ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ପରାଜୟ ପରେ ସାରା ରାଜ୍ୟରେ ଭି କେ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରାଯାଉଛି। ଏପରିକି ବିଜେଡିର ପରାଜୟ ପାଇଁ ତାଙ୍କୁ ଦାୟୀ କରାଯାଉଛି। ବହୁ ଯୁବ ନେତା ଖୋଲାଖୋଲି ତାଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଉଥିବା ବେଳେ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ତାଙ୍କର କୁତ୍ସାରଟନା କରୁଛନ୍ତି। ହେଲେ ନିର୍ବାଚନରେ ହାରିବା ପରେ ପ୍ରଥମ ଥର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନା‌ୟକ ଦୁଇଟି ଜାତୀୟସ୍ତରର ଖବର ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଇପାରିବନି ବୋଲି ନବୀନ ସିଧାସଳଖ କହିଛନ୍ତି। ନବୀନ କହିଛନ୍ତି, ମୋ ନଜରକୁ ଆସିଛି ଯେ ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଛି। ଏହା ଦୁର୍ଭାଗ୍ୟଜନକ। ଜଣେ ଅଧିକାରୀ ଭାବେ ସେ ବଭିନ୍ନ କ୍ଷେତ୍ରରେ ଭଲ କାମ କରିଥିଲେ। ଗତ ୧୦ବର୍ଷରେ ସେ ଦୁଇଟି ବାତ୍ୟା, ରାଜ୍ୟରେ କୋଭିଡ-ମହାମାରୀ ବେଳେ ସେ ସହଯୋଗ କରିଥିଲେ। ଏହାପରେ ସେ ଚାକିରିରୁ ଅବସ‌ର ନେଇ ମୋ ପାର୍ଟିରେ ଯୋଗଦେଇଥିଲେ। ସେ ଦଳ ପାଇଁ ବହୁତ କାମ କରିଛନ୍ତି। ସେ ଦଳର କୌଣସି ପଦ ପଦବିରେ ନାହାନ୍ତି କି ନିର୍ବାଚନ ଲଢ଼ିନାହାନ୍ତି। ପାଣ୍ଡିଆନ ଜଣେ ନିଷ୍ଠାବାନ ଓ ସଚ୍ଚୋଟ ବ୍ୟକ୍ତି। ଏଥିପାଇଁ ସେ ମନେ ରହିବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ମନ୍ଦିର ରୂପାନ୍ତର କ୍ଷେତ୍ରରେ ସେ ଭଲ କାର୍ଯ୍ୟ କରିଛନ୍ତି। ନବୀନ ଆହୁରି କହିଛନ୍ତି ଯେ ଗଣତନ୍ତ୍ରରେ ବିଜୟ ଓ ପରାଜୟ ହୋଇଥାଏ। ଦୀର୍ଘ ବର୍ଷ ପରେ ପରାଜୟ ହୋଇଥିବାରୁ ଆମକୁ ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପଡ଼ିବ। ମୁଁ ସଦାବେଳେ କହିଛି ସାଢ଼େ ୪କୋଟି ଓଡ଼ିଶାବାସୀ ମୋ ପରିବାର। ମୁଁ ଯେଉଁ ବାଟରେ ପାରିବି ସେମାନଙ୍କ ସେବା ଜାରି ରଖିବି। ଏହା କହି ସେ ପରୋକ୍ଷରେ କହିଛନ୍ତି ଯେ ଲୋକ ଆମକୁ ଜିତାଉଥିଲେ, ଏବେ ହରାଇଛନ୍ତି। ଏଥିରେ ପାଣ୍ଡିଆନଙ୍କର କୌଣସି ଭୂମିକା ନାହିଁ। ନିଜ ସ୍ବାସ୍ଥ୍ୟାବସ୍ଥା ବିଷୟରେ ନବୀନ କହିଛନ୍ତି ଯେ ମୋ ସ୍ବାସ୍ଥ୍ୟ ବିଷୟରେ ବହୁ ପ୍ରଶ୍ନ ଉଠୁଛି। ମୋ ଦେହ ସଦାବେଳେ ଭଲ ଅଛି। ମୁଁ ଗତ ମାସ ପ୍ରବଳ ଖରାରେ ପ୍ରଚାର କରିଥିଲି। ଏହା ମୋ ସ୍ବାସ୍ଥ୍ୟାବସ୍ଥାକୁ ଦର୍ଶାଉଛି। ତାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହେଁ। ମୋର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ନିଷ୍ପତ୍ତି ନେବେ।

