ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାପାନ ରାଷ୍ଟ୍ରଦୂତ କେଞ୍ଜି ହିରାମାସୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାକ୍ଷାତ ଅବସରରେ ଓଡ଼ିଶାରେ ଶିଳ୍ପ ପ୍ରସାର ଓ ପୁଞ୍ଜି ବିନିଯୋଗ ପାଇଁ ରହିଥିବା ଅନୁକୂଳ ପରିବେଶ ସଂପର୍କରେ ଶ୍ରୀ ହିରାମାସୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ନଭେମ୍ବରରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭରେ ଜାପାନ ସହଯୋଗୀ ରାଷ୍ଟ୍ର ଭାବେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।
ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ପେଟ୍ରୋକେମିକାଲ୍ସ, ଷ୍ଟେନ୍ଲେସ୍ ଷ୍ଟିଲ୍, ମୋଟର ଶିଳ୍ପ ଓ ଇଲେକ୍ଟ୍ରୋନିକ୍ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏଥିପାଇଁ ଆସନ୍ତା ମେକ୍-ଇନ୍ଽଓଡ଼ିଶା କନ୍କ୍ଲେଭରେ ଜାପାନର ଯୋଗଦାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟପକ୍ଷରେ ଓଡ଼ିଶାରେ ବ୍ୟବସାୟ ଅନୁକୂଳ ପରିବେଶ ରହିଥିବା ନେଇ ରାଷ୍ଟ୍ରଦୂତ ହିରାମାସୁ ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜାପାନ-ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଓ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ସହିତ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରାଯିବ ବୋଲି ସେ କହିଥିଲେ। ଆଲୋଚନାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢ଼ୀ, ଶିଳ୍ପ ବିଭାଗ ପ୍ରମୁଖ ସଚିବ, ଜାପାନର ପ୍ରତିନିଧିମାନେ ଯୋଗ ଦେଇଥିଲେ।