, ଏନଏସିରେ ଦଳ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ଯେଉଁଠାରେ ହଜାର ହଜାର ଲୋକ ନବୀନଙ୍କ ଭାଷଣକୁ ଶୁଣିଥିଲେ। ନବୀନ ଏହି ଅବସରରେ କହିଥିଲେ, ପିପିଲି-ଡେଲାଙ୍ଗ ବାସୀ ସବୁବେଳେ ବିଜେଡି ସହ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ, ଏ ବିଶ୍ବାସ ତାଙ୍କର ରହିଛି।
ସୋମବାର ଅପରାହ୍ନରେ ପିପିଲି ନିର୍ବାଚନମଣ୍ଡଲୀ ଲୋକଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରେଷ୍ଠ ଭକ୍ତ ଦାସିଆଙ୍କ ପବିତ୍ର ଭୂମି ହେଉଛି ଏହି ପିପିଲି ଡେଲାଙ୍ଗ। ମହାତ୍ମାଗାନ୍ଧୀଙ୍କ ପଦଯାତ୍ରାର ସ୍ମୃତିରେ ଏହି ପିପିଲି-ଡେଲାଙ୍ଗ ମାଟି ଧନ୍ୟ। ଏହା କଳାର ଭୂମି। ପିପିଲିର ଚାନ୍ଦୁଆ ଦେଶ ବିଦେଶରେ ଓଡ଼ିଶାର ସୁନାମ ଆଣିଛି। ଏହି ମାଟି ଧନ୍ୟ ଓ ଏହାର ଇତିହାସ ମଧ୍ୟ। ଏ ମାଟିକୁ ସେ ପ୍ରଣାମ କରୁଛନ୍ତି। ନବୀନ କହିଥିଲେ, ‘‘ଆଜି ସାରା ରାଜ୍ୟ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପାଳନ କରୁଛି। ବେରବୋଇ ଆଶ୍ରମରେ ବାପୁ ଆଠ ଦିନ ରହିଥିଲେ। ଆଜି ପିପିଲି-ଡେଲାଙ୍ଗ ଯାଇଥିଲେ, ସେ ବ୍ୟକ୍ତିଗତ ଭାବେ ଖୁସି ହୋଇଥାନ୍ତେ। ସେ ଏକଥା ବି ଜାଣନ୍ତି ଯେ ପିପିଲି ଓ ଡେଲାଙ୍ଗ ଲୋକେ ତାଙ୍କୁ ବହୁତ ଭଲ ପାଆନ୍ତି। ଯଦି ସେ ପିପିଲି-ଡେଲାଙ୍ଗ ଯାଇଥାନ୍ତେ, ତେବେ ତାଙ୍କୁ ଆଶୀର୍ବାଦ କରିବା ଲାଗି ନିଶ୍ଟିତ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥାନ୍ତେ। କୋଭିଡ୍ ସମୟରେ ଏହା ଉଚିତ୍ ହୋଇନଥାନ୍ତା। ତାଙ୍କ ପାଇଁ କିଏ ବିପଦରେ ପଡୁ ସେ ଏହା ଚାହାନ୍ତି ନାହିଁ। ସେଥିପାଇଁ ଆଜି ଭିଡ଼ିଓ କନଫରେନ୍ସିଂରେ ସେ ଭେଟୁଛନ୍ତି। ହେଲେ କରୋନା ଦୂର ହେବାପରେ ପିପିଲି ଯାଇ ସେ ସମସ୍ତଙ୍କୁ ଭେଟିବେ।’ ଏ ପ୍ରତିଶ୍ରୁତି ଦେଇଥିଲେ ନବୀନ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ କାରଣରୁ ଏ ଉପନିର୍ବାଚନ ହେଉଛି। ପିପିଲିର ଜନସାଧାରଣ ସବୁବେଳେ ବିଜେଡି ସହିତ ରହିଛନ୍ତି। ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ସେମାନଙ୍କର ଭଲ ପାଇବା ଅଛି। ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ତେଇଶତମ ଶ୍ରାଦ୍ଧ ଦିବସ ପାଳନ ହେବ, ଯେଉଁଦିନ ନିର୍ବାଚନ ହେବ। ବିଜୁ ବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଅମୂଲ୍ୟ ରତ୍ନ। ସେ ସବୁବେଳେ ପ୍ରେରଣା ହୋଇ ରହିଛନ୍ତି। ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ସେ ଚାଷୀମାନଙ୍କର ବିକାଶ ହେଉ କିମ୍ବା ଗରିବ ଲୋକଙ୍କର କଲ୍ୟାଣ। ମା’ମାନଙ୍କ ବିକାଶ ହେଉ ଅଥବା ଭିତ୍ତିଭୂମିର ବିକାଶ। ସବୁଥିରେ ଓଡ଼ିଶା ସାରା ଦେଶରେ ଆଗରେ ରହିଛି। ରାଜ୍ୟରେ ୭୦ଲକ୍ଷ ମା’ ମାନଙ୍କୁ ନେଇ ଗଠିତ ମିସନ ଶକ୍ତି ଆଜି ବିକାଶର ସାରଥୀ ହୋଇଛି। ମା’ମାନଙ୍କର ସମୃଦ୍ଧି ହିଁ ପରିବାରର ସମୃଦ୍ଧି। ଆଜି ମା’ ମାନେ ଗାଁ, ପଞ୍ଚାୟତ, ବ୍ଲକ ଆଦିରେ ଥିବା ସରକାରୀ ସଂପତ୍ତିର ମାଲିକ। ଏଣୁ ମା’ମାନେ ଅଧିକ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ବୋଲି ଅନୁରୋଧ କରି ନବୀନ ମହିଳାଙ୍କ ମନ ଜିଣିବାକୁ ଉଦ୍ୟମ କରିଥିଲେ।
ଏହି ସଭାରେ ମୁଖ୍ୟମନ୍ତ୍ରୀ କରୋନା ପାଇଁ ସତର୍କ ରହିବା ଲାଗି ଲୋକଙ୍କୁ ଚେତାଇବାକୁ ଭୁଲିନଥିଲେ। ସେ କହିଥିଲେ, କରୋନାର ଦ୍ବିତୀୟ ଲହର ଭୟ ଏବେ ଦେଖାଦେଇଛି। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ହେବ। ସମସ୍ତେ କୋଭିଡ୍ ନିୟମ ପାଳନ କରିବା ସହିତ ଘରୁ ବାହାରିଲେ ଠିକ୍ ଭାବେ ମାସ୍କ ପିନ୍ଧିବା ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଜେପୁର, ବାଲେଶ୍ବର ଓ ତିର୍ତ୍ତୋଲରେ ନବୀନ ଅନୁରୂପ ଢଙ୍ଗରେ ଭାଷଣ ଦେଇ ସେମାନଙ୍କ ଦାୟିତ୍ବ ହାତକୁ ନେଇଥିଲେ। ଏ ସମସ୍ତ ନିର୍ବାଚନରେ ବିଜେଡି ବାଜିମାତ୍ କରିଥିଲା।