Advertisment

କୁଟ୍ଟେଙ୍କ ନିଲମ୍ବନ ଉଠିଲା, ଆଶିଷଙ୍କ ଅଡ଼ୁଆ ବଢ଼ିଲା

ଭୁବନେଶ୍ବର: ବିଜେଡି ସରକାରର ଦୁଇ ବିବାଦୀୟ ଆଇପିଏସ୍‌ ଅଧିକାରୀଙ୍କ ଭବିଷ୍ୟତ ଖୁବ୍‌ଶୀଘ୍ର ଧାର୍ଯ୍ୟ ହେବ। ଭାରତ ନିର୍ବାଚନ ଆୟୋଗ ଆଇପିଏସ୍‌ ଅଧିକାରୀ ଡି.ଏସ୍‌ କୁଟ୍ଟେଙ୍କ ନିଲମ୍ବନ ନିର୍ଦ୍ଦେଶକୁ ହଟାଇ ଦେଇଛନ୍ତି। ହେ‌େଲ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥାଇ ଆଇପିଏସ୍‌ ଅଧିକାରୀ ଆଶିଷ ସିଂହ ମେଡିକାଲ୍ ଛୁଟିରେ ଥିବାରୁ ତାଙ୍କ ବିରୋଧରେ ଓଡ଼ିଶାର ମୁଖ୍ୟ ସଚିବ କାର୍ଯ୍ୟାନୁଷ୍ଠାନ ନେବେ। ଭାରତର ନିର୍ବାଚନ ଆୟୋଗ ରଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠିର ଉତ୍ତର ଦେଇ ଏହା କହିଛନ୍ତି। ଜୁନ୍‌ ୫ରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଲେଖିଥିବା ଚିଠିର ଉତ୍ତର ଦେଇ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଚିବ ରାକେଶ କୁମାର ଜୁନ୍‌ ୬ରେ ଲେଖିଛନ୍ତି ଯେ ଆଇପିଏସ୍ ଅଧିକାରୀ ଆଶିଷ ସିଂହ ଉଭୟ ଶାରୀରିକ ଓ ମାନସିକ ରୂପେ ସୁସ୍ଥ ଅଛନ୍ତି। ଭୁବନେଶ୍ୱର ଏମ୍‌ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଏନେଇ ରିପୋର୍ଟ ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଆଶିଷ ସିଂହଙ୍କ ଦ୍ବାରା ତଥ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି। ତେଣୁ ଶ୍ରୀ ସିଂହଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିକଟକୁ ମେଡିକାଲ ବୋର୍ଡର ରିପୋର୍ଟକୁ ପଠାଯାଉ। ସେହିପରି ନିର୍ବାଚନରେ ଅନାଧିକୃତ ହସ୍ତ‌େକ୍ଷପ ପାଇଁ ନିଲମ୍ବିତ ହୋଇଥିବା ଏବଂ ନିଲମ୍ବନ ପରେ ଦିଲ୍ଲୀରେ ଆବାସିକ କମିସନଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଇପିଏସ୍ ଅଧିକାରୀ ଡି.ଏସ୍‌ କୁଟ୍ଟେଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନିଆଯାଇଛି। ହେଲେ ସର୍ତ୍ତ ରଖାଯାଇଛି ଯେ ମେ’୨୮ରେ ତାଙ୍କୁ ନିଲମ୍ବନ କରିବାବେଳେ ଅନ୍ୟ ଯେଉଁ ସବୁ ନିର୍ଦ୍ଦେଶ ଜାରି ହୋଇଥିଲା ତାହା ବଳବତ୍ତର ରହିବ।

କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଯଦି ଆରମ୍ଭ ହୋଇଥାଏ, ତେବେ ତାହା କେବଳ ନିର୍ବାଚନ ଆୟୋଗଙ୍କ ସହ ସମନ୍ବୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କୁଟ୍ଟେ ଏବେ ତାଙ୍କ ଆଗାମୀ ନିଯୁକ୍ତି ପାଇଁ ମୁଖ୍ୟସଚିବଙ୍କୁ ରିପୋର୍ଟ କରିପାରିବେ। ଏହାପରେ ତାଙ୍କ ପାଇଁ ପ୍ରଯୁଜ୍ୟ ନିଯୁକ୍ତି ମିଳିବ। ସୂଚନାଯୋଗ୍ୟ ଯେ ମେ ୨୮ତାରିଖରେ ଭାରତ ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଡି.ଏସ୍‌ କୁଟ୍ଟେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆଇଜି ଆଶିଷ ସିଂହଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। କୁଟ୍ଟେଙ୍କୁ ନିଲମ୍ବନ କରିଥିବା ବେଳେ ମେ ୪ରୁ ମେଡିକାଲ ଛୁଟିରେ ଥିବା ଆଶିଷ ସିଂହଙ୍କର ସ୍ବାସ୍ଥ୍ୟାବସ୍ଥା କ’ଣ ଅଛି ତାହା ଜାଣିବାକୁ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଦ୍ବାରା ଯାଞ୍ଚ କରିବାକୁ କହିଥିଲେ।