କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ପ୍ରସ୍ତାବ: ବିଜୁ ପଟ୍ଟନାୟକ ଷ୍ଟିଲ୍‌ ପ୍ରତିଷ୍ଠାନକୁ ଆଇଆଇଟି ଭଳି ବିକଶିତ କର

୨୦୩୦ ସୁଦ୍ଧା ଓଡ଼ିଶାରୁ ବାର୍ଷିକ ୧୦୦ ନିୟୁତ ଟନ୍‌ ଇସ୍ପାତ ଲକ୍ଷ୍ୟ

ଭୁବନେଶ୍ୱର: ଗତକାଲିଠାରୁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦ୍ର ସିଂହ ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ରାଜ୍ୟ ତଥା ଦେଶରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିମଧ୍ୟରୁ ଓଡ଼ିଶାରୁ କେବଳ ୧୦୦ ନିୟୁତ ଟନ୍‌ ଉତ୍ପାଦନ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ରାଜ୍ୟରେ ଥିବା ବିଜୁ ପଟ୍ଟନାୟକ ଷ୍ଟିଲ୍‌ ପ୍ରତିଷ୍ଠାନକୁ ଆଇଆଇଟି ଭଳି ସଂପୂର୍ଣ୍ଣ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ଇସ୍ପାତ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୦୨ ମସିହାରେ ବିଜୁ ପଟ୍ଟନାୟକ ଷ୍ଟିଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା କରାଯାଇଥିଲା। ବର୍ତମାନ ସେହି ପ୍ରତିଷ୍ଠାନ ବିଭିନ୍ନ ସାର୍ଟିଫିକେଟ୍‌ କୋର୍ସରେ ଶିକ୍ଷା ପ୍ରଦାନ କରୁଛି। ୨୦୦୪ରେ କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ସ୍ୱୟଂସଂପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠା କରି ଏଥିରେ ବି.ଟେକ୍‌, ଏମ୍‌.ଟେକ୍‌ ଓ ପିଏଚ୍‌ଡି ଆଦି ଶିକ୍ଷା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଆଇଆଇଟି ଭଳି ଜାତୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଅନ୍ୟ ଏକ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଲେ, ସୁନ୍ଦରଗଡ଼ ଜିଲ୍ଲାରେ ଭାରତୀୟ ଇସ୍ପାତ ପ୍ରାଧୀକରଣ(ସେଲ୍‌)କୁ ୨୩୦ ହେକ୍ଟର ବିଶିଷ୍ଟ ଚୂନପଥର ଓ ଡୋଲୋମାଇଟ୍‌ ଖଣି ଲିଜ୍‌ ଆକାରରେ ଦିଆଯାଇଛି। ୨୦୦୩ ମାର୍ଚ ମାସରୁ ସେଲ୍‌ ଏଥିରୁ ଖଣି ଉତ୍ତୋଳନ ବନ୍ଦ କରିଦେଇଛି। ଏହି ଖଣିକୁ କାର୍ଯ୍ୟକ୍ଷମ କରିବା ସହିତ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରାଳୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ରାଉରକେଲା ଇସ୍ପାତ ସହରାଞ୍ଚଳରେ ଥିବା ୫ ହେକ୍ଟର ଜାଗାକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କର ପ୍ରସ୍ତାବ ରହିଛି। ସେହି ଜାଗାରେ ଏକ ସ୍ୱିେଓ୍ଵଜ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ରାଉରକେଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ତୁରନ୍ତ ମଞ୍ଜୁରି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ସରକାର ଗୁରୁତ୍ୱ ସହକାରେ ବିଚାର କରି ପଦକ୍ଷେପ ନେବେ ବୋଲି ଇସ୍ପାତ ମନ୍ତ୍ରୀ ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଥିଲେ। କଳିଙ୍ଗ ନଗରରେ ଏକ ଷ୍ଟିଲ୍‌ ହବ୍‌ ପ୍ରତିଷ୍ଠା ସହିତ ଇସ୍ପାତ ଶିଳ୍ପ ବିକାଶ ସଂପର୍କରେ ବିସ୍ତତ ଆଲୋଚନା କରିଥିଲେ। ପରେ ସାମ୍ବାଦିକମାନଙ୍କୁ କେନ୍ଦ୍ରମନ୍ତ୍ରୀ କହିଲେ, ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ହେଉଥିବାରୁ ୨୦୩୦ ସୁଦ୍ଧା ଏଠାରୁ ୧୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ଲକ୍ଷ୍ୟରେ ପହଞ୍ଚିବା ସହଜସାଧ୍ୟ ହେବ। ତିନିବର୍ଷ ତଳେ ଦେଶର ଇସ୍ପାତ ଉତ୍ପାଦନ ୮୧ ନିୟୁତ ଟନ୍‌ ଥିଲା। ଆଜି ଏହା ୧୦୨ ନିୟୁତ ଟନ୍‌ରେ ପହଞ୍ଚିଛି। କେନ୍ଦ୍ରମନ୍ତ୍ରୀ କହିଲେ, ୨୦୨୦ ସୁଦ୍ଧା ଓଡ଼ିଶା ଖଣି ନିଗମର ୬ଟି ଖଣିର ଲିଜ୍‌ ଅବଧି ସରୁଥିବାରୁ ଏସବୁ ଖଣିଗୁଡ଼ିକୁ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା: ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌(ଆରଆଇଏନ୍‌ଏଲ୍‌), ସେଲ୍‌, କେଓ୍ଵାଇସିକୁ ହସ୍ତାନ୍ତର କରାଯିବା ସଂପର୍କରେ ବିଚାର କରାଯାଉଛି। ଏଥିପାଇଁ ଆଇନଗତ ଦୃଷ୍ଟିରୁ କୌଣସି ଅସୁବିଧା ହେବନାହିଁ ବୋଲି ସେ କହିଥିଲେ। ଗତକାଲି ଶ୍ରୀ ସିଂହ ରାଉରକେଲା ଗସ୍ତ କରି ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ କରିଥିଲେ। ଆଜି କଳିଙ୍ଗନଗର ଗସ୍ତ କରି ଇସ୍ପାତ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ବିଭାଗୀୟ ପ୍ରମୁଖ ସଚିବ, ପଦାଧିକାରୀଙ୍କ ଗହଣରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର